ମୁମ୍ବାଇ :ଦରଦାମ୍ ସ୍ଥିତିର ମୁକାବିଲା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଦିନ ପୁଣି ଥରେ ରେପୋ ହାରରେ ୦.୫୦% ବୃଦ୍ଧି କରିଛି। ଏହାର ପ୍ରଭାବରେ ଇଏମ୍ଆଇ ବଢ଼ିବ। ବିଶେଷ କରି ଘର ଓ ଗାଡ଼ି କିଣିବା ଲାଗି ଋଣ ନେଇଥିବା ଗ୍ରାହକ ଓ ନୂଆ ଋଣ ନେବାକୁ ଚାହୁଥିବା ଲୋକମାନଙ୍କୁ ସୁଧ ଆକାରରେ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଆଜି ରେପୋ ହାର ୦.୫୦% ବୃଦ୍ଧି ପାଇବା ପରେ ତାହା ୫.୪%ରେ ପହଞ୍ଚିଛି। ୨୦୧୯ ପରେ ପ୍ରଥମ ଥର ଲାଗି ଏହା ଏଭଳି ଉଚ୍ଚ ସ୍ତରରେ ରହିଛି। ଗତ ୯୩ ଦିନ ଭିତରେ ରିଜର୍ଭ ବ୍ୟାଙ୍କ ଏହାର ସୁଧରେ ୧.୪୦ ପ୍ରତିଶତ ବୃଦ୍ଧି କରିସାରିଲାଣି।
ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ମୁଦ୍ରାସ୍ଫୀତି ହାର ୬.୭% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। କିନ୍ତୁ, ଜିଡିପି ଅଭିବୃଦ୍ଧି ଆକଳନକୁ ଏହା ୭.୨%ରେ ଅପରିବର୍ତ୍ତିତ ରଖିଛି। ମୁଦ୍ରାନୀତି ସମୀକ୍ଷା ବିଷୟରେ ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ୦.୫୦% ସୁଧ ବଢ଼ାଇବା ଏବେ ଏକ ସ୍ବାଭାବିକ ପଦକ୍ଷେପ। କେବଳ ଭାରତ ନୁହେଁ ବିଶ୍ବର ଅନ୍ୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଏହି ହାରରେ ସୁଧ ବଢ଼ାଉଛନ୍ତି। କିଛି ଦେଶରେ ୦.୭୫%-୧% ଭଳି ଉଚ୍ଚ ହାରରେ ସୁଧ ବୃଦ୍ଧି ପାଉଥିବା ସେ କହିଛନ୍ତି। ସାରା ବିଶ୍ବରେ ସୁଧ ବଢ଼ାଇ ଦରଦାମ୍ ମୁକାବିଲା ଲାଗି ଲଢ଼େଇ ଚାଲିଛି।
ଦରଦାମ୍ ମୁକାବିଲା ଲାଗି ସୁଧ ୦.୫୦% ବଢ଼ିଲା
ମୁଦ୍ରାସ୍ଫୀତି ୬.୭%, ଅଭିବୃଦ୍ଧି ୭.୨% ରହିବ
ତାଇୱାନ ଘଟଣା ଭାରତକୁ ପ୍ରଭାବିତ କରିବନି
ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରି ଫେରିବା ପରେ ତାଇୱାନ୍ ଓ ଚୀନ୍ ମଧ୍ୟରେ ଯେଉଁ ଉତ୍ତେଜନା ଦେଖାଦେଇଛି ତାହା ଭାରତକୁ ପ୍ରଭାବିତ କରିବ ନାହିଁ। ଭାରତର ମୋଟ କାରବାରରେ ତାଇୱାନ୍ର ଅବଦାନ ମାତ୍ର ୦.୭ ପ୍ରତିଶତ ରହିଛି। ଏହି ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି (ଏଫ୍ଡିଆଇ) ମଧ୍ୟ ଏତେ ଅଧିକ ନୁହେଁ। ସେଥିପାଇଁ ସେଠାରେ ଘଟୁଥିବା ଘଟଣା ଦ୍ବାରା ଭାରତ ପ୍ରଭାବିତ ହେବ ନାହିଁ ବୋଲି ଶକ୍ତିକାନ୍ତ କହିଛନ୍ତି।
ଝଡ଼ର ମହାସାଗରରେ ଭାରତ ସ୍ଥିରତାର ଦ୍ବୀପ: ଶକ୍ତିକାନ୍ତ
ଭାରତୀୟ ଅର୍ଥନୀତିକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅର୍ଥନୈତିକ ସ୍ଥିରତାର ଦ୍ବୀପ ଭାବେ ବର୍ଣ୍ଣନା କହିଛନ୍ତି। ବିଶ୍ବରେ ଘଟୁଥିବା ଘଟଣାଗୁଡ଼ିକୁ ସେ ମହାସାଗରର ଝଡ଼ ବୋଲି କହିବା ସହ ଭାରତକୁ ସ୍ଥିର ଦ୍ବୀପ ବୋଲି କହିଛନ୍ତି। ଦୁଇଟି ବଡ଼ ଘଟଣା ଓ ବହୁ ଧକ୍କା ଲାଗିବା ସତ୍ତ୍ବେ ଭାରତ ସ୍ଥିର ରହିଛି ବୋଲି ସେ କହିଛନ୍ତି। କରୋନା ମହାମାରୀ ଏବଂ ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ସେ ବଡ଼ ଘଟଣା ବୋଲି କହିଛନ୍ତି। ସେଥିପାଇଁ ବିଶ୍ବରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଛି। ଏଭଳିକି ଆମେରିକା, ବ୍ରିଟେନ୍ ଭଳି ଦେଶ ଏହି ସ୍ଥିତିର ମୁକାବିଲା କରିବାକୁ ସଂଘର୍ଷ କରୁଛନ୍ତି।