ଫ୍ରାନ୍ସକୁ ଟପି ଭାରତ ହେଲା ବିଶ୍ୱର ୬ଷ୍ଠ ବୃହତ୍ତ ଅର୍ଥନୀତି, ଖୁବଶୀଘ୍ର ବ୍ରିଟେନକୁ ପଛରେ ପକାଇବ

ନୂଆଦିଲ୍ଲୀ : ଭାରତ ହେଲା ବିଶ୍ୱର ୬ଷ୍ଠ ବୃହତ୍ତମ ଅର୍ଥନୀତି । ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ଫ୍ରାନ୍ସକୁ ପଛକୁ ଠେଲି ୬ ନମ୍ବର ସ୍ଥାନରେ ପହଞ୍ଚିଛି । ୨୦୧୭ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଆକାର ୨୦୧୭ରେ ୨.୫୯୭ ଟ୍ରିଲିୟନ (ଲକ୍ଷ କୋଟି) ଡଲାର ହୋଇଥିବାବେଳେ ଫ୍ରାନ୍ସର ଜିଡିପିର ଆକାର ୨.୫୮୨ ଟ୍ରିଲିୟନ ଡଲାର ରହିଛି । ଆମେରିକା ଏବେ ବିଶ୍ୱର ବୃହତ୍ତମ ଅର୍ଥନୀତି ଥିବାବେଳେ ଚୀନ ୨ୟ ବୃହତ୍ତମ ଅର୍ଥନୀତି ରହିଛି । ଚୀନ ପଛକୁ ଜାପାନ,ଜର୍ମାନି ଓ ବ୍ରିଟେନ ରହିଛନ୍ତି । ବ୍ରିଟେନର ଜିଡିପିର ଆକାର ୨.୬୨୨ ଟ୍ରିଲିୟନ ଡଲାର ଥିବାରୁ, ଭାରତ ଖୁବଶୀଘ୍ର ବ୍ରିଟେନକୁ କାଟି ୫ମ ସ୍ଥାନରେ ପହଞ୍ଚିବା ଆଶା କରାଯାଉଛି । ଆମେରିକା ଡିଜିପିର ଆକାର ୧୯.୩୯୦ ଟ୍ରିଲିୟନ ଡଲାର ଓ ଚୀନର ଜିଡିପିର ଆକାର ୧୨.୨୩୭ ଟ୍ରିଲିୟନ ଡଲାର ରହିଛି । ୧୩୫ କୋଟି ଜନସଂଖ୍ୟା ଥିବା ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି । ତେବେ ଫ୍ରାନ୍ସକୁ କାଟିବା ସତ୍ତ୍ୱେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଅନେକ ତଫାତ ରହିଛି ବୋଲି ରିପୋର୍ଟରେ ସ୍ପଷ୍ଟ କରିଦିଆଯାଇଛି । କାରଣ ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ମୁଣ୍ଡପିଛା ଜିଡିପି ଓ ମାତ୍ର ୬.୭ କୋଟି ଜନସଂଖ୍ୟା ବିଶିଷ୍ଟ ଫ୍ରାନ୍ସର ମୁଣ୍ଡପିଛା ଜିଡିପି ମଧ୍ୟରେ ଆକାଶ ପାତାଳ ତଫାତ ରହିଛି । ଫ୍ରାନ୍ସର ମୁଣ୍ଡପିଛା ଆୟ ଭାରତର ମୁଣ୍ଡପିଛା ଆୟର ପ୍ରାୟ ୨୦ ଗୁଣ । ଏଣୁ ପ୍ରକୃତରେ ଫ୍ରାନ୍ସର ସମକକ୍ଷ ହେବାକୁ ଭାରତ ତ ଦୂରର କଥା ଚୀନକୁ ମଧ୍ୟ ଆହୁରି କିଛି ବର୍ଷ ଲାଗିଯିବ ।

ସମ୍ବନ୍ଧିତ ଖବର