ନୂଆଦିଲ୍ଲୀ: ବ୍ୟବସାୟକୁ‌ ନେଇ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆଗାମୀ ଦିନରେ ଆହୁରି ତିକ୍ତ ହେବାକୁ ଯାଉଛି। ଭାରତ ଠାରୁ ଜେନେରାଲାଇଜଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ (ଜିଏସ୍‌ପି) ମାନ୍ୟତା ଛଡ଼ାଇ ନିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତକାଲି ଧମକ ଦେଇଥିଲେ। ଟ୍ରମ୍ପ୍‌ଙ୍କ ଧମକରେ ବିଚଳିତ ନହୋଇ ଏହାର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ହେଉଛି। ଯଦି ଭାରତ ଠାରୁ ଆମେରିକା ଏହି ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଛଡ଼ାଇ ନେବ ତେବେ ଭାରତରୁ ଆମେରିକା ଆମଦାନି କରୁଥିବା ସାମଗ୍ରୀଗୁଡ଼ିକ ଉପରେ ଟିକସକୁ ଭାରତ ବହୁତ ବଢ଼ାଇଦେବ। ଆମେରିକାକୁ ପଠାଯାଉଥିବା ବୋରିକ୍ ଏସିଡ୍‌, ମସୁର ଡାଲି, ଅଖ୍‌ରୋଟ, କାବୁଲି ଚଣା ଓ ଚିକିତ୍ସା ପଦ୍ଧତିରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ଉପରେ ଟିକସ ମାତ୍ରା ବଢ଼ାଇବାକୁ ଭାରତ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତିକୁ ତତ୍କାଳ ଲାଗୁ କରାଯିବ ନାହିଁ। ଏପ୍ରିଲ ପର୍ଯ୍ୟନ୍ତ ଭାରତ ଅପେକ୍ଷା କରିବ। ଯଦି ସେହି ସମୟ ଭିତରେ ସ୍ଥିତିରେ କୌଣସି ସୁଧାର ହେବନି ତେବେ ଉଚ୍ଚ ଟିକସ ହାର ନିଷ୍ପତ୍ତିକୁ ଲାଗୁ କରାଯିବ।

Advertisment

ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟ ସମ୍ପର୍କ ଗତବର୍ଷ ଠାରୁ ଖରାପ ହେବା ଆରମ୍ଭ ହୋଇଛି। ଗତବର୍ଷ ମାର୍ଚ ୯ରେ ଆମେରିକା ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଭାରତ ଯେଉଁ ସବୁ ଇସ୍ପାତ ଓ ଆଲୁମିନିୟମ ପଠାଉଛି, ତା’ ଉପରେ ବିପୁଳ ପରିମାଣର ଟିକସ ଲାଗୁ କରାଯିବ। ଅବଶ୍ୟ ସେହି ନିଷ୍ପତ୍ତିକୁ ଆମେରିକା ଏପର୍ଯ୍ୟନ୍ତ ଲାଗୁ କରିନାହିଁ। ଆମେରିକା ଧମକକୁ ଦୃଷ୍ଟିରେ ରଖି ଗତବର୍ଷ ଜୁନ୍‌ରେ ଭାରତ ପକ୍ଷରୁ ୨୯ଟି ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ସାମଗ୍ରୀଗୁଡ଼ିକୁ ଆମେରିକା ବିପୁଳ ପରିମାଣରେ ଭାରତ ଠାରୁ କିଣୁଛି। ସେଗୁଡ଼ିକ ଉପରେ ଉଚ୍ଚ ଟିକସ ଲଗାଇବାକୁ ଭାରତ ନିଷ୍ପତ୍ତି ନେଇଥିଲା। ‌ମାତ୍ର, ଉଭୟ ଦେଶ ନିଜ ନିଜର ନିଷ୍ପତ୍ତିକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାନ୍ତି। ଭାରତ ଏହାର ନିଷ୍ପତ୍ତି ଲାଗୁ କରିବାର ଅବଧିକୁ ଛଅ ଥର ଘୁଞ୍ଚାଇ ସାରିଲାଣି। ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରାଯିବା ସମ୍ପର୍କରେ ଗତକାଲି ଟ୍ରମ୍ପ୍ ଘୋଷଣା କରିବା ପରେ ଭାରତ ପକ୍ଷରୁ କୁହାଯାଇଥିଲା ଯେ, ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। ଦୁଇ ଦେଶର ଦ୍ବିପାକ୍ଷିକ କାରବାରରେ ଜିଏସ୍‌ପି ଅଧୀନରେ ହେଉଥିବା କାରବାର ଅତ୍ୟନ୍ତ ନଗଣ୍ୟ ବୋଲି ବାଣିଜ୍ୟ ସଚିବ କହିଥିଲେ। ଭାରତ ଓ ଆମେରିକା ଭିତରେ ଅନେକ ବିଷୟକୁ ନେଇ ମତଭେଦ ରହିଛି। ଜିଏସ୍‌ପି, କୃଷି ଏବଂ ଦୁଗ୍ଧଜାତ ସାମଗ୍ରୀ, ମେଡିକାଲ୍ ଉପକରଣ, ଟେଲିକମ୍ ଏବଂ ଇ-କମର୍ସ ଭଳି କ୍ଷେତ୍ରରେ ଉଭୟ ଦେଶ ଭିତରେ ମତଭେଦ ରହିଛି। ଷ୍ଟେଣ୍ଟ୍‌ର ସର୍ବୋଚ୍ଚ ମୂଲ୍ୟ ଧାର୍ଯ୍ୟ କରାଯିବା ନିଷ୍ପତ୍ତିକୁ ଆମେରିକା ସହଜରେ ଗ୍ରହଣ କରିପାରୁନାହିଁ। ସେହିପରି ଭାରତ ଯେଉଁ କଠୋର ଇ-କମର୍ସ ନୀତି ପ୍ରସ୍ତୁତ କରିଛି ତାହାର ପ୍ରଭାବ ମଧ୍ୟ ଆମେରିକା ଉପରେ ପଡ଼ିଛି। ସେଥିପାଇଁ ଭାରତ ପ୍ରତି ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା କୁହାଯାଉଛି।

