ଭାରତ ମାଗିଲା ସ୍ବିସ୍‌ ବ୍ୟାଙ୍କ ତଥ୍ୟ, କଳାଧନ ଖବରକୁ ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ: ସ୍ବିସ୍‌ ବ୍ୟାଙ୍କରେ ଭାରତୀୟମାନଙ୍କ କଳାଧନ ବୃଦ୍ଧି ପାଇଥିବା ଦାବି କରି ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରୁ ସରକାର ଖଣ୍ଡନ କରିଛନ୍ତି। ଏସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ବିସ୍‌ କର୍ତ୍ତୃପକ୍ଷଙ୍କ ଠାରୁ ଭାରତୀୟମାନଙ୍କ ଜମାରାଶିର ତଥ୍ୟ ମଗାଯାଇଛି। ପ୍ରକୃତରେ ଜମାରାଶି ଦାବି ଅନୁସାରେ ବୃଦ୍ଧି ପାଇଛି ନା ନାହିଁ ଓ ଯଦି ବୃଦ୍ଧି ପାଇଛି ତାହାର କାରଣ ସରକାର ଜାଣିବାକୁ ଚାହୁଛନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ଶେଷ ସୁଦ୍ଧା ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ପରିମାଣ ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୯ରେ ଜମା ରାଶି ପରିମାଣ ୬୬୨୫ କୋଟି ଟଙ୍କା ଥିଲା। ପୂର୍ବ ଦୁଇ ବର୍ଷରେ ଭାରତୀୟଙ୍କ ଜମା ରାଶି ହ୍ରାସ ପାଉଥିଲା। ୨୦୨୦ର ଯେଉଁ ତଥ୍ୟ ଜାରି କରାଯାଇଛି ତାହା ବିଗତ ୧୩ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି।

ସ୍ବିସ୍ ନ୍ୟାସନାଲ୍ ବ୍ୟାଙ୍କ ତଥ୍ୟ ଆଧାରରେ ଖବର ପ୍ରକାଶ ପାଇଛି। ତେବେ କେଉଁଥି ପାଇଁ ଭାରତୀୟଙ୍କ ଜମା ରାଶି ବଢ଼ିଥାଇପାରେ ତାହାର କାରଣ ମଧ୍ୟ ସରକାର ଜଣାଇଛନ୍ତି। ଭାରତୀୟ କଂପାନି ଦ୍ବାରା ବ୍ୟବସାୟ କାରବାରରେ ବୃଦ୍ଧି, ଭାରତରେ ଥିବା ସ୍ବିସ୍ ବ୍ୟାଙ୍କ ଶାଖାରେ ଭାରତୀୟ କଂପାନି ଅଧିକ କାରବାର କରିଥିଲେ କିମ୍ବା ସ୍ବିସ୍ ବ୍ୟାଙ୍କ ଓ ଭାରତୀୟ ବ୍ୟାଙ୍କ ମଧ୍ୟରେ କାରବାର ବଢ଼ିଥିଲେ ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ବଢ଼ିଥାଇପାରେ ବୋଲି ସରକାର କହିଛନ୍ତି। ଭାରତୀୟଙ୍କ ଜମା ରାଶିରେ ହୋଇଥିବା ବୃଦ୍ଧି କିମ୍ବା ହ୍ରାସର ତଥ୍ୟ ଓ ତାହାର ସମ୍ଭାବ୍ୟ କାରଣ ଜଣାଇବା ଲାଗି ଭାରତ ସରକାର ସ୍ବିସ୍‌ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

ଜମା ରାଶି ତଥ୍ୟ ସ୍ବୟଂକ୍ରିୟ ଭାବେ ଆଦାନପ୍ରଦାନ ଲାଗି ଭାରତ ଓ ସ୍ବିଜରଲ୍ୟାଣ୍ଡ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୨୦୧୮ରେ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇଛି ଓ ବ୍ୟାଙ୍କ ତଥ୍ୟ ମିଳିବା ମଧ୍ୟ ଆରମ୍ଭ ହୋଇଛି। ଏହି ଚୁକ୍ତି ଅନୁସାରେ ଯେଉଁ ତଥ୍ୟ ମିଳିଛି ସେଥିରୁ ଭାରତୀୟଙ୍କ ଜମା ରାଶି ବଢ଼ିଥିବାର କୌଣସି ସଙ୍କେତ ମିଳୁନାହିଁ। ଉଲ୍ଲେଖଯୋଗ୍ୟ ଭାରତରେ ସ୍ବିସ୍ ବ୍ୟାଙ୍କ ଜମା ରାଶି ରାଜନୈତିକ ଦୃଷ୍ଟିକୋଣରୁ ଏକ ସମ୍ବେଦନଶୀଳ ରାଜନୈତିକ ପ୍ରସଙ୍ଗ। କଳାଧନ ବିରୋଧରେ ଯେଉଁ ଲଢ଼େଇ ଆରମ୍ଭ ହୋଇଛି ତାହାର ଏକ ଲକ୍ଷ୍ୟ ହେଉଛି ଭାରତୀୟମାନେ ବିଦେଶରେ ଲୁଚାଇ ରଖିଥିବା କଳାଧନକୁ ଦେଶ ଭିତରକୁ ଆଣିବା।

ସମ୍ବନ୍ଧିତ ଖବର