ଲାଭଦାୟକ ସଂସ୍ଥାରେ ନିବେଶ ବଢ଼ାଅ, ସରକାରଙ୍କୁ ରାଜନଙ୍କ ପରାମର୍ଶ

ଲାଭଦାୟକ ସଂସ୍ଥାରେ ନିବେଶ ବଢ଼ାଅ

ନୂଆଦିଲ୍ଲୀ: କରୋନା ଭଳି ମହାମାରୀ ସମୟରେ ସରକାର ଲାଭଦାୟକ ଉଦ୍ୟୋଗରେ ନିବେଶ ପରିମାଣ ବଢ଼ାଇବା ଆବଶ୍ୟକ। କାରଣ ଅର୍ଥନୀତି ପାଇଁ ଏହା ଅଧିକ ଲାଭପ୍ରଦ ହେବ ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ସାଧାରଣ ସମୟରେ ଦେଖାଦେଉଥିବା ମାନ୍ଦାବସ୍ଥା ତୁଳନାରେ ମହମାରୀ ବେଳେ ଅର୍ଥନୀତି ଅଧିକ କ୍ଷତି ସହିଛି। ଉଭୟ ପାରିବାରିକ ଏବଂ ଉଦ୍ୟୋଗ ଜଗତର କ୍ଷତି ହୋଇଛି। ତେଣୁ ଏସବୁ କ୍ଷେତ୍ରର କ୍ଷତି ଭରଣା କରାଯିବା ସହିତ ପ୍ରୋତ୍ସାହନ ପ୍ୟାକେଜ ମଧ୍ୟ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଜାତୀୟ ପ୍ରୟୋଗାତ୍ମକ ଅର୍ଥନୈତିକ ଗବେଷଣା ପରିଷଦ (ଏନସିଏଇଆର)ର ଭାରତ ନୀତି ଫୋରମ୍ ୨୦୨୦ରେ ଉଦବୋଧନ ଦେଇ ସରକାରଙ୍କୁ ଏଭଳି ପରାମର୍ଶ ରାଜନ ଦେଇଛନ୍ତି।

ଅର୍ଥନୀତିକୁ ସୁଧାରିବା ପାଇଁ ବ୍ୟୟ ଓ ବିତ୍ତୀୟ ନିଅଣ୍ଟର ନିରାପଦ ସ୍ତର କ’ଣ ବୋଲି ବ୍ୟୟ ସଚିବ ଟି ଭି ସୋମନାଥନ୍ ପଚାରିଥିଲେ। ଏହାର ଉତ୍ତରରେ ରାଜନ କହିଥିଲେ ଦୀର୍ଘ ଅବଧିରେ ଅର୍ଥନୀତିରେ ସୁଧାର ଆଣିବାକୁ ହେଲେ ଲାଭଦାୟକ ଉଦ୍ୟୋଗରେ ସରକାରଙ୍କୁ ଅଧିକ ନିବେଶ କରିବାକୁ ହେବ। ବର୍ତ୍ତମାନର ପରିସ୍ଥିତି ଯାହା ଖର୍ଚ୍ଚକୁ ଯେଉଁଠି ନାହିଁ ସେଠି କରାଯାଇ ପାରିବ ନାହିଁ। ତେଣୁ ବର୍ତ୍ତମାନ ବିପଦରେ ଥିବା ଲାଭଦାୟକ ଉଦ୍ୟୋଗରେ ନିବେଶ କରିବାର ଆବଶ୍ୟକତା ରହିଛି। କାରଣ ସେଗୁଡ଼ିକ ଗତ ୪ ମାସ ହେଲା କୌଣସି ରାଜସ୍ବ ପାଇପାରି ନାହାନ୍ତି। କିନ୍ତୁ ସେମାନଙ୍କ ଖର୍ଚ୍ଚ କମିନାହିଁ। ବର୍ତ୍ତମାନ ସମୟରେ ଏଭଳି ନିଷ୍ପତ୍ତି ନିଆଯିବା ଉଚିତ୍ ବୋଲି ରାଜନ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସରକାର ଗତ ମାର୍ଚ୍ଚ ୨୫ରୁ ଲକଡାଉନ୍‌ ଘୋଷଣା କରିଥିଲେ। କିନ୍ତୁ ଜୁନ୍ ପହିଲାରୁ ପର୍ଯ୍ୟାୟକ୍ରମେ ଅର୍ଥନୀତିକୁ ଖୋଲିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର