ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଶିଳ୍ପ ସଂଘ ଫିକିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ବିକଶିତ ଭାରତ@୨୦୪୭: ବିକଶିତ ଭାରତ ଓ ଉଦ୍ୟୋଗ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀ ଠାକୁର ପ୍ରଥମେ ଟିକସଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କହିଥିଲେ ଯେ ସଚ୍ଚୋଟ ଟିକସଦାତାଙ୍କ ଯୋଗୁଁ ସରକାର ସଂଗୃହୀତ ଅର୍ଥର ପ୍ରତ୍ୟେକ ପଇସା ସାମାଜିକ କ୍ଷେତ୍ରରେ ବିନିଯୋଗ କରିବାରେ ସକ୍ଷମ ହୋଇଛନ୍ତି। ପୂର୍ବରୁ ଆବଣ୍ଟିତ ଅର୍ଥର ମାତ୍ର ଅଳ୍ପ କିଛି ଅଂଶ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚୁଥିଲା। କିନ୍ତୁ ପ୍ରଦାନ କରାଯାଉଥିବା ସମସ୍ତ ଟଙ୍କା ଯେପରି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଂଚିବ ତାହାକୁ ସରକାର ସୁନିଶ୍ଚିତ କରିଛନ୍ତି।

Advertisment

ଭାରତରେ ନିବେଶ ପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ସହ ଶିଳ୍ପପତିମାନେ ଭାଗୀଦାରି ସ୍ଥାପନ କରିବା ଆବଶ୍ୟକ

ପ୍ରତିଶ୍ରୁତି ପୂରଣ ପାଇଁ ସରକାରଙ୍କ ସଂକଳ୍ପର ଏକ ଉଦାହରଣ ବୋଲି ୟୁପିଆଇକୁ ଦର୍ଶାଇବା ସହିତ ସେ କହିଥିଲେ, ଯେତେବେଳେ ୟୁପିଆଇ ଆରମ୍ଭ ହୋଇଥିଲା ସେତେବେଳେ ଏହାର ଫଳପ୍ରଦତାକୁ ନେଇ ଅନେକ ସନ୍ଦେହ ଥିଲା। କିନ୍ତୁ ଆଜି ୟୁପିଆଇ ସମାଜର ସମସ୍ତ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିଛି। ଆଜି ବିଶ୍ୱର ମୋଟ ଡିଜିଟାଲ ଦେଣନେଣର ୪୬ ପ୍ରତିଶତ ଭାରତରେ ହେଉଛି ଏବଂ ଆମର ବୈଷୟିକ ଦକ୍ଷତାର ଅଭିବୃଦ୍ଧି ଉପରେ ବିଶ୍ୱ ନଜର ରଖିଛି ବୋଲି ସେ କହିଛନ୍ତି ।
ଗରିବ ଲୋକମାନଙ୍କ ଜୀବନର ଉନ୍ନତି ଦିଗରେ ସରକାରଙ୍କ ପ୍ରମୁଖ ଉପଲବ୍ଧି ଗୁଡ଼ିକ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ ୪୦ ନିୟୁତ ଘର, ୧୦୦ ନିୟୁତ ଶୌଚାଳୟ, ୧୦୦ ନିୟୁତରୁ ଅଧିକ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଥିବା ବେଳେ ୧୩୦ ନିୟୁତରୁ ଅଧିକ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରାଯାଇଛି । ୬୦୦ ନିୟୁତରୁ ଅଧିକ ଆୟୁଷ୍ମାନ ଭାରତ ହିତାଧିକାରୀ ଅଛନ୍ତି ଏବଂ ୮୦୦ ନିୟୁତରୁ ଅଧିକ ଲୋକ ମାଗଣା ଖାଦ୍ୟ ପାଉଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ ଯେ , ଜାତୀୟ ରାଜପଥ ନିର୍ମାଣ ୯୦ ହଜାର କିମିରୁ ୧୫୦ ହଜାର କିମିକୁ ବୃଦ୍ଧି ପାଇଛି। ବିମାନବନ୍ଦର ସଂଖ୍ୟା ୭୪ରୁ ୧୫୦କୁ ଦ୍ୱିଗୁଣିତ ହୋଇଛି। ଏମ୍ସ ସଂଖ୍ୟା ୭ରୁ ୨୩ କୁ ବୃଦ୍ଧି ପାଇଛି ଏବଂ ଆଇଆଇଟି ସଂଖ୍ୟା ୧୨ ରୁ ୧୯କୁ ବୃଦ୍ଧି ପାଇଛି ଏବଂ ଗ୍ରାମୀଣ ରାସ୍ତାର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇଛି । ଅନ୍ୟାନ୍ୟ ପଦକ୍ଷେପ ସହିତ ଏହି ସବୁ ପଦକ୍ଷେପ ଭାରତକୁ ଆଜି ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ରଖିଛି। ଶ୍ରୀ ଠାକୁର କହିଥିଲେ ଗତ ୧୦ ବର୍ଷ ମଧ୍ୟରେ ସରକାର ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ତାହା ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପଥରେ ନେଇଯିବ । ଯେଉଁମାନେ ଭାରତରେ ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ସହ ଭାଗୀଦାରି ସ୍ଥାପନ କରିବାକୁ ମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ରର ନେତୃତ୍ୱମାନଙ୍କୁ ଆହ୍ୱାନ ଦେଇଛନ୍ତି।