ଡବ୍ଲୁଟିଓରେ ଅଭିଯୋଗ କରିବ
ନୂଆଦିଲ୍ଲୀ: ଭାରତ ଠାରୁ ଯଦି ଆମେରିକା କାରବାରରେ ଅଗ୍ରାଧିକାର ମାନ୍ୟତା ପ୍ରତ୍ୟାହାର କରିନେବ ତେବେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ସେ ବିଷୟରେ ଭାରତ ଅଭିଯୋଗ କରିବ। ଆମେରିକା ବିରୋଧରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇପାରିବ ତାହା ଉପରେ ଭାରତ ବିଚାରବିମର୍ଶ ଜାରି ରଖିଛି। ସେଥି ମଧ୍ୟରୁ ଗୋଟିଏ ବିକଳ୍ପ ହେଉଛି ଡବ୍ଲୁଟିଓରେ ଆମେରିକା ବିରୋଧରେ ଅଭିଯୋଗ କରିବା। ଆମେରିକା ସରକାରଙ୍କ ଜେନେରାଲାଇଜଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ (ଜିଏସ୍‌ପି) ସ୍କିମ୍ ଅଧୀନରେ ଭାରତ ପକ୍ଷରୁ ୨୦୦୦ ପ୍ରକାର ସାମଗ୍ରୀକୁ ବିନା ଶୁଳ୍କରେ କିମ୍ବା ନାମମାତ୍ର ଟିକସରେ ଆମେରିକାକୁ ରପ୍ତାନି କରାଯାଉଛି। ଯଦି ଏହି ସ୍କିମ୍‌ରୁ ଭାରତକୁ ବାହାର କରିଦିଆଯିବ ତେବେ ରପ୍ତାନି ବେଳେ ଭାରତକୁ ଟିକସ ଗଣିବାକୁ ପଡ଼ିବ। ଜିଏସ୍‌ପି ସ୍କିମ୍‌ରେ ଭାରତ ପଠାଉଥିବା ସାମଗ୍ରୀଗୁଡ଼ିକ ଉପରେ ମାତ୍ର ୧-୬% ଭିତରେ ଟିକସ ଲଗାଯାଉଛି। ଟିକସ ଉପରେ ଦିଆଯାଉଥିବା ଏହି ସୁବିଧାକୁ ଆମେରିକା ବନ୍ଦ କରିବାକୁ ଚାହୁଁଛି। ଆମେରିକାର ଏହି ସ୍କିମ୍ ଦ୍ବାରା ଭାରତ ସମେତ ୧୨୧ଟି ଦେଶ ଲାଭବାନ ହେଉଛନ୍ତି। ସ୍କିମ୍‌ରୁ ଭାରତ ଏବଂ ତୁର୍କୀକୁ ବାହାର କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଧମକ ଦେଇଛନ୍ତି। ଡବ୍ଲୁଟିଓରେ ଭାରତ ଅଭିଯୋଗ କରିବା ବଦଳରେ ଆମେରିକା ସହିତ ଦ୍ବିପାକ୍ଷିକ ଆଲୋଚନା ଜରିଆରେ ବିବାଦ ସମାଧାନ କରିବାକୁ ପ୍ରୟାସ କରାଗଲେ ଅଧିକ ଭଲ ଫଳ ମିଳିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଡବ୍ଲୁଟିଓରେ ବିଚାର ପ୍ରକିୟା ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ। ତେଣୁ ସେଥିପ୍ରତି ବିଶେଷ ଧ୍ୟାନ ନଦେଇ ଆପୋଷ ବୁଝାମଣା ଉପରେ ଅଧିକ ଗୁରୁତ୍ବ ଦେବାକୁ ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।