ବିଦ୍ୟୁତ, କାରଖାନା ଉତ୍ପାଦନରେ ବୃଦ୍ଧି, ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ

ନୂଆଦିଲ୍ଲୀ: ଅର୍ଥନୀତିକୁ ନେଇ ଆଜି କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜାରି କରାଯାଇଛି ଯାହା କରୋନା ମହାମାରୀ ଭଳି ସଙ୍କଟ ସମୟରେ ଆଶ୍ବସ୍ତି ପ୍ରଦାନ କରିବା ଭଳି ଖବର। ଦେଶରେ ବିଦ୍ୟୁତ ଉତ୍ପାଦନ ଓ କାରଖାନାରେ ବିଭିନ୍ନ ସାମଗ୍ରୀ ଉତ୍ପାଦନରେ ବୃଦ୍ଧି ଘଟିଛି। ସେହି ସମୟରେ ଗତ ଏପ୍ରିଲ୍ ମାସରେ ଖାଦ୍ୟ ସାମଗ୍ରୀ ଦାମ୍ କମ୍ ରହିବା କାରଣରୁ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ମାର୍ଚ୍ଚରେ ଶିଳ୍ପ ଉତ୍ପାଦନ ୨୨.୪ ପ୍ରତିଶତ ବୃଦ୍ଧି ପାଇଛି। ମାନୁଫାକ୍‌ଚରିଂ କ୍ଷେତ୍ରର ଉତ୍ପାଦନ ୨୫.୮% ବଢ଼ିଛି। ଗତବର୍ଷ ମାର୍ଚ୍ଚ ଶେଷ ସପ୍ତାହରେ କରୋନା ମହାମାରୀର ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯିବାରୁ ଶିଳ୍ପ ଉତ୍ପାଦନ ୧୮.୭% ହ୍ରାସ ପାଇଥିଲା।

ଆଲୋଚ୍ୟ ମାସରେ ବିଦ୍ୟୁତ ଉତ୍ପାଦନ ୨୨.୫% ବଢ଼ିଛି। ଖଣିରୁ ଉତ୍ପାଦନ ୬ ପ୍ରତିଶତ ବଢ଼ିଛି। ୨୦୨୦-୨ ଆର୍ଥିକ ବର୍ଷ ସାରାରେ ଶିଳ୍ପ ଉତ୍ପାଦନ ସୂଚୀ ୮.୬% ହ୍ରାସ ପାଇଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ଏହା ଯେ ଖୁଚୁରା ମୁଦ୍ରାସ୍ଫୀତି ହାର ଏପ୍ରିଲ୍‌ରେ ୪.୨୯% ରହିଛି। ଏହା ମାର୍ଚ୍ଚ ମାସରେ ୫.୫୨% ଭଳି ଉଚ୍ଚ ସ୍ତରରେ ଥିଲା। ଖୁଚୁରା ମୁଦ୍ରାସ୍ଫୀତି ଅର୍ଥନୀତି ପାଇଁ ବେଶ ଗୁରୁତ୍ବ ରଖୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧକୁ ନେଇ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହାକୁ ପ୍ରଥମେ ବିଚାରକୁ ନେଇଥାଏ। ମୁଦାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଏହାର ଏକ ପ୍ରମୁଖ ଦାୟିତ୍ବ।

ସମ୍ବନ୍ଧିତ ଖବର