ନୂଆଦିଲ୍ଲୀ: ଦେଶର ନିଜସ୍ବ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ‘ଭାର୍‌ଓଏସ୍‌’କୁ ଆଜି ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଶିକ୍ଷ‌ା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି। ଆଇଆଇଟି ମାଡ୍ରାସ୍‌ରେ ଏହାକୁ ବିକାଶ କରାଯାଇଛି। ଗୁଗୁଲ୍‌ର ଆଣ୍ଡ୍ରଏଡ୍‌ ଓ ଆପଲ୍‌ର ଆଇଓଏସ୍‌ର ପ୍ରତିଦ୍ବନ୍ଦ୍ବୀ ଭାବେ ଏହା ଉଭା ହେବ।ଅପରେଟିଂ ସିଷ୍ଟମ୍ ହେଉଛି ଏକ ସଫ୍ଟଓୟାର। କୌଣସି ସ୍ମାର୍ଟଫୋନ୍ କାମ କରିବା ଲାଗି ସେଥିରେ ଅପରେଟିଂ ସି‌ଷ୍ଟମ୍ ରହିବା ଜରୁରୀ। ବର୍ତ୍ତମାନ ଭାରତରେ ଥିବା ଅଧିକାଂଶ ଫୋନ୍‌ରେ ଗୁଗୁଲ୍‌ର ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍ ରହିଛି। ଯେଉଁମାନେ ଆପଲ୍‌ ଆଇଫୋନ୍‌ ବ୍ୟବହାର କରୁଛନ୍ତି, ସେଥିରେ ଆଇଓଏସ୍‌ ରହିଛି। ଭାରତର ନିଜସ୍ବ ଅପରେଟିଂ ସି‌ଷ୍ଟମ୍ ଭାର୍‌ଓଏସ୍‌ରେ ଗୋପନୀୟତା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଭାର୍‌ଓଏସ୍‌କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରୀ ଏବଂ ସାର୍ବଜନୀନ କାର୍ଯ୍ୟରେ ବ୍ୟବହାର କରାଯିବ।

Advertisment

ଏହା ଦ୍ବାରା ବିଦେଶୀ ଅପରେଟିଂ ସିଷ୍ଟମ୍‌ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ। ଆଇଆଇଟି ମାଡ୍ରାସ୍‌ରେ ଇନ୍‌କୁବେସନରେ ଥିବା ସଂସ୍ଥା ଜାଣ୍ଡ୍‌କେ ଅପରେସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଭାର୍‌ଓଏସ୍‌ର ବିକାଶ କରାଯାଇଛି। ଏଥିପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପାଣ୍ଠି ଯୋଗାଇଛି। ଏହି ଆପ୍ ସମ୍ପର୍କରେ ଆଇଆଇଟି ମାଡ୍ରାସର ନିର୍ଦେଶକ ପ୍ରଫେସର ଭି କେ କାମକୋଟି କହିଛନ୍ତି ଯେ ବିଶ୍ବାସର ପୃଷ୍ଠଭୂମିରେ ଏହି ମୋବାଇଲ୍ ଆପ୍‌କୁ ବିକାଶ କରାଯାଇଛି। ଏହା ଜରିଆରେ ସ୍ମାର୍ଟଫୋନ୍ ଗ୍ରାହକମାନେ ଅଧିକ ସ୍ବାଧୀନତା, ନିୟନ୍ତ୍ରଣ ଓ ନମନିୟତା ପାଇବେ। ସେମାନେ କେବଳ ନିଜ ପସନ୍ଦର ଆପ୍ ଏହା ଜରିଆରେ ବ୍ୟବହାର କରିପାରିବେ।