ରୁଷରୁ ଭାରତ ତେଲ କିଣିବା ନେଇ ଆମେରିକା କହିଲା ଭାରତକୁ ଇତିହାସ ଭୁଲ୍‌ ବୁଝିପାରେ

ରୁଷକୁ ସମର୍ଥନ, ଆକ୍ରମଣକାରୀଙ୍କୁ ସମର୍ଥନ ସହ ସମାନ

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ବଳପୂର୍ବକ ଆକ୍ରମଣ କରିଥିବା ରୁଷକୁ ସାରା ବିଶ୍ବରେ ନିନ୍ଦା କରାଯାଉଥିବା ବେଳେ ସେହି ଦେଶରୁ ରିହାତି ଦରରେ ତେଲ କିଣିବା ଲାଗି ଭାରତ ପ୍ରସ୍ତୁତ ହେଉଛି। ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଚର୍ଚା ହେଉଛି। ତେବେ ଏ ସଂକ୍ରାନ୍ତରେ ଆମେରିକା ଆଜି ବଡ଼ ବୟାନ ଦେଇଛି। ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ହ୍ବାଇଟ୍ ହାଉସ୍‌ର ପ୍ରେସ୍ ସଚିବ ଜେନ୍ ସାକି ସ୍ପଷ୍ଟ କରିଛନ୍ତି ଯେ ରୁଷରୁ ରିହାତି ଦାମ୍‌ରେ ତେଲ କିଣିବାକୁ ରୁଷ ଉପରେ ଆମେରିକା ସରକାର ଲଗାଇଥିବା‌ କଟକଣାର ଉଲ୍ଲଂଘନ ଭାବେ ବିଚାର କରାଯିବ ନାହିଁ। ଆମେ ଯେଉଁ କଟକଣା ଲଗାଇଛୁ କିମ୍ବା ସୁପାରିସ କରିଛୁ ତାହାକୁ ଦେଶଗୁଡ଼ିକ ପାଳନ କରନ୍ତୁ ବୋଲି ଆମେ ଚାହୁଛୁ। ଯଦି ଭାରତ ରୁଷରୁ ତେଲ କିଣିବ ତେବେ ତାହା କଟକଣାର ଉଲ୍ଲଂଘନ କରିଛି ବୋଲି କୁହାଯିବ ନାହିଁ। କିନ୍ତୁ ଭାରତକୁ ଏହା ମନେ ରଖିବାକୁ ହେବ ଯେ ଏହା କାହା ସପକ୍ଷରେ ରହିଛି। ଯେତେବେଳେ ଇତିହାସ ଲେଖାଯିବ ଏହି ଘଟଣା ଲିପିବନ୍ଧ ହୋଇରହିବ। ଇତିହାସ ଭାରତକୁ ଭୁଲ ବୁଝିପାରେ। ରୁଷ ନେତୃତ୍ବକୁ ସମର୍ଥନ କରିବାର ଅର୍ଥ ହେଉଛି ଆକ୍ରମଣକାରୀଙ୍କୁ ସମର୍ଥନ କରିବା। ତାହାର ନିଶ୍ଚିତ ରୂପେ ବିଧ୍ବଂସକାରୀ ପ୍ରଭାବ ରହିବ ବୋଲି ସେ କହିଛନ୍ତି।

ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଭାରତ ସମର୍ଥନ କରୁନାହିଁ। ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବା ଲାଗି ଉଦ୍ୟମ କରିବାକୁ ଏହା ଆହ୍ବାନ ଦେଉଛି। ତେବେ ଜାତିସଂଘରେ ରୁଷ ବିରୋଧରେ ଭୋଟ ଦେବାରୁ ଏହା ବିରତ ରହିଛି। ଯେହେତୁ ଅତୀତରେ ଅନେକ ସମୟରେ ଜାତିସଂଘରେ ଭାରତକୁ ରୁଷ ରକ୍ଷା କରିଛି ଏବଂ ଏହା ଦେଶର ପ୍ରମୁଖ ପ୍ରତିରକ୍ଷା ଉପକରଣ ଯୋଗାଣକାରୀ ଦେଶ, ତେଣୁ ସବୁ କିଛି ବିଚାର କରି ଭାରତ ରୁଷ ବିରୋଧରେ କଠୋର ଶବ୍ଦ ବ୍ୟବହାର କରିବାରୁ ଦୂରେଇ ରହିଛି। ଆମେରିକାର ରାଷ୍ଟ୍ରପତି ଜୋ ‌ବାଇଡେନ୍‌ଙ୍କ ନେତୃତ୍ବାଧୀନ ସରକାର ଭଲ ଭାବେ ଭାରତର ସ୍ଥିତିକୁ ବୁଝିଛନ୍ତି। ଜାତୀୟ ସ୍ବାର୍ଥ ରକ୍ଷା ଲାଗି ରୁଷ ଉପରେ ଭାରତ ନିର୍ଭରଶୀଳ ରହିଛି ବୋଲି ଆମେରିକା ସରକାର ନିଜ ନୀତି ନିର୍ଧାରକମାନଙ୍କୁ ଜଣାଇଛି। ତେବେ ରୁଷରୁ ତେଲ କିଣିବା ଲାଗି ଭାରତ ବିଚାର କରୁଥିବା ବିଷୟ ଜାଣିବା ପରେ ଭାରତୀୟ-ଆମେରିକୀୟ କଂଗ୍ରେସ ପ୍ରତିନିଧି ଡକ୍ଟର ଆମି ବେରା ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯଦି ରୁଷରୁ ଭାରତ ରିହାତିରେ ତେଲ କିଣିବାକୁ ନିଷ୍ପତ୍ତି ନେବ, ତେବେ ଏହା ବିଚାର କରାଯିବ ଯେ ‌ଯେତେବେଳେ ୟୁକ୍ରେନବାସୀଙ୍କ ସମର୍ଥନରେ ସାରା ବିଶ୍ବର ଏକଜୁଟ ହେଉଛି, ଇତିହାସର ସେଭଳି ଏକ ଗୁରୁତ୍ବପୂର୍ଣ୍ଣ ସନ୍ଧିକ୍ଷଣରେ ଭାରତ ଭ୍ଲାଦିମିର ପୁଟିନ୍ (ରୁଷ ରାଷ୍ଟ୍ରପତି)ଙ୍କ ପକ୍ଷରେ ରହିବାକୁ ପସନ୍ଦ କରିଛି। କ୍ବାଡ୍‌ ସମୂହର ଏକ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ଭାବେ ପୁଟିନ ଓ ତାଙ୍କ ଆକ୍ରମଣକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସମର୍ଥନ କରିବା ଭଳି କୌଣସି ପଦକ୍ଷେପ ଗ୍ରହଣ ନକରିବା ଭାରତର ଦାୟିତ୍ବ ହେବା ଦରକାର ବୋଲି ସେ କହିଛନ୍ତି।

ଭାରତର ସରକାରୀ ତୈଳ କଂପାନି ଇଣ୍ଡିଆନ ଅଏଲ୍‌ ୨୦-୨୫ ଡଲାର ରିହାତିରେ ରୁଷରୁ ୩ ନିୟୁତ ବ୍ୟାରେଲ ତେଲ ମଗାଇଥିବା କୁହାଯାଉଛି। ରୁଷ ଦେଇଥିବା ରିହାତି ଅଫର ବିଷୟରେ ଆମେ ଗମ୍ଭୀରତାର ସହ ବିଚାର କରୁଛୁ ବୋଲି ଗତ ସୋମବାର ସଂସଦରେ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ। ଏନେଇ ରୁଷ ଅଧିକାରୀଙ୍କ ସହ ଆଲୋଚନା ଚାଲିଛି ବୋଲି ସେ ସୂଚନା ଦେଇଥିଲେ। ଭାରତ ଏହାର ୮୨% ତୈଳ ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରୁଥିବା ବେଳେ ବାର୍ଷିକ ଆବଶ୍ୟକତାର ମାତ୍ର ୨-୩% ତେଲ ରୁଷରୁ ମଗାଉଥିଲା। ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବା ପରେ ଏହା ଉପରେ ଆମେରିକା ଓ ୟୁରୋପ କଠୋର କଟକଣା ଲଗାଇଛନ୍ତି। ଏହାର ପ୍ରଭାବରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ କିଛି ସପ୍ତାହ ପୂର୍ବେ ବ୍ୟାରେଲ ପିଛା ୧୪୦ ଡଲାରରେ ପହଞ୍ଚିଥିଲା। ଅବଶ୍ୟ ଏବେ ତାହା ୧୦୦ ଡଲାର ତଳକୁ ଖସିଆସିଲାଣି। କିନ୍ତୁ, ନିଜ ତୈଳ ଚାହିଦା ପୂରଣ କରିବା ଲାଗି ରିହାତି ଦରରେ ରୁଷ ଯେଉଁ ତେଲ ଯାଚୁଛି ତାହା କିଣିବା ବିଷୟରେ ଭାରତ ଗମ୍ଭୀରତାର ସହ ବିଚାର କରୁଛି। ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ଏବିଷୟରେ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।

ସମ୍ବନ୍ଧିତ ଖବର