ଆଇସିସିର ନୂଆ ‘ମହିଳା ଉଦ୍ୟୋଗୀ କମିଟି’ ଗଠିତ, ଜାନୁଆରି ୧୧ରେ ଆୟୋଜନ କରାଯିବ ‘ମହିଳା ଲିଡର୍‌ସିପ୍ ସମ୍ମିଳନୀ’

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ମହିଳା ଉଦ୍ୟୋଗୀଙ୍କୁ ନେଇ ଏକ ନୂଆ କମିଟି ଗଠନ କରାଯାଇଛି। ମହିଳା ଉଦ୍ୟୋଗୀ ଓ ବୃତ୍ତିଧାରୀଙ୍କୁ ନେଇ ଗଠନ ହୋଇଥିବା ଏହି କମିଟି ଦେଶରେ ପ୍ରଥମ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଆଜି ହୋଟେଲ୍ ମେ’ଫେୟାରରେ ଆୟୋଜନ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଇସିସି ଓଡ଼ିଶାର ସହ-ଅଧ୍ୟକ୍ଷ ଜେ ବି ପାଣି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କମିଟିରେ ଏବେ ୪୦ ଜଣ ସଦସ୍ୟା ଅଛନ୍ତି। ବର୍ଷକ ଭିତରେ ସେହି ସଂଖ୍ୟା ୧୦୦ରୁ ଅଧିକ ହେବ। ସରକାର ଓ ଶିଳ୍ପ ଜଗତ ସହିତ ସମନ୍ବୟ ରକ୍ଷା କରି ଏହା କାର୍ଯ୍ୟ କରିବ। ବ୍ୟବସାୟର ନେତୃତ୍ବ ନେଉଥିବା ମହିଳା ଏବଂ ଉଦ୍ୟୋଗୀମାନଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ଏହା କାର୍ଯ୍ୟ କରିବ। ସଶକ୍ତୀକରଣ, ଶିକ୍ଷା, କୌଶଳ ବିକାଶ, ନିଯୁକ୍ତି, ଉଦ୍ୟମିତା ଓ ବ୍ୟବସାୟ ବିକାଶ ଭଳି ପ୍ରସଙ୍ଗ ଉପରେ ଏହା ବିଶେଷ ଧ୍ୟାନ ଦେବ।

ଆଇସିସି ମହିଳା ଉଦ୍ୟୋଗୀ କମିଟିର ପ୍ରଥମ ସଂଯୋଜିକା ଭାବେ ସୁକୀର୍ତି ପଟ୍ଟନାୟକ ଓ ସହ-ସଂଯୋଜିକା ଭାବେ ଡକ୍ଟର ଚିଦାତ୍ମିକା ଖଟୁଆଙ୍କୁ ଦାୟିତ୍ବ ଦିଆଯାଇଛି। ୧୦ ଜଣିଆ କୋର୍‌ ଆଡଭାଇଜରି କମିଟିରେ ସେମାନଙ୍କ ବ୍ୟତୀତ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ଅଧ୍ୟକ୍ଷା ଡକ୍ଟର ମୋନାଲିସା ବଳ, ଆଲ୍‌ଫା ସିଷ୍ଟମସ୍‌ର ନିର୍ଦେଶିକା ଡକ୍ଟର ପୁନମ ବଳିଆରସିଂହ, ଏସଏମଏ ଏକ୍ସପର୍ଟସ୍‌ର ନିର୍ଦେଶିକା ସୁନିତା ମହାନ୍ତି, ଶ୍ରୀ ହସ୍ପିଟାଲ୍‌ସର ଏମ୍‌ଡି ଶାଲୀନି କୋଠାକୋଣ୍ଡା, ଗ୍ଲେଜ୍ ହୋଟେଲସ୍‌ ଆଣ୍ଡ୍ ରିସୋର୍ଟସ୍‌ର ନିର୍ଦେଶିକା ସୁପ୍ରୀତି ମିଶ୍ର, ଜେଡ୍‌ ଇଷ୍ଟେଟ୍‌ସ୍‌ର ନିର୍ଦେଶିକା ଆମ୍ରପାଲି ମହାନ୍ତି ଓ ଫାଲ୍‌କନ୍‌ ଗ୍ରୁପ୍‌ର ନିର୍ଦେଶିକା ପ୍ରିୟଙ୍କା ମହାନ୍ତି ସଦସ୍ୟା ଅଛନ୍ତି। ଆଇସିସି ମହିଳା ଉଦ୍ୟୋଗୀ କମିଟି ପକ୍ଷରୁ ୨୦୨୦ ଜାନୁଆରି ୧୧ରେ ହୋଟେଲ୍‌ ମେ’ ଫେୟାରରେ ‘ମହିଳା ଲିଡର୍‌ସିପ୍‌ ସମ୍ମିଳନୀ’ ଆୟୋଜନ କରାଯିବ। ସେହିଦିନ କମିଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯିବ। ଏଥିରେ ବ୍ଲୋସମ୍‌ କୋଚର୍‌ ଗ୍ରୁପ୍‌ର ଏମ୍‌ଡି ସାମନ୍ଥା କୋଚର ମୁଖ୍ୟ ଅତିଥି, ବିଉଟି ଇସ୍ପେସ୍‌ ମିଡିଆର ମୁଖ୍ୟ ସମ୍ପାଦିକା ରିତୁ ଝା, ବଲିଉଡ୍‌ ଅଭିନେତ୍ରୀ ମୁଗ୍‌ଧା ଗୋଡ୍‌ସେ ଓ ଭାରତୀୟ ବାୟୁ ସେନାର ଗ୍ରୁପ୍ କ୍ୟା‌ପ୍‌ଟେନ୍ ଅନ୍ୟତମ ଅତିଥି ଭାବେ ଯୋଗ ଦେବେ। କମିଟିର ସମସ୍ତ ୪୦ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହା ବ୍ୟତୀତ କମିଟି ପକ୍ଷରୁ ବର୍ଷତମାମ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଗ୍ରାମାଞ୍ଚଳରେ ରହୁଥିବା ମହିଳା ଉଦ୍ୟୋଗୀଙ୍କ ପାଇଁ ବାଣିଜ୍ୟ ମେଳା ଆୟୋଜନ କରାଯିବ। ବିଭିନ୍ନ ପ୍ରକାରର ଜାତୀୟ ଓ ଆନ୍ତର୍ଜାତିକ ସେମିନାର ଆୟୋଜନ କରାଯିବ ଏବଂ ମହିଳା ଉଦ୍ୟୋଗୀଙ୍କୁ ଶିଳ୍ପ ପରିଦର୍ଶନରେ ନେବାକୁ ମଧ୍ୟ କମିଟି ଯୋଜନା ରଖିଛି।

ସମ୍ବନ୍ଧିତ ଖବର