ଚୀନ୍‌ଠାରୁ ବହୁ ଆଗରେ ଭାରତ: ଅଭିବୃଦ୍ଧି ହାର ୮.୨%କୁ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍‌-ଜୁନ୍‌)ରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮.୨% ହୋଇଛି। ବିଗତ ଦୁଇ ବର୍ଷ ଭିତରେ ଏହା ଦେଶର ସର୍ବୋଚ୍ଚ ଅଭିବୃଦ୍ଧି। ମାନୁଫାକ୍‌ଚରିଂ ଓ କୃଷି କ୍ଷେତ୍ରର ଜବରଦସ୍ତ ପ୍ରଦର୍ଶନ ଯୋଗୁ ଭାରତ ଏଭଳି ସଫଳତା ହାସଲ କରିଛି। ଏଥି ସହିତ ଚୀନ୍‌ଠାରୁ ଭାରତ ଆହୁରି ଅଧିକ କିଛି ପାଦ ଆଗକୁ ବଢ଼ିଯାଇଛି। ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଭାରତ ଏହାର ସ୍ଥିତିକୁ ଆହୁରି ମଜବୁତ୍‌ କରିପାରିଛି। ଚୀନ୍‌ର ଅଭିବୃଦ୍ଧି ହାର ୨୦୧୮ ଏପ୍ରିଲ୍‌-ଜୁନ୍‌ରେ ୬.୭% ଥିଲା ଯାହା ଭାରତର ୮.୨% ଅଭିବୃଦ୍ଧିଠାରୁ ବହୁତ କମ୍‌। ୨୦୧୮ ଜାନୁଆରି-ମାର୍ଚରେ ଜିଡିପି ଅଭିବୃଦ୍ଧି ହାର ୭.୭% ଥିଲା ଯାହା ତିନି ମାସରେ ପରେ ବୃଦ୍ଧି ପାଇ ୮.୨% ହୋଇଛି। ଗତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଅଭିବୃଦ୍ଧି ହାର ୫.୫୯% ହୋଇଥିଲା। ପୂର୍ବରୁ ୨୦୧୫-୧୬ର ଜାନୁଆରି-ମାର୍ଚ ଅବଧିରେ ଅଭିବୃଦ୍ଧି ହାର ୯.୩% ଭଳି ଉଚ୍ଚ ସ୍ତରରେ ଥିଲା। କିନ୍ତୁ ସେହି ସଫଳତା ପରବର୍ତି ସମୟରେ ଦେଖିବାକୁ ମିଳିନଥିଲା। ବିମୁଦ୍ରାକରଣ ଓ ଜିଏସ୍‌ଟି ଲାଗୁ ହେବାରୁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିଲା।

ଭାରତ ଏବେ ୩୩.୭୪ ଲକ୍ଷ କୋଟିର ଅର୍ଥନୀତି
ମାନୁଫାକ୍‌ଚରିଂ, କୃଷିର ଅଭିବୃଦ୍ଧି ଉତ୍ସାହଜନକ
ଖଣି, ରିଅଲ୍‌ ଇଷ୍ଟେଟ୍‌ ଚିନ୍ତାଜନକ

ସମୟ ଗଡ଼ିଚାଲିବା ସହିତ ଏହି ଦୁଇ ବଡ଼ ଧରଣ ସଂସ୍କାର ପଦକ୍ଷେପର ପ୍ରଭାବ ଦୂର ହେବାରେ ଲାଗିଛି। ଦେଶର ଅର୍ଥନୀତି ପୁଣି ଥରେ ଉଚ୍ଚ ଅଭିବୃଦ୍ଧି ପଥକୁ ଫେରିଛି। କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ଅନୁଯାୟୀ, ଭାରତର ଜିଡିପି ପରିମାଣ ଟଙ୍କା ହିସାବରେ ୩୩.୭୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବର୍ଷକ ପୂର୍ବରୁ ତାହା ୩୧.୧୮ ଲକ୍ଷ କୋଟି ଟଙ୍କା ଥିଲା। ଗ୍ରସ୍‌ ଭାଲ୍ୟୁ ଆଡେଡ୍‌ (ଜିଭିଏ) ଅନୁଯାୟୀ ହିସାବ କଲେ ଦେଶର ଅଭିବୃଦ୍ଧି ୮% ହେଉଛି। ସେହିପରି ଏହି ମଡେଲ୍‌ର ଦେଶର ଜିଡିପି ପରିମାଣ ୩୧.୬୩ ଲକ୍ଷ କୋଟି ଟଙ୍କା ହେଉଛି। ଉତ୍ପାଦନ ଦୃଷ୍ଟିରୁ ଦେଶର ବିକାଶ ହାରକୁ ‘ଜିଭିଏ’ରେ ଆକଳନ କରାଯାଇଥାଏ। ଉପଭୋକ୍ତା ଦୃଷ୍ଟିରୁ ଦେଶର ଅଭିବୃଦ୍ଧିକୁ ‘ଜିଡିପି’ ଆକାରରେ ପ୍ରଦର୍ଶନ କରାଯାଇଥାଏ। ଜିଭିଏ ତୁଳନାରେ ଜିଡିପି ତଥ୍ୟ ଅଧିକ ଗ୍ରହଣୀୟ ହେଉଛି।୨୦୧୮-୧୯ର ପ୍ରଥମ ତିନି ମାସରେ ମାନୁଫାକ୍‌ଚରିଂ କ୍ଷେତ୍ରରେ ୧୩.୫%, କୃଷି-ନବୀକରଣ-ମତ୍ସ୍ୟ ଚାଷ ୫.୩% ଓ ବିଦ୍ୟୁତ-ଗ୍ୟାସ୍‌-ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ ୟୁଟିଲିଟି ସେବା କ୍ଷେତ୍ର ୭.୩% ଅଭିବୃଦ୍ଧି ହାସଲ କରିଛି। ଆର୍ଥିକ ସେବା, ରିଅଲ ଇଷ୍ଟେଟ୍‌, ବୃତ୍ତିଗତ ସେବା, ବାଣିଜ୍ୟ, ହୋଟେଲ୍‌, ପରିବହନ, ଯୋଗାଯୋଗ, ଖଣି ଓ ଉତ୍ତୋଳନ କ୍ଷେତ୍ରର ଅଭିବୃଦ୍ଧି ନୈରାଶ୍ୟଜନକ ରହିଛି। ଦେଶର ଅଭିବୃଦ୍ଧିକୁ ତଥ୍ୟକୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି, ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ଅର୍ଥ ସଚିବ ହସମୁଖ ଆଧିଆ, ଅର୍ଥନୈତିକ ବ୍ୟାପାର ସଚିବ ଏସ୍‌ସି ଗର୍ଗ ଓ ଶିଳ୍ପ ଜଗତ ଆନନ୍ଦ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର