ଭୁବନେଶ୍ବର: ଆନ୍ତର୍ଜାତିକ ବଜାରରେ ବର୍ତ୍ତମାନ ଚିଙ୍ଗୁଡ଼ିର ଅହେତୁକ ମୂଲ୍ୟ ହ୍ରାସ ଘଟିଛି। ଏଥିସହିତ ୟୁରୋପ ଓ ଆମେରିକା ବଜାରର ମାନ୍ଦାବସ୍ଥା ଚିଙ୍ଗୁଡ଼ି ଉଦ୍ୟୋଗ ବର୍ତ୍ତମାନ ଭୟଙ୍କର ଆର୍ଥିକ ସ୍ଥିତି ଦେଇ ଗତି କରୁଛି। ଏଥିପାଇଁ ଚିଙ୍ଗୁଡ଼ି ଚାଷୀମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ଏହି ସମୟରେ ଟାଟା ପାୱାର ପୂର୍ବରୁ ନିର୍ଦ୍ଧାରିତ ଦର ୟୁନିଟ୍ ପିଛା ୩ଟଙ୍କା ପରିବର୍ତ୍ତେ ୫ ଟଙ୍କା‌ ୮୫ପଇସାକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପୂର୍ବାପର ସମ୍ପର୍କ ସହିତ ରପ୍ତାନିକାରୀ ସଂସ୍ଥାଙ୍କ ଉପରେ କୋଟି କୋଟି ଟଙ୍କା ଜରିମାନା ପକାଇଛି। ୨୦୦୮-୦୯ ରେ ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନି ୩୫୦ କୋଟି ଥିବାବେଳେ ବର୍ତ୍ତମାନ ତାହା ୪୫୦୦ କୋଟିରେ ପହଞ୍ଚିପାରିଛି। ସାମ୍ପ୍ରତିକ ସମୟରେ ଚିଙ୍ଗୁଡ଼ି ରପ୍ତାନିରେ ବୃଦ୍ଧି ଯୋଗୁ ଓଡ଼ିଶାରେ ୧୬ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ଯାହା ଭିତରୁ ପାଖାପାଖି ଅର୍ଦ୍ଧାଧିକ ମହିଳା ନିଯୁକ୍ତ ହୋଇପାରିଛନ୍ତି।

Advertisment

ଟାଟା ପାୱାର ବୃଦ୍ଧି କରିଥିବା ଦର ଯୋଗୁ ଚିଙ୍ଗୁଡ଼ିର ପ୍ରସ୍ତୁତି ମୂଲ୍ୟ ହାରାହାରି କିଲୋ ପିଛା ୨୦ ଟଙ୍କା ବୃଦ୍ଧି ପାଇବ ଏବଂ ଏହାଦ୍ବାରା ରପ୍ତାନିକାରୀ ସଂସ୍ଥା ମାନଙ୍କର କ୍ଷତି ବି ବଢ଼ିବ। ଏହି ପରିସ୍ଥିତିରେ ଅନେକ ଚିଙ୍ଗୁଡ଼ି ରପ୍ତାନିକାରୀ ସଂସ୍ଥା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେବା କିମ୍ବା ଉଦ୍ୟୋଗ ବନ୍ଦ ପାଇଁ ଚିନ୍ତା କରୁଛନ୍ତି। ଯଦି ଟାଟା ପାୱାର ତାର ମନମୁଖୀ ଅମାନବୀୟ ବ୍ୟବସାୟ ମାରଣ କାର୍ଯ୍ୟରୁ ନିବୃତ୍ତ ନହୁଏ ଓ ପୁରୁଣା ବ୍ୟବସ୍ଥା ଅନୁସାରେ ବିଜୁଳି ଦରକୁ ବଳବତ୍ତର ନରଖେ ତେବେ ଆଗକୁ ପରିସ୍ଥିତି ଭୟାବହ ହେବା ନିଶ୍ଚିତ। ଭାରତୀୟ ମତ୍ସ୍ୟ ରପ୍ତାନିକାରୀ ସଂଘର ଓଡ଼ିଶା ଶାଖା ଏଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ଅନୁରୋଧ କରିଛି। ରପ୍ତାନିକାରୀ ସଂସ୍ଥା ମାନେ କିପରି ଆଗକୁ ବଢ଼ିବେ ଏବଂ ଏହି ଚାଷ ଓ ବ୍ୟବସାୟ ସହ ଜଡ଼ିତ ମତ୍ସ୍ୟଚାଷୀ ଓ କର୍ମଜୀବୀମାନଙ୍କର ଭବିଷ୍ୟତ ସୁରକ୍ଷିତ ରହିବ ତାହାକୁ ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ କୁହାଯାଇଛି।