ନୂଆଦିଲ୍ଲୀ: ବ୍ୟାଙ୍କ ସଂଘ ଓ ଭାରତୀୟ ବ୍ୟାଙ୍କଗୁଡ଼ିକର ସଂଘ (ଆଇବିଏ) ମଧ୍ୟରେ ବେତନ ବୁଝାମଣାକୁ ନେଇ ଆଜି ବୁଝାମଣା ହୋଇଛି। ବ୍ୟାଙ୍କ କର୍ମଚାରୀମାନଙ୍କ ବେତନରେ ୧୫% ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ବ୍ୟାଙ୍କଗୁଡ଼ିକର ବେତନ ଜନିତ ବ୍ୟୟ ୭୯୦୦ କୋଟି ଟଙ୍କା ବୃଦ୍ଧି ପାଇବ। ସେଥି ମଧ୍ୟରୁ ୩୩୮୫ କୋଟି ଟଙ୍କା ଅଣ-ଅଧିକାରୀଙ୍କ ବେତନ ବାବଦରେ ଏବଂ ବଳକା ଅର୍ଥରାଶି ଅଧିକାରୀମାନଙ୍କୁ ବେତନ ଦେବାରେ ବ୍ୟୟ ହେବ। ୨୦୧୭ ନଭେମ୍ବରରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସମୟ ପାଇଁ ଏହି ବେତନ ବୁଝାମଣା ହୋଇଛି। ଦୀପାବଳି ପୂର୍ବରୁ ବ୍ୟାଙ୍କ କର୍ମଚାରୀମାନଙ୍କୁ ବକେୟା ବେତନ ମିଳିଯିବ ବୋଲି କୁହାଯାଇଛି। କିନ୍ତୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ। ବେତନ ବୃଦ୍ଧି ସମୟର ଟଙ୍କାକୁ ଚଳିତ ବର୍ଷ ନଭେମ୍ବର ୧ରୁ ପ୍ରଭାବୀ ଭାବେ ଜାରି କରାଯିବ ବୋଲି ବ୍ୟାଙ୍କର ଅଫିସର ସଂଘଗୁଡ଼ିକ ପକ୍ଷରୁ କୁହାଯାଇଛି। ଆଇବିଏ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରତିଦ୍ବନ୍ଦ୍ବିତାର ଭାବ ଜାଗ୍ରତ କରିବା ଏବଂ ପ୍ରଦର୍ଶନ ଲାଗି ପୁରସ୍କାର ଦେବା ପାଇଁ ପ୍ରଥମ ଥର ଲାଗି ପ୍ରଦର୍ଶନ ସହ ଜଡ଼ିତ ପେମେଣ୍ଟ୍ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ବେତନ ବୁଝାମଣାରେ ୨୯ଟି ବ୍ୟାଙ୍କ ସାମିଲ ଥିଲେ। ସେଥି ମଧ୍ୟରୁ ୧୨ଟି ସରକାରୀ ବ୍ୟାଙ୍କ ହୋଇଥିବା ବେଳେ ୧୦ଟି ଘରୋଇ କ୍ଷେତ୍ରର ବ୍ୟାଙ୍କ ଓ ସାତଟି ବିଦେଶୀ ବ୍ୟାଙ୍କ ରହିଛନ୍ତି। ଆଇବିଏ ସହିତ ହୋଇଥିବା ବୁଝାମଣା ଯୋଗୁଁ ବ୍ୟାଙ୍କ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ। ଚାରିଟି ବ୍ୟାଙ୍କ ସଂଘ ଯଥା ସର୍ବଭାରତୀୟ ବ୍ୟାଙ୍କ ଅଫିସରଙ୍କ ମହାସଂଘ (ଏଆଇବିଓସି), ସର୍ବଭାରତୀୟ ବ୍ୟାଙ୍କ ଅଫିସରଙ୍କ ସଂଘ (ଏଆଇବିଓଏ), ଭାରତୀୟ ଜାତୀୟ ବ୍ୟାଙ୍କ ଅଧିକାରୀ କଂଗ୍ରେସ (ଆଇଏନବିଓସି) ଓ ଜାତୀୟ ବ୍ୟାଙ୍କ ଅଧିକାରୀଙ୍କ ସଂଗଠନ )ଏନ୍ଓବିଓ) ପକ୍ଷରୁ ମିଳିତ ଭାବେ ଜାରି କରାଯାଇଥିବା ବିଜ୍ଞକ୍ତିରେ କୁହାଯାଇଛଇ ଯେ ପ୍ରଥମ ଥର ଲାଗି ସମସ୍ତଙ୍କ ପାଇଁ ଏକପ୍ରକାର ମୂଳ ବେତନ, ମହଙ୍ଗା ଭତ୍ତା, ଘର ଭଡ଼ା ଭତ୍ତା, ସ୍ବତନ୍ତ୍ର ଭତ୍ତା ଏବଂ ପରିବହନ ଭତ୍ତାକୁ ଦେଶର ସମସ୍ତ ଅଞ୍ଚଳ ପାଇଁ ଲାଗୁ କରାଯାଇଛି। ସର୍ବଭାରତୀୟ ସ୍ତରରେ ଏଚ୍ଆର୍ଏ ୧୦.୫ ପ୍ରତିଶତ ରହିଛି।
ବ୍ୟାଙ୍କ କର୍ମଚାରୀମାନେ ମୂଳତଃ ତିନିଟି ଦାବି କରୁଥିଲେ। ତାହା ଥିଲା କେନ୍ଦ୍ରୀୟ ବେତନ କମିସନ ଆଧାରରେ ଦରମା, ସପ୍ତାହକୁ ପାଂଚ ଦିନ କାର୍ଯ୍ୟଦିବସ ଏବଂ ଫାମିଲି ପେନ୍ସନ୍ରେ ଉନ୍ନତି। ପ୍ରଥମ ଦୁଇଟି ଦାବି ହାସଲ ହୋଇନାହିଁ। ଫାମିଲି ପେନ୍ସନ୍ ସଂକ୍ରାନ୍ତ ଦାବି ସରକାରଙ୍କ ନିକଟକୁ ପଠାଯିବ ବୋଲି ଆଇବିଏ ପ୍ରତିଶ୍ରୁତି ଦେଇଛି। ସ୍କେଲ୍ ୫ ଅଫିସରମାନେ ଚଳିତ ବର୍ଷ ନଭେମ୍ବରରୁ ଗୋଟିଏ ଷ୍ଟାଗନେସନ ଇନକ୍ରିମେଣ୍ଟ୍ ପାଇବେ। ଏହାର ଅବଧି ଦୁଇ ବର୍ଷିଆ ରହିବ ଏବଂ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କ ପାଇଁ ନୋସନାଲିଟି ପିରିଅଡସିଟି ୨୦୧୭ ନଭେମ୍ବର ପରଠାରୁ ପ୍ରତି ଦୁଇ ବର୍ଷର ରହିବ। ବେତନ ବୃଦ୍ଧି ନେଇ ବୁଝାମଣା ହୋଇଥିବାରୁ ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ, ଓଡ଼ିଶାର ସଭାପତି ଦାମୋଦର ନନ୍ଦ ଆଇବିଏକୁ କୃତଜ୍ଞତା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/salary.jpg)