ନୂଆଦିଲ୍ଲୀ,: ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ରପ୍ତାନି କ୍ଷେତ୍ରରେ ଦେଖାଉଥିବା ଅନୁଗ୍ରହକୁ ପ୍ରତ୍ୟାହାର କରିନେଇପାରେ। ଆମେରିକାର ଅନୁଗ୍ରହ ଅନୁଯାୟୀ ଭାରତ ଆମେରିକାକୁ ୫.୬ ବିଲିଅନ ଡଲାର ରପ୍ତାନି ଉପରେ ଶୁଳ୍କ ପ୍ରଦାନ କରି ନଥାଏ। ତେବେ ନିକଟରେ ଭାରତ ଇ-କମର୍ସ ନୀତିକୁ କଡ଼ାକଡ଼ି କରିବା ସହିତ ଅତୀତରେ ପେମେଣ୍ଟ ସଂକ୍ରାନ୍ତ ଡାଟାର ସର୍ଭରକୁ ଭାରତରେ ସ୍ଥାପନ କରିବା ଲାଗି ବିଦେଶୀ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏଥିଯୋଗୀ ମାଷ୍ଟରକାର୍ଡ ଓ ଭିସା ଭଳି କମ୍ପାନି ପ୍ରଭାବିତ ହୋଇଛନ୍ତି। ଏତଦବ୍ୟତୀତ ଭାରତ ବିଦେଶରୁ ଇଲେକଟ୍ରୋନିକ୍ସ ସାମଗ୍ରୀ ଓ ସ୍ମାର୍ଟଫାନ ଆମଦାନି ଉପରେ ଉଚ୍ଚ ଶୁଳ୍କ ଆଦାୟ କରୁଛି। ଏସବୁ କାରଣରୁ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଓ ନିବେଶ ନୀତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି ବୋଲି କୁହାଯାଉଛି।ଭାରତ କରୁଥିବା ରପ୍ତାନି ଉପରେ ଶୁଳ୍କ ରିହାତି ଆମେରିକା ଏହାର ଜେନେରାଲାଇଜଡ ସିଷ୍ଟମ୍ ଅଫ୍ ପ୍ରିଫରେନସେସ୍(ଜିଏସପି)ରେ ଗତ ଶତାବ୍ଦୀର ସପ୍ତମ ଦଶନ୍ଧିରୁ ପ୍ରଦାନ କରିଆସୁଛି। ଭାରତ ଏହି ଯୋଜନାର ଏକ ବଡ଼ ହିତାଧିକାରୀ। ଯଦି ଆମେରିକା ଏହି ପଦକ୍ଷେପ ଭାରତ ବିରୋଧରେ ଗ୍ରହଣ କରେ ତାହେଲେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏହା ହେବ ଭାରତ ବିରୋଧରେ ବଡ଼ ଧରଣର ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ। ଭାରତ ଭଳି ଅପେକ୍ଷାକୃତ ବଡ଼ ଅର୍ଥନୀତି ସହିତ ଆମେରିକା ତାହାର ବାଣିଜ୍ୟ ନିଅଣ୍ଟ ହ୍ରାସ କରିବାକୁ ଟ୍ରମ୍ପ ଆରମ୍ଭରୁ ମତବ୍ୟକ୍ତ କରିଆସୁଛନ୍ତି। ଅନ୍ୟପକ୍ଷରେ ଆମେରିକା କରୁଥିବା ରପ୍ତାନି ଉପରେ ଭାରତ ଅଧିକ ହାରରେ ଶୁଳ୍କ ଆଦାୟ କରୁଛି ବୋଲି ଟ୍ରମ୍ପ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକାର ବାଣିଜ୍ୟ ପ୍ରତିନିଧିମାନେ ଭାରତ ଜିଏସପି ଦ୍ବାରା କେତେମାତ୍ରାରେ ଲାଭବାନ ହେଉଛି ତାହାର ସମୀକ୍ଷା କରୁଛନ୍ତି। ଏହି ସମୀକ୍ଷା ପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏନେଇ ଆମେରିକା ଘୋଷଣା କରିପାରେ ବୋଲି କୁହାଯାଉଛି। ଆମେରିକାର ବାଣିଜ୍ୟ ମନ୍ତ୍ରୀ ୱିଲବର ରାସ ଆସନ୍ତା ସପ୍ତାହରେ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଭାରତ ସରକାରଙ୍କ ନିକଟରେ ଆମେରିକୀୟ କମ୍ପାନିଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ସମ୍ଭାବନା ରହିଛି। ବିଶେଷକରି ଇ-କମର୍ସ ନୀତିରେ ଲଗାଯାଇଥିବା କଟକଣା ଏବଂ ଡାଟା ଲୋକାଇଜେସନ ପ୍ରସଙ୍ଗ ଗୁରୁତ୍ବ ହାସଲ କରିବ। ଭାରତ ଓ ଆମେରିକା ମଧ୍ୟରେ ରାଜନୈତିକ ଓ ନିରାପତ୍ତା ଜନିତ ସମ୍ପର୍କ ଯଦିଓ ଭଲ ଅଛି ବାଣିଜ୍ୟ ସମ୍ପର୍କ ସେତେଟା ଭଲ ନାହିଁ। ୨୦୧୭ରେ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୨୬ ବିଲିଅନ ଡଲାର ରହିଥିଲା। ତେବେ ଏହା ସାମର୍ଥ୍ୟ ତୁଳନାରେ କମ୍ ରହିଛି।
କ୍ଷୁଦ୍ର ବ୍ୟବସାୟୀ ସର୍ବାଧିକ ପ୍ରଭାବିତ ହେବେ
ଆମେରିକା ଭାରତକୁ ପ୍ରଦାନ କରୁଥିବା ଶୁଳ୍କ ମୁକ୍ତ ସୁବିଧା ପ୍ରତ୍ୟାହାର କରିଲେ ଏହାଦ୍ବାରା ସର୍ବାଧିକ କ୍ଷତି କ୍ଷୁଦ୍ର ବ୍ୟବସାୟୀ ସହିବେ। ଗହଣା ନିର୍ମାତାଙ୍କ ଭଳି କମ୍ପାନି ଏହି କ୍ଷତି ସହିବେ। ପ୍ରାୟ ୨୦୦୦ ସାମଗ୍ରୀର ରପ୍ତାନି ପ୍ରଭାବି ହେବ। ଆମେରିକା ଏହି ଯୋଜନାରେ ପ୍ରଦାନ କରୁଥିବା ରିହାତି ସଂଖ୍ୟାକୁ ହ୍ରାସ କରିପାରେ କିମ୍ବା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିପାରେ।