ଆହୁରି ବଢ଼ିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଇରାନରେ ଦେଖାଦେଇଥିବା ଅସ୍ଥିରତାର ପ୍ରଭାବ ଅଶୋଧିତ ତୈଳ ବଜାର ଉପରେ ପଡ଼ିଛି। ଫଳରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୬୮ ଡଲାରରେ ପହଞ୍ଚିଯାଇଛି। ଯଦି ଆଗକୁ ଦର ଏଭଳି ଭାବେ ବଢ଼ିଚାଲିବ ତେବେ ଭାରତରେ ଲୋକମାନଙ୍କୁ ପେଟ୍ରୋଲ ଓ ଡିଜେଲ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ସରକାର ପେଟ୍ରୋଲ ଓ ଡିଜେଲ ଦର ନିର୍ଧାରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣମୁକ୍ତ କରିଦେଇଛନ୍ତି। ଆନ୍ତର୍ଜାତିକ ଦର ବୃଦ୍ଧିକୁ ତେଲ କଂପାନିଗୁଡ଼ିକ ଗ୍ରାହକଙ୍କ ମୁଣ୍ଡ ଉପରେ ଲଦିବାକୁ ପ୍ରୟାସ କରିଲେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢ଼ିଯିବ। ଭୁବନେଶ୍ୱରରେ ଏବେ ପେଟ୍ରୋଲର ଲିଟର ପିଛା ଦର ୬୮ ଟଙ୍କା ୮୭ ପଇସା ଥିବା ବେଳେ ଡିଜେଲ ଦର ୬୪ ଟଙ୍କା ୨୭ ପଇସା ରହିଛି। ଆନ୍ତର୍ଜାତିକ ବଜାରରେ ବ୍ରେଣ୍ଟ୍‌ କ୍ରୁଡ୍‌ ଦର ୬୭,୯୦ ଡଲାରରେ ପହଞ୍ଚିଯାଇଛି। ସେହି ସମୟରେ ୟୁଏସ୍‌ କ୍ରୁଡ୍‌ ମୂଲ୍ୟ ୬୧.୮୬ ଡଲାର ହୋଇଛି। ୨୦୧୫ ମେ’ ପରେ ଅଶୋଧିତ ତୈଳର ଏହା ହେଉଛି ସର୍ବୋଚ୍ଚ ସ୍ତର।

ଭାରତ ଏହାର ୮୨% ତୈଳ ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରୁଛି। ତେଲ ଆମଦାନି କରିବା ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ ହେଉଛି। ଦେଶର ଚଳନ୍ତି ଖାତା ନିଅଣ୍ଟ (ଆମଦାନି ଏବଂ ରପ୍ତାନି ମଧ୍ୟରେ ଅନ୍ତର) ବଢ଼ାଇବାରେ ତେଲ ଆମଦାନିର ଅବଦାନ ସର୍ବାଧିକ। ତେଣୁ ତେଲ ଦରରେ କୌଣସି ପ୍ରକାର ବୃଦ୍ଧି ଦେଶର ଆର୍ଥିକ ଶୃଙ୍ଖଳାକୁ ମଧ୍ୟ ବିଗାଡ଼ିବ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ଅନ୍ୟ ସାମଗ୍ରୀ ଦରଦାମ ବୃଦ୍ଧି ସହିତ ସିଧାସଳଖ ସମ୍ପର୍କ ରହିଛି। ୨୦୧୮ରେ ଯଦି ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦର ୬୦ ଡଲାର ପାଖାପାଖି ରହିବ ତେବେ ଭାରତକୁ ଏତେଟା ସମସ୍ୟା ହେବ ନାହିଁ। କିନ୍ତୁ ଯଦି ତାହା ୭୦-୭୫ ଡଲାର ସ୍ତରରେ ପହଞ୍ଚିଯିବ ତେବେ ବହୁତ କିଛି ସମସ୍ୟା ଦେଖାଦେବ। ଏହା ମୁଦ୍ରାସ୍ଫୀତିକୁ ବେଲଗାମ କରିଦେବ। ଫଳ ସ୍ୱରୂପ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁଧ କମ୍‌ କରିବ ନାହିଁ।

ଇରାନ ଅସ୍ଥିରତାର ହଠାତ ପ୍ରଭାବ ପଡ଼ିବନି
ଇରାନରେ ଯେଉଁ ଅସ୍ଥିରତା ଦେଖାଦେଇଛି ତାହାର କୌଣସି ତତ୍କାଳ ପ୍ରଭାବ ଭାରତୀୟ ବଜାରରେ ଉପରେ ପଡ଼ିବ ନାହିଁ ବୋଲି ତେଲ ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି। ଇରାନର ଅସ୍ଥିରତା ପ୍ରତି ଆମେରିକାର ଆଭିମୁଖ୍ୟ କ’ଣ ରହିବ ତା’ଉପରେ ସବୁ କିଛି ନିର୍ଭର କରୁଛି। ଇରାନରେ ଦେଖାଦେଇଥିବା ଅସ୍ଥିରତାର କୌଣସି ପ୍ରକାର ତୈଳ ଉତ୍ପାଦନ କିମ୍ବା ରପ୍ତାନି ଉପରେ ପଡ଼ିନାହିଁ।

ଦର ୧୦ ଡଲାର ବଢ଼ିଲେ କ’ଣ ହେବ?
ନିକଟରେ ୟୁବିଏସ୍‌ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅଶୋଧିତ ତୈଳ ଦରରେ ୧୦% ବୃଦ୍ଧି ହେଲେ ଭାରତରେ ତାହା ମୁଦ୍ରାସ୍ଫୀତିରେ ୦.୨୫% ବୃଦ୍ଧିର କାରଣ ହୋଇଥାଏ। କେବଳ ସେତିକି ନୁହେଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦରରେ ୧୦ ଡଲାର ବୃଦ୍ଧି ହେଲେ ଚଳନ୍ତୀ ଜମା ନିଅଣ୍ଟ ୮୦୦ କୋଟି ଡଳାର ବଢ଼ିଯାଏ। ତୈଳ ସବ୍‌ସିଡି ବାବଦ ଖର୍ଚ ୨୦୦ କୋଟି ଡଲାର ବୃଦ୍ଧି ପାଏ ଏବଂ ତାହା ଜିଡିପିରେ ୦.୩୦% ହ୍ରାସର କାରଣ ହୋଇଥାଏ।

ସମ୍ବନ୍ଧିତ ଖବର