ଭୁବନେଶ୍ୱର : ମ୍ୟୁଚୁଆଲ ଫଣ୍ଡ୍ ଶିଳ୍ପକୁ ସିଷ୍ଟମେଟିକ୍ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍ (ଏସ୍‌ଆଇପି) ଜରିଆରେ ଆସୁଥିବା ନିବେଶରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଗତ ଆର୍ଥିକ ବର୍ଷରେ ପରିଲକ୍ଷିତ ହୋଇଛି । ସଦ୍ୟତମ ରିପୋର୍ଟଗୁଡ଼ିକ ଅନୁଯାୟୀ, ଏସ୍‌ଆଇପି ସଂଗ୍ରହ ୨୫% ବୃଦ୍ଧି ହୋଇ ୧.୫୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏ ସମ୍ପର୍କରେ ବନ୍ଧନ ଏଏମ୍‌ସିର ସେଲ୍‌ସ ଆଣ୍ଡ୍ ମାର୍କେଟିଂ ବିଭାଗ ମୁଖ୍ୟ ଗୌରବ ପରିଜା କହିଛନ୍ତି, ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ପୂର୍ବର ଆଇଡିଏଫ୍‌ସି ମ୍ୟୁଚୁଆଲ ଫଣ୍ଡ୍‌) ସବୁବେଳେ ବିଶ୍ୱାସ କରିଆସିଛି ଯେ, ଏସ୍‌ଆଇପି ହେଉଛି ନିଜର ଆର୍ଥିକ ଲକ୍ଷ୍ୟଗୁଡ଼ିକୁ ହାସଲରେ ଅନ୍ୟତମ ସର୍ବୋତ୍ତମ ମାଧ୍ୟମ। ଏସ୍‌ଆଇପି କଲେକ୍ସନ ଗତ ଏକ ବର୍ଷ ମଧ୍ୟରେ ବହୁମାତ୍ରାରେ ବୃଦ୍ଧି ପାଇବା ଏହି ବିଶ୍ୱାସକୁ ଅଧିକ ସୁଦୃଢ କରୁଛି।

Advertisment

ସେ କହିଛନ୍ତି, ଏସ୍‌ଆଇପି ବୃଦ୍ଧିର ଅନେକ କାରଣ ରହିଛି। ଅଧିକରୁ ଅଧିକ ନିବେଶକ ଅନୁଭବ କରୁଛନ୍ତି ଯେ, ସଂଚୟ ହେଉ କିମ୍ବା ଅବସର, ନିଜ ପିଲାଙ୍କ ଶିକ୍ଷା ପାଇଁ କିମ୍ବା ଘର କିଣିବା ଭଳି ନିଜର ଆର୍ଥିକ ଲକ୍ଷ୍ୟଗୁଡିକୁ ହାସଲ କରିବା ପାଇଁ ପାଣ୍ଠି ସୃଷ୍ଟି କରିବାର ଏକ ଉନ୍ନତ ମାଧ୍ୟମ। ଦ୍ୱିତୀୟତଃ ବଜାର ଅସ୍ଥିରତାର ଲାଭ ଉଠାଇବାରେ ଏସ୍‌ଆଇପି ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ନିବେଶକମାନେ ହୃଦ୍‌ବୋଧ କରୁଛନ୍ତି। ଏସବୁ ଦୃଷ୍ଟିରୁ ଚଳିତ ଆର୍ଥିକ ବର୍ଷରେ ମଧ୍ୟ ଏସ୍‌ଆଇପି କଲେକ୍ସନରେ ଏଭଳି ବୃଦ୍ଧିର ଧାରା ଜାରି ରହିବ ବୋଲି ବୋଲି ଶ୍ରୀ ପରିଜା କହିଛନ୍ତି।