ଆଇସିସିର ସୁପାରିସ: ନିଲାମରେ ଖଣି ସହ ଜଙ୍ଗଲ, ପରିବେଶ ମଞ୍ଜୁରି ଦିଆଯାଉ

ବେନିଫିସିଏସନ୍‌କୁ ପ୍ରୋତ୍ସାହନ ଦିଆଯାଉ, ମିଳିତ ଉଦ୍ୟମରେ ସ୍ଲରି ପାଇପ୍‌ଲାଇନ୍ ବିଛାଇବାକୁ ପରାମର୍ଶ

ଭୁବନେଶ୍ବର: ନିଲାମରେ ଯେଉଁ ସଂସ୍ଥା ଖଣି ପାଇବ ତାହାକୁ ଖଣି ସହିତ ଜଙ୍ଗଲ ଓ ପରିବେଶ ମଞ୍ଜୁରି ମଧ୍ୟ ଦିଆଯାଉ। ଏହା ହେଲେ ଉତ୍ପାଦନକ୍ଷମ ଥିବା ଖଣିଗୁଡ଼ିକର ଉତ୍ପାଦନ ପ୍ରଭାବିତ ହେବ ନାହିଁ। ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ଆଜି ଇଣ୍ଡିଆନ୍ ଚାମ୍ବର ଅଫ୍‌ କମର୍ସ(ଆଇସିସି) ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ମେ’ଫେୟାର କନ୍‌ଭେନ୍‌ସନ୍‌ରେ ଆୟୋଜନ କରାଯାଇଥିବା ଦୁଇ ଦିନିଆ କ୍ଲେଭ୍ ୨୦୧୯’ର ଉଦ୍‌ଯାପନୀ ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଇସିସି ପକ୍ଷରୁ କନ୍‌କ୍ଲେଭ୍‌ରେ ହୋଇଥିବା ଆଲୋଚନା ଏବଂ ସରକାରଙ୍କୁ ଦିଆଯିବାକୁ ଥିବା ସୁପାରିସ୍‌ଗୁଡ଼ିକର ବିବରଣୀ ପ୍ରଦାନ କରାଯାଇଛି। ଏହି ଅବସରରେ ଆଇସିସି ଓଡ଼ିଶା ଶାଖା ପରିଷଦର ଇସ୍ପାତ ଓ ଖଣି କମିଟିର ସଂଯୋଜକ ମନିଷ ଖରବନ୍ଦା କହିଛନ୍ତି ଯେ, ଦେଶରେ ଏକ ସମନ୍ବିତ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ପ୍ରକ୍ରିୟାର ଅଭାବ ରହିଥିବାରୁ ଜଙ୍ଗଲ ଓ ପରିବେଶ ମଞ୍ଜୁରି ହାସଲ କରିବା ଲାଗି ୫-୮ ବର୍ଷ ସମୟ ଲାଗିଯାଉଛି। ମାତ୍ର ବ୍ରାଜିଲ, ଚିଲି, ଆମେରିକା ଏବଂ କାନାଡ଼ା ଭଳି ଦେଶରେ ବର୍ଷକରୁ କମ୍ ସମୟରେ ଏହି ସବୁ ମଞ୍ଜୁରି ମିଳିଯାଉଛି। ୨୦୨୦ ମାର୍ଚ୍ଚରେ ରାଜ୍ୟରେ ଉତ୍ପାଦନକ୍ଷମ ଥିବା ୨୪ଟି ଖଣିର ଲିଜ୍ ଅବଧି ଶେଷ ହେବାକୁ ଯାଉଛି। ଏହି ଖଣିଗୁଡ଼ିକରେ ବର୍ଷକୁ ୬୦ ନିୟୁତ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ କରାଯାଉଛି। ଯଦି ଧାର୍ଯ୍ୟ ସମୟ ଭିତରେ ଖଣି ନିଲାମ ଶେଷ ନହେବ ତେବେ ଧାତୁ ଓ ଖଣି ଶିଳ୍ପରେ ଗୁରୁତର