ଟ୍ରମ୍ପ୍‌ଙ୍କ ଧମକ ପରେ କଟକଣା କୋହଳ କଲା ଭାରତ: ଅଯଥା ବିବାଦରୁ ନିବୃତ୍ତ ରୁହ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନି ହେବ

ନୂଆଦିଲ୍ଲୀ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଓ ପାରାସିଟାମଲ୍ ଭଳି ଅତ୍ୟାବଶ୍ୟକ ଔଷଧର ରପ୍ତାନି ଉପରେ ଲଗାଯାଇଥିବା କଟକଣାକୁ ଭାରତ ସରକାର ଆଂଶିକ ଉଠାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। କୋଭିଡ-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତ ଏହାର ପ୍ରତିଶ୍ରୁତିବଦ୍ଧତା ସ୍ବରୂପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ‌ତେବେ ଦେଶର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିବା ପରେ ଭାରତ ବିଦେଶକୁ ଏହି ଔଷଧ ରପ୍ତାନି କରିବ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଭାରତ ଉପରେ ଏହି ଔଷଧ ପାଇଁ ନିର୍ଭରଶୀଳ ସମସ୍ତ ପଡ଼ୋଶୀ ଦେଶକୁ ଏହା ଯୋଗାଇ ଦିଆଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମାଲେରିଆ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍‌ର ରପ୍ତାନି ଉପରେ ଭାରତ ଗତ ୨୫ ତାରିଖରେ କଟକଣା ଲଗାଇଥିଲା। ଏହାର କାରଣ ହେଲା କେତେକ ସ୍ଥାନରୁ ଖବର ମିଳିଲା ଯେ କୋଭିଡ-୧୯ର ଚିକିତ୍ସାରେ ଏହି ଔଷଧ ସଫଳ ହେଉଛି। ବିଶ୍ବରେ ଭାରତ ସବୁଠାରୁ ଅଧିକ ପରିମାଣରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉତ୍ପାଦନ କରିଥାଏ। ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଏବଂ ରପ୍ତାନି ଭିତ୍ତିକ ୟୁନିଟ୍‌ ଗୁଡ଼ିକରୁ ଉତ୍ପାଦିତ ହେଉଥିବା ସାମଗ୍ରୀ ସାଧାରଣତଃ ରପ୍ତାନି ଉଦ୍ଦେଶ୍ୟରେ ଉତ୍ପାଦନ ହୋଇଥାଏ। କିନ୍ତୁ ଭାରତ ସରକାର ଗତ ୪ ତାରିଖରେ ଏସବୁ ଅଞ୍ଚଳରୁ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ଏବଂ ଏହି ଫର୍ମୁଲେସନରୁ ପ୍ରସ୍ତୁତ ଔ‌ଷଧର ରପ୍ତାନି ଉପରେ ମଧ୍ୟ କଟକଣା ଲଗାଇଥିଲେ। କିନ୍ତୁ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍‌ର ରପ୍ତାନି ଉପରୁ କଟକଣା ଉଠାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବଂ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଚଳିତ ସପ୍ତାହରେ କଥା ହୋଇଥିଲା। ଏପରିକି ଭାରତ କଟକଣା ନ ଉଠାଇଲେ ଏହା ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରମ୍ପ ୱାସିଂଟନଠାରେ ଧମକ ଦେଇଥିଲେ। ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଓ ପାରାସିଟାମଲ୍‌ର ରପ୍ତାନି ଉପରୁ କଟକଣାକୁ ଆଂଶିକ ହଟାଇ ଦିଆଯାଇଛି। ଦେଶରେ ହାଇଡ୍ରୋକ୍ସିକ୍ଲୋରୋକୁଇନର ଉପଲବ୍ଧତା ଏବଂ ଆବଶ୍ୟକତା ପୂରଣ ପରେ ବିଦେଶର ରପ୍ତାନି ଆଦେଶକୁ ପୂରଣ କରାଯିବ ବୋଲି ସଂପୃକ୍ତ ଅଧିକାରୀ ଜଣକ କହିଛନ୍ତି। ରସାୟନ ଏବଂ ସାର ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ଫାର୍ମାସ୍ୟୁଟିକାଲ ବିଭାଗ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମାନବିକତା ଦୃଷ୍ଟିକୋଣରୁ କେଉଁ ଦେଶକୁ କେତେ ଔଷଧ ରପ୍ତାନି କରାଯିବ ତାହାର ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ପାରାସିଟାମଲ ଏବଂ ହାଇଡ୍ରୋ‌କ୍ସିକ୍ଲୋରୋକୁଇନକୁ ଲାଇସେନ୍ସ ବର୍ଗରେ ରଖାଯିବ। ସେଗୁଡ଼ିକର ଚାହିଦା ସ୍ଥିତିକୁ ମଧ୍ୟ ନିରନ୍ତର ଭାବେ ଅନୁଧ୍ୟାନ କରାଯିବ। ‌ତେବେ ଆମ ଦେଶର କମ୍ପାନିଙ୍କ ନିକଟରେ ଯେତିକି ପରିମାଣରେ ଏହି ଔଷଧ ମହଜୁଦ ରହିଛି ତାହା ଘରୋଇ ଆବଶ୍ୟକତା ସହିତ ରପ୍ତାନି ଆଦେଶ ପୂରଣ କରିବାରେ ସମର୍ଥ ହେବେ ବୋଲି ଆଶା ରଖାଯାଇଛି।

ଭାରତ ଉପରେ ଏହି ଔଷଧ ପାଇଁ ଯେଉଁ ପଡ଼ୋଶୀ ଦେଶ ନିର୍ଭରଶୀଳ ଅଛନ୍ତି ସେମାନଙ୍କୁ ଏହା ଯୋଗାଇ ଦିଆଯିବ। ଏଥିସହିତ କୋଭିଡ-୧୯ ଦ୍ବାରା ସାଂଘାତିକ ଭାବେ ପ୍ରଭାବିତ ହୋଇଥିବା ଦେଶକୁ ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ଏହି ଔଷଧ ଯୋଗାଇ ଦିଆଯିବ ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି। ଟ୍ରମ୍ପଙ୍କ ଅନେକ ବରିଷ୍ଠ ପରତା କୋଭିଡ-୧୯ ରୋଗୀଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହାରକୁ ବିରୋଧ କରୁଥିଲେ ମଧ୍ୟ ଟ୍ରମ୍ପ ବାରମ୍ବାର ଏହି ଔଷଧ ବ୍ୟବହାର ଉପରେ ଗୁରୁତ୍ବାରୋପ କରି ଆସୁଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଦେଇଥିବା ମନ୍ତବ୍ୟରେ ଟ୍ରମ୍ପ କହିଛନ୍ତି, ଆମେରିକାକୁ ଯଦି ଭାରତ ଏହି ଔଷଧ ନ ଯୋଗାଏ ତାହେଲେ ଭାରତ ବିରୋଧରେ ‌ଯେସାକୁ ତେସା ନୀତି ଗ୍ରହଣ କରାଯିବ। ଆମେରିକା ପକ୍ଷରୁ ଭାରତକୁ ଏହି ଔଷଧ କ୍ରୟ ପାଇଁ ଗତ ମାର୍ଚ୍ଚରେ କ୍ରୟ ଆଦେଶ ଦିଆଯାଇଥିଲା। ମୋଦୀଙ୍କ ସହିତ ଟେଲିଫୋନ ବାର୍ତ୍ତାଳାପ ସମୟରେ ‌ଏହି ଔଷଧର ରପ୍ତାନି ଉପରୁ କଟକଣା ହଟାଇବା ପାଇଁ ଟ୍ରମ୍ପ ମୋଦୀଙ୍କୁ ଅନୁରୋଧ କରିଥିଲେ। ବ୍ରାଜିଲରେ ମଧ୍ୟ କୋଭିଡ-୧୯ ପରିସ୍ଥିତି ସାଂଘାତିକ ଅବସ୍ଥାରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ‌‌ରଖି ବ୍ରାଜିଲ ରାଷ୍ଟ୍ରପତି ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯୋଗାଇବା ପାଇଁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମଧ୍ୟ ସେ କଥା ହୋଇଥିଲେ। ଭାରତ ଉପରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପାଇଁ ବିଶ୍ବର ପ୍ରାୟ ୨୦ଟି ଦେଶ ନିର୍ଭରଶୀଳ ଥାଆନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏହି ଔଷଧର ରପ୍ତାନିକୁ ଆଂଶିକ କୋହଳ କରାଯାଇଥିବାରୁ ଏହି ଦେଶଗୁଡ଼ିକୁ ମଧ୍ୟ କିଛିମାତ୍ରାରେ ଆଶ୍ବସ୍ତି ମିଳିବ। ତେବେ ଭାରତ ଏହାର ଘରୋଇ ଚାହିଦାକୁ ପର୍ଯ୍ୟାପ୍ତ ମାତ୍ରାରେ ପୂରଣ କରି ସାରିବା ପରେ ଯାଇ ବିଦେଶକୁ ରପ୍ତାନି କରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକତା ପୂରଣ ପାଇଁ ଭାରତରେ ଔଷଧର ଉପଲବ୍ଧତା ରହିଥିବା ବିଷୟ ଜଣାପଡ଼ିବା ପରେ ଭାରତ ଗତ ସୋମବାର ଏକାଧିକ ଔଷଧ ଉପରୁ ରପ୍ତାନି କଟକଣା ହଟାଇବା ନେଇ ବିଜ୍ଞପ୍ତି ଜାରି ‌‌ହେଇଛି ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି। ତେବେ ଯେତିକି ସମ୍ଭବ ସେତିକି ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି ହେବ, ଏହାକୁ ନେଇ ଅଯଥା ବିବାଦ ନ କରିବାକୁ ଅଧିକାରୀ ଜଣକ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତିଙ୍କ ଧମକ ପରେ ଗତ ସୋମବାର ଭାରତ ସରକାର ଭିଟାମିନ ବି୧, ବି-୧୨ ସମେତ ୨୪ଟି ଔଷଧୀୟ ଉପାଦାନ ଓ ଔଷଧ ଉପ‌ରୁ ରପ୍ତାନି କଟକଣା ଉଠାଇ ଦେଇଛି ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

କରୋନା ମହାକାରୀ ବିଶ୍ବବ୍ୟାପୀ କାୟାବିସ୍ତାର କରିବା ପରେ ଗତ ମାସରେ ଭାରତ ସରକାର ୨୪ଟି ଔଷଧର ରପ୍ତାନି ଉପରେ କଟକଣା ଲଗାଇଥିଲେ। ବି‌ଶେଷକରି ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା କାରଣରୁ ଏହି କଟକଣା ଲଗାଯାଇଥିଲା। କେବଳ ଔଷଧ ନୁହେଁ, ଭାରତ ସରକାର ଅଧିକାଂଶ ନିଦାନଜନିତ ଟେଷ୍ଟିଂ କିଟ୍‌ର ରପ୍ତାନି ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ଏଥିରେ ଭେଣ୍ଟିଲେଟର, ମାସ୍କ ଏବଂ ରୋଗୀ ଓ ଡାକ୍ତରୀ ଦଳ ବ୍ୟବହାର କରୁଥିବା ଅନ୍ୟାନ୍ୟ କେତେକ ସୁରକ୍ଷା ସରଞ୍ଜାମ ରହିଛି।

ସମ୍ବନ୍ଧିତ ଖବର