ଭାରତ, ଚୀନ ଅଭିବୃଦ୍ଧି ସମାନ ରହିବ: ୬.୧%ରେ ଆଗକୁ ବଢ଼ିବେ ଉଭୟ ଦେଶ

ନ୍ୟୁୟର୍କ: ଭାରତ ସହିତ ଚୀନର ଜିଡିପି ଅଭିବୃଦ୍ଧି ଚଳିତ ବର୍ଷ ଟାଇ ହେବ ବା ସମାନ ରହିବ। ଭାରତର ଜିଡିପି ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୬.୧ ପ୍ରତିଶତ ରହିବ। ଚୀନ ମଧ୍ୟ ଭାରତ ସହ ସମାନ ହାରରେ ଚଳିତବର୍ଷ ଆଗକୁ ବଢ଼ିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ ଆଜି ଏହି ଆକଳନ କରାଯାଇଛି। ଫଳରେ‌ ବିଶ୍ବର ପ୍ରମୁଖ ଅର୍ଥନୀତି ଗୁଡ଼ିକ ମଧ୍ୟରେ ଭାରତ ଏବଂ ଚୀନର ଅଭିବୃଦ୍ଧି ସର୍ବାଧିକ ରହିବ। ତେବେ ଭାରତର ଅଭିବୃଦ୍ଧି ୭ ପ୍ରତିଶତ ରହିବ ଗତ ଜୁଲାଇରେ ଆଇଏମ୍‌ଏଫ୍‌ ଆକଳନ କରିଥିବାବେଳେ ଏପ୍ରିଲରେ ୭.୩ ପ୍ରତିଶତ ରହିବ ବୋଲି କହିଥିଲା। ଗତ ଆଇଏମ୍‌ଏଫ୍‌ ଆଜି ଏହାର ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ ରିପୋର୍ଟରେ କହିଛି, ୨୦୨୦ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୭ ପ୍ରତିଶତକୁ ବୃଦ୍ଧି ପାଇବ।

କିନ୍ତୁ ଚଳିତ ଆର୍ଥିକବର୍ଷରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି କେବଳ ୩ ପ୍ରତିଶତ ରହିବ ଏବଂ ଆସନ୍ତା ଆର୍ଥିକବର୍ଷରେ ଏହା ୩.୪ ପ୍ରତିଶତକୁ ବୃଦ୍ଧି ଘଟିବ। ଭାରତର ଅଭିବୃଦ୍ଧି ମନ୍ଥରର କାରଣ ସମ୍ପର୍କରେ ଭାରତର ଅଟୋମୋବାଇଲ ଏବଂ ରିଅଲ ଇଷ୍ଟେଟ ଶିଳ୍ପର ସ୍ଥିତି ଭଲ ନଥିବାକୁ ଦର୍ଶାଯାଇଛି। ସେହିଭଳି ଏନବିଏଫସିର ସ୍ଥିତି ମଧ୍ୟ ଭଲ ନାହିଁ। ଚଳିତବର୍ଷ ୟୁରୋ ଅଞ୍ଚଳର ଅଭିବୃଦ୍ଧି ୧.୨ ପ୍ରତିଶତ ଏବଂ ଆସନ୍ତାବର୍ଷ ୧.୪ ପ୍ରତିଶତ ରହିବ ବୋଲି ଆଇଏମ୍‌ଏଫ୍‌ କହିଛି। ସେହିଭଳି ଆମେରିକା ଅର୍ଥନୀତିର ଅଭିବୃଦ୍ଧି ଚଳିତବର୍ଷ ୨.୧ ପ୍ରତିଶତ ଏବଂ ଆସନ୍ତାବର୍ଷ ୨.୪ ପ୍ରତିଶତ ରହିବ। ବିଶ୍ବ ଅର୍ଥନୈତିକ ଦୃଷ୍ଟିକୋଣ ରିପୋର୍ଟରେ ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି, ୨୦୦୭-୦୮ରେ ବିଶ୍ବ ମାନ୍ଦାବସ୍ଥା ପରଠାରୁ ଚଳିତବର୍ଷ ବିଶ୍ବ ଅଭିବୃଦ୍ଧି ସବୁଠୁ କମ୍ ରହିବ। ୨୦୧୭ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ୩.୮ ପ୍ରତିଶତ ରହିଥିଲା।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୁଦ୍ରାନୀତିକୁ ଗତ କିଛି ମାସ ହେଲା କୋହଳ କରାଯାଉଛି, ସରକାର ନିକଟରେ କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ଏଥିସହିତ ବିଭିନ୍ନ କ୍ଷେତ୍ରର ସୁଧାର ପାଇଁ ମଧ୍ୟ ଅନେକ ପଦକ୍ଷେପ ଘୋଷଣା କରାଯାଇଛି। ଏହାର ପ୍ରଭାବ ଅର୍ଥନୀତି ଉପରେ ଆଗାମୀ ଦିନରେ ପଡ଼ିବ। ଫଳରେଆଗାମୀ ବର୍ଷ ଗୁଡ଼ିକରେ ଭାରତର ଅଭିବୃଦ୍ଧି ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ଢାଞ୍ଚାଗତ ସଂସ୍କାର କାର୍ଯ୍ୟକାରୀ କରାଯାଇଥିବାରୁ ମଧ୍ୟମ ଅବଧିରେ ଭାରତର ଅଭିବୃଦ୍ଧି ୭.୩ ପ୍ରତିଶତରେ ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି।

ସମ୍ବନ୍ଧିତ ଖବର