ଭାରତ ପୁଣି ଏକ ନମ୍ବର

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା, ବିକାଶ ହାର ୭.୨%କୁ ବଢ଼ିଲା

ନୂଆଦିଲ୍ଲୀ: ଭାରତ ପୁଣି ଥରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ଫେରିପାଇଛି। ୨୦୧୭ ଡିସେମ୍ବର ସୁଦ୍ଧା ଶେଷ ତ୍ରୈମାସିକରେ ଦେଶର ଅଭିବୃଦ୍ଧି ହାର ୭.୨% ରହିବାରୁ ଏହି ମାନ୍ୟତା ମିଳିଛି। କିଛି ମାସ ପୂର୍ବେ ଭାରତ ଏହି ମାନ୍ୟତା ହରାଇଥିଲା ଏବଂ ଚୀନ୍‌ ଏକ ନମ୍ବର ସ୍ଥାନ ଦଖଲ କରିନେଇଥିଲା। ଡିସେମ୍ବରର ଚୀନ୍‌ର ଅଭିବୃଦ୍ଧି ହାର ୬.୮% ରହିବାରୁ ଏହା ଦ୍ୱିତୀୟ ସ୍ଥାନକୁ ଖସିଯାଇଛି। ଭାରତର ଅଭିବୃଦ୍ଧି ହାର ୨୦୧୭ ଜୁଲାଇ-ସେପ୍ଟେମ୍ବରରେ ୬.୫% ଥିଲା। ଡିସେମ୍ବର ତ୍ରୈମାସିକରେ ତାହା ୭.୨%କୁ ବୃଦ୍ଧି ପାଇଛି। ଏହାର ୨୦୧୬ ଡିସେମ୍ବର ସୁଦ୍ଧା ଶେଷ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର ୬.୮% ଥିଲା। ସେବା କ୍ଷେତ୍ରର ଅଭିବୃଦ୍ଧି ବଢ଼ିଥିବାରୁ ଦେଶର ଅଭିବୃଦ୍ଧି ତ୍ୱରାନ୍ଵିତ ହୋଇଛି। ଅର୍ଥନୀତି ବର୍ତ୍ତମାନ ସୁଦ୍ଧା ଯେଉଁ ହାରରେ ଆଗକୁ ବଢ଼ୁଛି ତାହାକୁ ଯଦି ନଜରରେ ରଖି ହିସାବ କରାଯିବ ତେବେ ୨୦୧୭-୧୮ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୬% ହେବ ବୋଲି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ଅନୁମାନ ଲଗାଇଛି। ଗତବର୍ଷର ଅକ୍ଟୋବରରୁ ଡିସେମ୍ବର ଭିତରେ ବିଶ୍ୱ ସ୍ତରରେ ଅନେକ ଘଟଣା ଘଟିଥିଲା ଏବଂ ସ୍ଥାନୀୟ ବଜାର ମଧ୍ୟ ଏତେ ସୁଦୃଢ଼ ନଥିଲା। ତେଣୁ ଅଭିବୃଦ୍ଧି ହାର ୬.୯%କୁ କମିଯିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସେହି ଅନୁମାନ ଭୁଲ ପ୍ରମାଣିତ ହୋଇଛି। ଆର୍ଥିକ ସେବା, ରିଅଲ ଇଷ୍ଟେଟ୍‌ ଏବଂ ବୃତିଗତ ସେବା କ୍ଷେତ୍ର ଜବରଦସ୍ତ ପ୍ରଦର୍ଶନ କରିଛି। କନଷ୍ଟ୍ରକ୍ସନ୍‌ କ୍ଷେତ୍ରର ଅଭିବୃଦ୍ଧି ହାର ମଧ୍ୟ ବଢ଼ିଛି। ଖଣି କ୍ଷେତ୍ରରେ କିନ୍ତୁ ବିଯୁକ୍ତାତ୍ମକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଅର୍ଥନୀତିର ପ୍ରଦର୍ଶନ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ କହିଛନ୍ତି ଯେ, ଦେଶ ଠିକ୍‌ ଦିଗରେ ଆଗକୁ ବଢ଼ୁଛି। ପୂର୍ବରୁ ସରକାର ଯେଉଁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିଲେ ତାହାର ସୁଫଳ ଏବେ ମିଳୁଛି। ଆସନ୍ତା ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ଆହୁରି ଅଧିକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର