ନୂଆଦିଲ୍ଲୀ: ବାଂଲାଦେଶରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବା ବେଳେ ତାହାର ପ୍ରଭାବରେ ଟ୍ରକ୍ ଚଳାଚଳ ବନ୍ଦ ରହିଛି। ଫଳରେ ଭାରତ ଓ ବାଂଲାଦେଶ ମଧ୍ୟରେ କାରବାର ଏକ ପ୍ରକାର ଠପ୍ ହୋଇଯାଇଛି। ଦୁଇ ଦେଶ ଭିତରେ ହେଉଥିବା ବେପାରର ଏକ ତୃତୀୟାଂଶ ପେଟ୍ରାପୋଲ୍ ଭୂପୃଷ୍ଠ ବନ୍ଦର ଜରିଆରେ ହୋଇଥାଏ। ସେଠାକୁ ଟ୍ରକ୍ ଜରିଆରେ ମାଲ୍ ପଠାଇବା ସମ୍ଭବ ହେଉନାହିଁ। ସେଥିପାଇଁ ବନ୍ଦର କାର୍ଯ୍ୟକଳାପ ବନ୍ଦ ରହିଛି। କେବଳ ପେଟ୍ରାପୋଲ୍ ନୁହେଁ, ଗୋଜଡଙ୍ଗା, ଫୁଲବାରି ଓ ମାହାଡିପୁର ବନ୍ଦରରେ ମଧ୍ୟ କାରବାର ସମ୍ଭବ ହୋଇନାହିଁ। ବାଂଲାଦେଶ ସୀମା ଶୁଳ୍କ ବିଭାଗ ପକ୍ଷରୁ ଦୁଇ ଦିନ ଛୁଟି ଘୋଷଣା କରାଯାଇଛି। ମାଲ୍ଦାରୁ ବାଂଲାଦେଶ ଯାଇଥିବା ଟ୍ରକ୍ଗୁଡ଼ିକ ଆଉ ଫେରିନାହିଁ। ସେଠାରେ କିନ୍ତୁ ଟ୍ରକ୍ଗୁଡ଼ିକ ସୁରକ୍ଷିତ ଅଛି। ପେଟ୍ରାପୋଲ ସୀମାରେ ଟ୍ରକ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବେପାର ପାଇଁ ଯଦିଓ ସୀମା ଖୋଲା ରହିଛି, କିନ୍ତୁ ବିଣାପୋଲରେ ଦେଖାଦେଇଥିବା ସଙ୍କଟ ପାଇଁ ତାହା ପ୍ରଭାବିତ ହୋଇଛି।
ଗତ ଶନିବାର ଭାରତରୁ ୧୧୦ଟି ଟ୍ରକ୍ ବାଂଲାଦେଶ ଯାଇଥିଲେ। ସେଥିରୁ ୪୮ଟି ଟ୍ରକ୍ ରପ୍ତାନି ଉଦ୍ଦେଶ୍ୟରେ ଜିନିଷ ନେଇଥିଲେ। ପ୍ରାୟ ୭୦୦ ଟ୍ରକ୍ରେ ଜିନିଷପତ୍ର ବୋଝେଇ ହୋଇ ପାର୍କିଂ ସ୍ଥଳରେ ରହିଛି। ବାଂଲାଦେଶ ଯିବାକୁ ଅନୁମତି ଅପେକ୍ଷାରେ ଟ୍ରକ୍ଗୁଡ଼ିକ ରହିଛି। ପ୍ରତିଦିନ ହାରାହାରି ଭାବେ ୪୦୦-୪୫୦ ଟ୍ରକ୍ ଭାରତରୁ ବାଂଲାଦେଶ ଏବଂ ୧୫୦-୨୦୦ ଟ୍ରକ୍ ବାଂଲାଦେଶରୁ ଭାରତ ଆସିଥାଏ। ଛାତ୍ର ଆନ୍ଦୋଳନ ଯୋଗୁ ବେପାର ଠପ୍ ହୋଇଥିଲେ ମଧ୍ୟ ଯାତ୍ରୀଙ୍କ ଯାତାୟାତ ଅବ୍ୟାହତ ରହିଛି।