ନୂଆଦିଲ୍ଲୀ: ଆମେରିକା ପରେ ଚୀନ ଆଜି ବିଶ୍ବର ଦ୍ବିତୀୟ ବୃହତ୍ ଅର୍ଥନୀତି। ଏହି ଦେଶ ନିଜକୁ ମହାଶକ୍ତି ଭାବେ ବିବେଚନା କରୁଛି। କିନ୍ତୁ ୪୦ ବର୍ଷ ପୂର୍ବେ ଏହାର ସ୍ଥିତି ଭାରତ ସହ ପ୍ରାୟ ସମାନ ଥିଲା। ଦୁଇ ଦେଶର ଜିଡିପି, ଲୋକଙ୍କ ଆୟ, ଶିଳ୍ପାୟନ, ରେଳବାଇର ବିକାଶ ଆଦିକୁ ବିଚାରକୁ ନେଲେ ସେମିତି କିଛି ଫରକ ଦୂଇ ଦେଶ ମଧ୍ୟରେ ନଥିଲା। କିନ୍ତୁ ଡେଙ୍ଗ୍ ଜିଆଓପିଙ୍ଗ୍ ଯେଉଁ ସଂସ୍କାର ଗତ ଶତାବ୍ଦୀର ସପ୍ତମ ‌ଦଶକ ଶେଷଆଡ଼କୁ ଆଣିଲେ ତାହା ଚୀନକୁ ଆଜି ବହୁ ଆଗକୁ ନେବାରେ ସକ୍ଷମ ହୋଇଛି। ସୀମାରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସଂଘର୍ଷ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ଅର୍ଥନୀତି ଦୃଷ୍ଟିରୁ କେତେକ ତୁଳନାତ୍ମକ ଚିତ୍ର ଏଠାରେ ପ୍ରଦାନ କରାଯାଇଛି...

Advertisment

ଚୀନ ଜିଡିପି ୧୩.୬ ଟ୍ରିଲିଅନ ଡଲାର, ଭାରତର ୨.୭ ଟ୍ରିଲିଅନ ଡଲାର
ବିଶ୍ବବ୍ୟାଙ୍କ ଓ ଅନ୍ୟାନ୍ୟ କେତେକ ସଂସ୍ଥାର ତଥ୍ୟକୁ ବିଶ୍ଳେଷଣ କରିଲେ ଜଣାଯାଏ ଯେ ୧୯୮୦ ମସିହାରେ ଚୀନର ଜିଡିପି (ମୋଟ ଘରୋଇ ଉତ୍ପାଦ) ଆକାର ୧୯୧ ବିଲିଅନ ଡଲାର ରହିଥିଲା। ସେହି ସମୟରେ ଭାରତର ଜିଡିପି ଚୀନର ପାଖାପାଖି ଅର୍ଥାତ୍ ୧୮୬ ବିଲିଅନ ଡଲାର ଥିଲା। କିନ୍ତୁ ଚୀନର ଲୋକସଂଖ୍ୟା ଭାରତଠାରୁ ସେହି ସମୟରେ ଯଥେଷ୍ଟ ଅଧିକ ଥିବାରୁ ଚୀନ ଲୋକଙ୍କର ମୁଣ୍ଡପିଛା ଆୟ ଭାରତୀୟଙ୍କ ତୁଳନାରେ ଖୁବ୍ କମ୍ ରହିଥିଲା। ଭାରତୀୟମାନେ ଚୀନର ଲୋକଙ୍କ ତୁଳନାରେ ୪୦ ପ୍ରତିଶତ ଅଧିକ ଧନୀ ଥିଲେ। ସେହି ସମୟରେ ଭାରତୀୟମାନଙ୍କ ମୁଣ୍ଡପିଛା ଆୟ ୨୬୭ ଡଲାର ଥିବାବେଳେ ଚୀନ ଲୋକଙ୍କ ମୁଣ୍ଡପିଛା ଆୟ ୧୯୫ ଡଲାର ରହିଥିଲା। କିନ୍ତୁ ୨୦୧୮ ମସିହା ବେଳକୁ ଚୀନବାସୀଙ୍କ ମୁଣ୍ଡପିଛା ଆୟ ଭାରତୀୟଙ୍କ ତୁଳନାରେ ୫୦ ଗୁଣ ଅଧିକ ଅର୍ଥାତ୍ ୯୭୭୧ ଡଲାରରେ ପହଞ୍ଚି ପାରିଛି। କିନ୍ତୁ ଏହି ସମୟ‌ ମଧ୍ୟରେ ଭାରତୀଙ୍କ ମୁଣ୍ଡପିଛା ଆୟ ୨୦୦୦ ଡଲାର ରହିଛି। ଚୀନ ଅର୍ଥନୀତିର ଆକାର ବା ଜିଡିପି ୧୩.୬ ଲକ୍ଷ କୋଟି ଡଲାରରେ ପହଞ୍ଚିଥିବାବେଳେ ଭାରତର ଜିଡିପି ୨.୭ ଲକ୍ଷ କୋଟି ଡଲାରରେ ରହିଛି।

ସାକ୍ଷରତା ଓ ସହରୀକରଣ
ସାକ୍ଷରତା ଓ ସହରୀକରଣ କ୍ଷେତ୍ରରେ ମଧ୍ୟ ଭାରତ ତୁଳନାରେ ଚୀନ ଯଥେଷ୍ଟ ଅଗ୍ରଗତି ହାସଲ କରିଛି। ଏବେ ଚୀନର ୬୦ ପ୍ରତିଶତ ଲୋକ ସହରାଞ୍ଚଳରେ ବାସ କରୁଛନ୍ତି। କିନ୍ତୁ ଭାରତରେ ଏବେ ୩୫ ପ୍ରତିଶତ ଲୋକ ସହରାଞ୍ଚଳରେ ରହୁଛନ୍ତି। କିନ୍ତୁ ଦୁଇ ଦେଶ ସ୍ବାଧୀନତା ହାସଲ କରିବା ସମୟରେ ଏ କ୍ଷେତ୍ରରେ ଭାରତ ଚୀନଠାରୁ ଆଗରେ ଥିଲା। ଭାରତରେ ୧୭% ଲୋକ ସହରାଞ୍ଚଳରେ ରହୁଥିବାବେଳେ ଚୀନର ୧୨% ଲୋକ ସହରାଞ୍ଚଳରେ ରହୁଥିଲେ। ଚୀନ ତୁଳନାରେ ଭାରତରେ ଅଧିକ ଶିଳ୍ପାଞ୍ଚଳ ରହିଥିଲା। ୧୯୮୦ ମସିହା ବେଳକୁ ସାକ୍ଷରତା କ୍ଷେତ୍ରରେ ଚୀନ ଆଗରେ ଥିଲା। ଚୀନର ଦୁଇ ତୃତୀୟାଂଶ ଲୋକ ସାକ୍ଷର ଥିବାବେଳେ ଭାରତରେ ଦୁଇ ପଞ୍ଚମାଂଶ ଲୋକ ସାକ୍ଷର ଥିଲେ। ଦୁଇ ଦେଶରେ ସାକ୍ଷରତା ବଢ଼ିଛି। କିନ୍ତୁ ଚୀନରେ ଏବେ ସାକ୍ଷରତା ହାର ୯୭% ଥିବାବେଳେ ଚୀନରେ ସାକ୍ଷରତା ହାର ୭୪% ରହିଛି।

ଦାରିଦ୍ର୍ୟ ଦୂରୀକରଣ
୧୯୮୭ ମସିହାରେ ଚୀନ ଲୋକସଂଖ୍ୟା ୬୬ ପ୍ରତିଶତରୁ ଅଧିକ ଲୋକ ଗରିବ ଥିଲେ। ସେମାନେ ଦୈନିକ ୧.୯୦ ଡଲାରରୁ କମ୍ ଉପାର୍ଜନ କରୁଥିଲେ। କିନ୍ତୁ ସେହି ସମୟରେ ଭାରତର ୪୯ ପ୍ରତିଶତ ଲୋକ ଗରିବ ଥିଲେ। କିନ୍ତୁ ବର୍ତ୍ତମାନ ଚୀନର ମାତ୍ର ୦.୫ ପ୍ରତିଶତ ଲୋକ ଗରିବ ଥିବାବେଳେ ଭାରତର ୨୦ ପ୍ରତିଶତରୁ ଅଧିକ ଲୋକ ଗରିବ ଅଛନ୍ତି।

ରେଳ ଓ ବିମାନ ସେବା
ଗତ କିଛିବର୍ଷ ମଧ୍ୟରେ ଚୀନ ରେଳ ଓ ବିମାନ ସେବା କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛି। ୧୯୭୪ରେ ଚୀନରେ ମାତ୍ର ୦.୭ ନିୟୁତ ଲୋକ ବିମାନରେ ଯାତ୍ରା କରୁଥିଲେ। କିନ୍ତୁ ଭାରତରେ ୩ ନିୟୁତ ଲୋକ ସେହିସମୟରେ ବିମାନରେ ଯାତ୍ରା କରୁଥିଲେ। ତେବେ ଏହା ଏବେ ଓଲଟି ଯାଇଛି। ୨୦୧୮ରେ ଚୀନରେ ୬୧୧.୪ ନିୟୁତ ଲୋକ ବିମାନରେ ଉଡ଼ିଥିବାବେଳେ ଭାରତରେ ମାତ୍ର ୧୬୪ ନିୟୁତ ଲୋକ ଉଡ଼ିଛନ୍ତି। ସେହିଭଳି ରେଳଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଚୀନ ଭାରତଠାରୁ ପଛରେ ଥିଲା। ୧୯୮୦ ମସିହାରେ ଚୀନରେ ୫୧୭୦୦ କିମି ରେଳଧାରଣା ଥିବାବେଳେ ଭାରତରେ ୬୧୨୪୦ କିମି ରେଳଧାରଣା ଥିଲା। କିନ୍ତୁ ଏବେ ଚୀନରେ ୧.୨୭ ଲକ୍ଷ କିମି ରେଳଧାରଣା ଥିବାବେଳେ ଭାରତରେ ୬୮,୪୪୨ କିମିର ରେଳଧାରଣା ରହିଛି।

କାର୍‌ ଉତ୍ପାଦନ
ଦୁଇ ଦେଶ ସ୍ବାଧୀନ ହେବା ସମୟରେ ଶିଳ୍ପାୟନ କ୍ଷେତ୍ରରେ ଚୀନଠାରୁ ଭାରତ ଆଗରେ ରହିଥିଲା। କିନ୍ତୁ ଏବେ ଚୀନ ବିଶ୍ବର କାରଖାନାରେ ପରିଣତ ହୋଇଛି। କାର୍ ଉତ୍ପାଦନକୁ ଦେଖିଲେ ଶିଳ୍ପାୟନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବଢ଼ିଥିବା ପାର୍ଥକ୍ୟ ସ୍ପଷ୍ଟ ଜଣାପଡ଼େ। ଅନ୍ତର୍ଜାତୀୟ ମୋଟର ଯାନ ନିର୍ମାତା ସଂଘର ତଥ୍ୟ ଅନୁଯାୟୀ ୧୯୯୯ରେ ଚୀନରେ ୫.୭ ଲକ୍ଷ କାର ଉତ୍ପାଦନ ହେଉଥିବାବେଳେ ଭାରତରେ ୫.୩ ଲକ୍ଷ କାର ଉତ୍ପାଦନ ହେଉଥିଲା। କିନ୍ତୁ ଗତବର୍ଷ ଚୀନରେ ୨.୧ କୋଟି କାର ଉତ୍ପାଦନ ହୋଇଥିବା‌ବେଳେ ଭାରତରେ ୩୬.୨ ଲକ୍ଷ କାର ଉତ୍ପାଦନ ହୋଇଛି।