କଞ୍ଚାମାଲ ସମସ୍ୟା ଦେଖାଦେବ। ଏଭଳି ଅଭାବନୀୟ ସ୍ଥିତିକୁ ଏଡ଼ାଇବା ଲାଗି ନିଲାମରେ ଅନ୍ତର୍ଭୁକ୍ତ ‌କରାଯାଉଥିବା ଖଣିଗୁଡ଼ିକ ସହିତ ଜଙ୍ଗଲ ଓ ପରିବେଶ ମଞ୍ଜୁରିକୁ ଯୋଡ଼ାଯାଉ ବୋଲି ଆଇସିସି ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଉଛି। ଏହି ଦୁଇ ମଞ୍ଜୁରି ଥିଲେ ଖଣି ଲିଜ୍ ପାଇବା ସହଜ ହେବ ଏବଂ ଖଣିଜ ଉତ୍ପାଦନ ବନ୍ଦ ହେବ ନାହିଁ। କେନ୍ଦ୍ର ସରକାରଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଇସିସି ତରଫରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମର ଧାରା ୧୦ଏ (୨)(ବି) ଏବଂ ୧୦ଏ(୨)(ସି) ଅଧୀନରେ ଯେଉଁ ୨୦୦ ପାଖାପାଖି ଆବେଦନ ଦୀର୍ଘ ଦିନ ଧରି ପଡ଼ିରହିଛି ତାହାର ଶୀଘ୍ର ପ୍ରକ୍ରିୟାକରଣ କରିବା ଲାଗି ପଦକ୍ଷେପ ନେବାକୁ ଆଇସିସି ତରଫରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଓଡ଼ିଶାରେ ଉତ୍ପାଦନ ହେଉଥିବା ୫୬% ଲୁହା ପଥର ନିମ୍ନ ମାନର ହୋଇଥିବାରୁ ସେଗୁଡ଼ିକର ବେନିଫିସିଏସନ୍ କରିବାକୁ ଏହି ଶିଳ୍ପ ଚାମ୍ବର ପ୍ରସ୍ତାବ ଦେଇଛି। ବେନିଫିସିଏସନ୍‌କୁ ପ୍ରୋତ୍ସାହିତ କରିବା ଲାଗି ସରକାର ପ୍ରୋତ୍ସାହନ ଏବଂ ଟିକସରେ ରିହାତି ଆଦିର ବ୍ୟବସ୍ଥା କରିବା ଦରକାର ବୋଲି ଆଇସିସି କହିଛି। ରେଳ, ସଡ଼କ ଓ ଜଳପଥରେ ସୁବିଧାରେ ଯେଭଳି ଖଣିଜ ପଦାର୍ଥ ପରିବହନ ହୋଇପାରିବ ସେଥିପାଇଁ ବ୍ୟବସ୍ଥା କରାଯିବା ଦରକାର। ସରକାର ଓ ଉଦ୍ୟୋଗ ଜଗତ ମିଳିତ ଭାବେ ପୁଞ୍ଜିନିବେଶ କରି ସ୍ଲରି ପାଇପ୍‌ଲାଇନ୍ ବିଛାଇବାକୁ ଆଇସିସି ପ୍ରସ୍ତାବ ଦେଇଛି। ସେହି ପାଇପ୍‌ଲାଇନ୍‌ ଦ୍ବାରା ସମସ୍ତ ସଂସ୍ଥା ଲାଭବାନ ହୋଇପାରିବେ ବୋଲି ଏହି ଶିଳ୍ପ ଚାମ୍ବର କହିଛି। ଏହି ଅବସରରେ ଆଇସିସି ଓଡ଼ିଶା ଶାଖା ପରିଷଦର ଅଧ୍ୟକ୍ଷ ଏମ୍ ସି ଥୋମାସ ଓ ସହ-ଅଧ୍ୟକ୍ଷ ଜେ ବି ପାଣି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର