ନୂଆଦିଲ୍ଲୀ: ୨୦୨୪ର ପ୍ରଥମ ୬ ମାସରେ ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ୫ଜି ସ୍ମାର୍ଟଫୋନ୍‌ ବଜାରରେ ପରିଣତ ହେବ। ଆମେରିକାକୁ ପଛରେ ପକାଇ ଭାରତ ଏହି ସ୍ଥାନ ଦଖଲ କରିବ। କାଉଣ୍ଟରପଏଣ୍ଟ ରିସର୍ଚ୍ଚ ରିପୋର୍ଟରେ ଏହା କୁହାଯାଇଛି। ଏହି ଗବେଷଣା ସଂସ୍ଥାର ରିପୋର୍ଟରୁ ଜଣାଯାଇଛି ଯେ, ୨୦୨୪ର ପ୍ରଥମ ୬ ମାସରେ ୫ଜି ସ୍ମାର୍ଟଫୋନର ବିକ୍ରି ବିଶ୍ବରେ ଗତବର୍ଷ ତୁଳନାରେ ୨୦ ପ୍ରତିଶତ ବୃଦ୍ଧି ପାଇଛି। 

Advertisment

ବିଶ୍ବରେ ୫ଜି ସ୍ମାର୍ଟଫୋନ୍‌ ବିକ୍ରିରେ ଆପଲ୍‌ ସବୁଠୁ ଆଗରେ ରହିଛି। ଏହାର ଅଂଶ ୨୫ ପ୍ରତିଶତରୁ ଅଧିକ ରହିଛି। ଏହା ପଛକୁ ସାମସଙ୍ଗ୍‌ ୨୧ ପ୍ରତିଶତରୁ ଅଧିକ ଯୋଗଦାନ ସହିତ ଦ୍ବିତୀୟ ସ୍ଥାନରେ ରହିଛି। ଏହା ପଛକୁ ସାଓମି ତୃତୀୟ ସ୍ଥାନରେ ରହିଛି। ସାଓମି ପାଇଁ ଭାରତ ପ୍ରମୁଖ ବଜାର ରହିଛି। 

ଭାରତରେ ସାଓମି ତିନି ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛି। ମଧ୍ୟପ୍ରାଚ୍ୟ, ଆଫ୍ରିକା, ୟୁରୋପ ଏବଂ ଚୀନ ବଜାରରେ ଏହି କମ୍ପାନିର ବିକ୍ରି ୨ ଅଙ୍କ ବିଶିଷ୍ଟ ରହିଛି। ଶ୍ରେଷ୍ଠ ୧୦ଟି ବ୍ରାଣ୍ଡ୍‌ ମଧ୍ୟରେ ଥିବା ମୋଟରୋଲା ସବୁଠୁ ଅଧିକ ହାରବିଶିଷ୍ଟ ବିକ୍ରି ହାସଲ କରିଛି। କାରବୀୟ ଓ ଲାଟିନ ଆମେରିକୀୟ ଦେଶ, ଭାରତ, ମଧ୍ୟପ୍ରାଚ୍ୟ, ଆଫ୍ରିକା ଓ ଉତ୍ତର ଆମେରିକା ବଜାରରେ ଭଲ ବିକ୍ରି ଅଭିବୃଦ୍ଧି ଏହି କମ୍ପାନି ହାସଲ କରିଛି। 

କାଉଣ୍ଟରପଏଣ୍ଟ ରିସର୍ଚ୍ଚର ବରିଷ୍ଠ ବିଶ୍ଳେଷକ ପ୍ରାଚୀର ସିଂହ କୁହନ୍ତି, ୫ଜି ହ୍ୟାଣ୍ଡସେଟ୍‌ ବିକ୍ରି ଲଗାତାର ବଢ଼ିବାରେ ଲାଗିଛି। ଏଥିସହିତ ବଜେଟ୍‌ ସେଗ୍‌ମେଣ୍ଟ୍‌ରେ ଏହି ଫୋନର ଉପଲବ୍ଧତା ମଧ୍ୟ ବଢ଼ୁଛି। ତେଣୁ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାସଲକାରୀ ଦେଶଗୁଡ଼ିକରେ ଏହି ଫୋନ୍‌ର ବିକ୍ରିରେ ଭଲ ବୃଦ୍ଧି ଘଟୁଛି।