ନୂଆଦିଲ୍ଲୀ: ଘରୋଇ ବଜାରରେ ସ୍ଥିରତା ବଜାୟ ରଖିବା ଓ ଚାଷୀମାନଙ୍କ ଆୟ ବଢ଼ାଇବା ଲକ୍ଷ୍ୟ ନେଇ ଶୁକ୍ରବାର କେନ୍ଦ୍ର ସରକାର ୨୫ ଲକ୍ଷ ଟନ୍‌ ଗହମ ରପ୍ତାନି ଲାଗି ଅନୁମତି ଦେଇଛନ୍ତି। ଦେଶର ଆବଶ୍ୟକତା ପୂରଣ ଲାଗି ଯଥେଷ୍ଟ ଗହମ ଗଚ୍ଛିତ ଥିବାରୁ ରପ୍ତାନି ଅନୁମତି ଦିଆଯାଇଛି। ଏଥି ସହିତ ଅତିରିକ୍ତ ୫ ଲକ୍ଷ ଟନ୍ ଚିନି ରପ୍ତାନି କରିବାକୁ ଅନୁମତି ଦିଆଯାଇଛି।

Advertisment

ରପ୍ତାନି କରିବାକୁ ଚାହୁଥିବା ଚିନିକଳଗୁଡ଼ିକ ଏହି ସୁବିଧାର ଲାଭ ଉଠାଇପାରିବେ। ଏହାପୂର୍ବରୁ ୧୫ ଲକ୍ଷ ଟନ୍‌ ଚିନି ରପ୍ତାନି ପାଇଁ ଅନୁମତି ଦିଆଯାଇଥିଲା। ସରକାର ମହଜୁଦ ଗହମ ସ୍ଥିତିର ସମୀକ୍ଷାରୁ ଜାଣିବାକୁ ପାଇଛନ୍ତି ଯେ ୨୦୨୫-୨୬ରେ ଘରୋଇ ସଂସ୍ଥାଗୁଡ଼ିକ ପାଖରେ ୭୫ ଲକ୍ଷ ଟନ୍‌ ଗହମ ରହିଛି ଯାହା ଗତବର୍ଷର ଷ୍ଟକ୍‌ ତୁଳନାରେ ୩୨ ଲକ୍ଷ ଟନ୍‌ ଅଧିକ।

୨୦୨୬ ଏପ୍ରିଲ୍‌ ୧ ସୁଦ୍ଧା ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)ର ଭଣ୍ଡାରରେ ୧୮୨ ଲକ୍ଷ ଟନ୍‌ ଗହମ ଗଚ୍ଛିତ ଥିବ ବୋଲି ଆକଳନ କରାଯାଇଛି। ତେଣୁ ରପ୍ତାନି ଅନୁମତି କୌଣସି ପ୍ରକାରରେ ସ୍ଥାନୀୟ ବଜାରକୁ ପ୍ରଭାବିତ କରିବ ନାହିଁ ବୋଲି ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।