ସମ୍ପ୍ରସାରିତ ହେଲା ଉଜ୍ଜ୍ୱଳା ଯୋଜନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ସମ୍ପ୍ରସାରଣ କରାଯାଇଛି। ପୂର୍ବରୁ ଏହି ଯୋଜନାର ହିତାଧିକାରୀ ତାଲିକା ଏସ୍‌ଇସିସି ତାଲିକାରେ ସୀମିତ ଥିଲା। ଏଣିକି ଏସ୍‌ଇସିସି ତାଲିକା ବାହାରେ ଥିବା ସମାଜର ବହୁ ଗରିବ ବର୍ଗ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ୍‌ ହୋଇପାରିବେ। କେନ୍ଦ୍ର ସରକାର ବଜେଟ୍‌ରେ ଏପରି ନିଷ୍ପତ୍ତିି ନେଇଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍‌ି।

ଶ୍ରୀ ପ୍ରଧାନ କହିଛନ୍ତି, ୫ କୋଟି ପରିବାରରେ ଉଜ୍ଜ୍ୱଳା ଯୋଜନା ପହଞ୍ଚିବା ପାଇଁ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ଏହି ପରିବାର ସଂଖ୍ୟା ୮ କୋଟି ପର୍ଯ୍ୟନ୍ତ ନିଆଯିବ। ସମାଜର ବହୁ ଗରିବ ମହିଳା ବର୍ଗଙ୍କୁ ଏଥିରେ ସାମିଲ୍‌ କରିବା ପାଇଁ ବଜେଟ୍‌ରେ ବ୍ୟୟବରାଦ କରାଯାଇଛି। ଏଥି ପାଇଁ କେନ୍ଦ୍ର ସରକାର ୪,୮୦୦ କୋଟିର ବ୍ୟୟବରାଦ କରିଛନ୍ତି। ବିସ୍ତାରିତ ହିତାଧିକାରୀ ତାଲିକାରେ ଏସ୍‌ଇସିସି ତାଲିକା ବାହାରେ ସମସ୍ତ ତଫସିଲ୍‌ଭୁକ୍ତ ଜାତି ଓ ଜନଜାତି ପରିବାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ, ଅନ୍ତୋଦୟ ଅନ୍ନ୍‌ ଯୋଜନାର ହିତାଧିକାରୀ, ଜଙ୍ଗଲରେ ବସବାସ କରୁଥିବା ପରିବାର, ଅତି ପଛୁଆ ବର୍ଗ, ଚା’ ବଗିଚାରେ କାମ କରୁଥିବା ପରିବାର, ଦ୍ୱୀପାଞ୍ଚଳ ଓ ନଦୀ ଅଞ୍ଚଳରେ ରହୁଥିବା ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଲାଭ ମିଳିପାରିବ।

ଶ୍ରୀ ପ୍ରଧାନ ଆହୁରି ସୂଚନା ଦେଇଛନ୍ତି, ଓଡ଼ିଶାର ୪୦ ପ୍ରତିଶତ ପରିବାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ରାଜ୍ୟର ୪୮୦ କିମିର ବେଳାଭୂମି, ନଦୀ ଓ ଦ୍ୱୀପପୁଞ୍ଜ ଅଞ୍ଚଳରେ ରହୁଥିବା ବ୍ୟକ୍ତି, ଜଙ୍ଗଲ ଭିତରେ ରହୁଥିବା ଅଣଆଦିବାସୀ ଏହି ଯୋଜନାର ହିତାଧିକାରୀ ତାଲିକାରେ ସାମିଲ୍‌ ହେବା କାରଣରୁ ଓଡ଼ିଶାର ଲୋକମାନଙ୍କୁ ଏହି ଯୋଜନାର ସିଂହ ଭାଗ ମିଳିବ।  ସୂଚନାଯୋଗ୍ୟ ଯେ ୨୦୧୬ ମସିହା ମାର୍ଚ୍ଚ ମାସରେ ୫ କୋଟି ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯେଜାନାରେ ସାମିଲ୍‌ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୦୧୬ ଜୁନ୍‌ରେ ପ୍ରଧାନମନ୍ତ୍ରୀ ଏହାକୁ ଲୋକାର୍ପିତ କରିଥିଲେ। ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଯୋଜନାରେ ୩ କୋଟି ନୂଆ ଏଲ୍‌ପିଜି ସଂଯୋଗ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ଏ ପର୍ଯ୍ୟନ୍ତ ୩.୩୬ କୋଟି ନୂଆ ଏଲ୍‌ପିଜି ସଂଯୋଗ ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର