ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇସ୍ପାତ ଓ ଖଣି ବିଭାଗର କାର୍ଯ୍ୟାବଳୀ ନେଇ ସମୀକ୍ଷା କରିଛନ୍ତି। ବୈଠକରେ ଖଣିଭିତ୍ତିକ ଶିଳ୍ପାନୁଷ୍ଠାନ ପାଇଁ ଖଣି ଗୁଡିକର ସୁପରିଚାଳନା କରି ଉତ୍ପାଦନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ବାରୋପ କରିଥିଲେ। ଏଥିସହିତ ରାଜ୍ୟରେ ଖଣି ରାଜସ୍ବର ଅଭିବୃଦ୍ଧି ପାଇଁ ପଦକ୍ଷେପ ନେବା ଏବଂ ବେନିୟମ ଖଣି ଖନନ ଓ ଖଣିଜ ପଦାର୍ଥର ଚୋରିକୁ ରୋକିବା ପାଇଁ ଅଧିକ ମାନବ ସମ୍ବଳ ସହିତ ପ୍ରବର୍ତ୍ତନ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ସେ ପରାମର୍ଶ ଦେଇଥିଲେ। ଲଘୁ ଖଣିଜ ପଦାର୍ଥ କ୍ଷେତ୍ରରେ ଅଧିକ ଲିଜ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
ସମୀକ୍ଷାରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ବିଭାଗର କାର୍ଯ୍ୟ ବିଷୟରେ ଅବଗତ କରାଇବା ସହିତ ଆଗାମୀ ଲକ୍ଷ୍ୟ ବାବଦରେ ସୂଚନା ଦେଇଥିଲେ। ବୈଠକରେ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମୁଖ୍ୟ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପରିଲକ୍ଷିତ ଭୂତାତ୍ତ୍ବିକ ସମ୍ଭାବନା ଅଞ୍ଚଳ ୫୫,୦୦୩ ବର୍ଗ କିଲୋମିଟର। କ୍ରୋମାଇଟ୍, ବକ୍ସାଇଟ୍, ଲୌହ ପଥର ଭଳି ଖଣିଜ ପଦାର୍ଥ ଉତ୍ପାଦନ କ୍ଷେତ୍ରରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ ଅଛି। ସେହିଭଳି କୋଇଲା ଉତ୍ପାଦନ କ୍ଷେତ୍ରରେ ଦ୍ବିତୀୟ ଓ ମାଙ୍ଗାନିଜ ଉତ୍ପାଦନରେ ତୃତୀୟ ସ୍ଥାନରେ ଅଛି ।