ପୁଣି ଧମକାଇଲେ ଟ୍ରମ୍ପ

ୱାସିଂଟନ : ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଚୀନ୍‌କୁ ପୁଣି ଟାର୍ଗେଟ କରିଛନ୍ତି। ଏସିଆର ଏହି ଦୁଇ ଆର୍ଥିକ ମହାଶକ୍ତି ଆଉ ବିକାଶଶୀଳ ଦେଶ ହୋଇ ନାହାନ୍ତି। କିନ୍ତୁ ବିକାଶଶୀଳ ଦେଶ ଭାବେ ଏମାନେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରୁ ସବୁ ସୁବିଧା ସୁଯୋଗ ନେଉଛନ୍ତି। ତେବେ ସେ ଏହା ଆଉ କରିବାକୁ ଦେବେ ନାହିଁ ବୋଲି ‌କହିଛନ୍ତି। ଭାରତକୁ ଟ୍ରମ୍ପ ଟିକସ ରାଜା ଦେଶ ଭାବେ ଆଖ୍ୟା ଦେଇଛନ୍ତି। ଆମେରିକାର ଉତ୍ପାଦ ଉପରୁ ଭାରତ ମାତ୍ରାଧିକ ଟିକସ ଆଦାୟ କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଆସୁଛନ୍ତି।

ଗତମାସରେ ବିକାଶଶୀଳ ଦେଶର ସଂଜ୍ଞା କିଭଳି ନିର୍ଣ୍ଣୟ କରାଯାଉଛି ତାହା ଜଣାଇବା ପାଇଁ ଟ୍ରମ୍ପ ବିଶ୍ବ ବାଣିଜ୍ୟ ସଂଗଠନକୁ କହିଥିଲେ। ଏହାଦ୍ବାରା ଟ୍ରମ୍ପ ଭାରତ ସମେତ ଚୀନ୍ ଏବଂ ତୁର୍କୀକୁ ଟାର୍ଗେଟ କରିଥିଲେ। ଏହିସବୁ ଦେଶ ବିଶ୍ବ ବାଣିଜ୍ୟ ସଂଗଠନ ଅଧୀନରେ ଅଧିକ ସୁବିଧା ସୁଯୋଗ ପାଉଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ କରିଆସୁଛନ୍ତି। ବିଶ୍ବ ବାଣିଜ୍ୟ ସଂଗଠନରେ ଥିବା ଗଳାବାଟକୁ ଆଧାର କରି ବିକଶିତ ଅର୍ଥନୀତି ଅଧିକ ସୁବିଧା ସୁଯୋଗ ନେଉଥିବାରୁ ତାହାକୁ ରୋକିବା ପାଇଁ ଟ୍ରମ୍ପଙ୍କ ପକ୍ଷରୁ ଗତମାସରେ ଆମେରିକାର ବାଣିଜ୍ୟ ପ୍ରତିନିଧିଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

ମଙ୍ଗଳବାର ପେନସିଲଭାନିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଟ୍ରମ୍ପ କହିଛନ୍ତି, ଭାରତ ଏବଂ ଚୀନ ହେଉଛନ୍ତି ଏସିଆର ଦୁଇଟି ବୃହତ୍ ଅର୍ଥନୀତି। ସେମାନେ ଆଉ ବିକାଶଶୀଳ ଅର୍ଥନୀତି ହୋଇ ରହିନାହାନ୍ତି। କିନ୍ତୁ ସେମାନେ ବିକାଶଶୀଳ ଦେଶଭାବେ ବିଶ୍ବ ବାଣିଜ୍ୟ ସଂଗଠନର ସୁବିଧା ସୁଯୋଗ ନେଉଥିବାରୁ ଆମେରିକା ଅସୁବିଧାରେ ପଡ଼ୁଛି। ତେଣୁ ଜେନେଭାଭିତ୍ତିକ ଏହି ସଂଗଠନ ଆମେରିକାକୁ ନ୍ୟାୟ ପ୍ରଦାନ କରିବ ବୋଲି ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର