ପିଏମ୍‌ କେୟାରସ୍‌ ପାଇଁ ସ୍ବାଧୀନ ଅଡିଟର୍‌, ପିଏମ୍‌ଓ ହେବ ମୁଖ୍ୟ କାର୍ଯ୍ୟାଳୟ

ନୂଆଦିଲ୍ଲୀ: କୋଭିଡ୍-୧୯ ସଙ୍କଟର ମୁକାବିଲା ଲାଗି ଦାନ ଓ ସହାୟତା ରାଶି ଆହ୍ବାନ କରିବା ଲାଗି ପିଏମ୍‌ କେୟାରସ୍‌ ଫଣ୍ଡ୍‌ ଗଠନ କରାଯାଇଥିଲା। ଏହି ଫଣ୍ଡ୍‌ ପାଇଁ ଦିଲ୍ଲୀର ସାର୍କ ଆସୋସିଏଟସ୍‌କୁ ସ୍ବାଧୀନ ଅଡିଟର୍‌ ଭାବେ ୩ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ସୁନୀଲ କୁମାର ଗୁପ୍ତାଙ୍କ ଦ୍ବାରା ପରିଚାଳିତ ହେଉଥିବା ଏହି ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ୍‌ ସଂସ୍ଥା ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ଫଣ୍ଡ୍‌ର ଅଡିଟ୍ କରିଥିଲା। ସା‌ଉଥ୍‌ ବ୍ଲକ୍‌ରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ପିଏମ୍‌ କେୟାରସ୍‌ର ମୁଖ୍ୟ କାର୍ଯ୍ୟାଳୟ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏଥି ସହିତ ଏହି ଫଣ୍ଡ୍‌ର ପରିଚାଳନା ପାଇଁ ପିଏମ୍‌ଓର ଦୁଇ ଜଣ ଅଧିକାରୀ ଅବୈତନିକ କର୍ମଚାରୀ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି। ପିଏମ୍‌ କେୟାରସ୍‌ ଫଣ୍ଡ୍‌ ପାଇଁ ଗତ ମାର୍ଚ୍ଚ ୨୭ରେ ଏକ ସାର୍ବଜନୀନ ଦାତବ୍ୟ ଟ୍ରଷ୍ଟ ଗଠନ କରି ତାହାକୁ ପଞ୍ଜୀକରଣ କରାଯାଇଛି। ଫଣ୍ଡ୍‌ର ଟ୍ରଷ୍ଟିମାନଙ୍କ ବୈଠକ ଏପ୍ରିଲ୍‌ ୨୩ରେ ହୋଇଥିଲା। ସେହି ବୈଠକରେ ଅଡିଟର୍‌ ନିଯୁକ୍ତ କରିବା ଓ ଅନ୍ୟାନ୍ୟ ନିଷ୍ପତ୍ତି ହୋଇଛି। ଅଡିଟର୍‌ ସଂସ୍ଥା ପ୍ରତି ଆର୍ଥିକ ବର୍ଷରେ ଫଣ୍ଡ୍‌ର ଅଡିଟ୍‌ କରି‌ବ।

ସମ୍ବନ୍ଧିତ ଖବର