ଅର୍ଥନୀତିରେ କିଛି ଉଜ୍ଜ୍ବଳ ଚିହ୍ନ, ବହୁ କଳାଦାଗ: ରାଜନ

ନୂଆଦିଲ୍ଲୀ : ଭାରତୀୟ ଅର୍ଥନୀତିରେ କିଛି ଉଜ୍ଜ୍ବଳ ଚିହ୍ନ ଥିବା ବେଳେ ବହୁ ସଂଖ୍ୟକ କଳାଦାଗ ମଧ୍ୟ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏହା କହିଛନ୍ତି। ଅର୍ଥନୀତିର ଉଜ୍ଜ୍ବଳ ଚିହ୍ନ ଓ କଳାଦାଗ ମଧ୍ୟରେ ଯେଭଳି ଅନ୍ତର ଅଧିକ ନହୁଏ ତାହା ନିଶ୍ଚିତ କରିବା ଲାଗି ସରକାରଙ୍କୁ ଯତ୍ନର ସହ ବ୍ୟୟ କରିବାକୁ ହେବ ବୋଲି ସେ କହିଛନ୍ତି।

ଭାରତୀୟ ଅର୍ଥନୀତିରେ ଇଂରାଜି ଅକ୍ଷର ‘K’ (କେ) ଭଳି ସୁଧାର ହେଉଛି। ଏଭଳି ସୁଧାରରେ କ୍ଷୁଦ୍ର ଶିଳ୍ପ ସଂସ୍ଥା ତୁଳନାରେ ପ୍ରଯୁକ୍ତି ଓ ଅଧିକ ପୁଞ୍ଜି ରଖିଥିବା ବଡ଼ କଂପାନିଗୁଡ଼ିକର ସ୍ଥିତିରେ ଶୀଘ୍ର ସୁଧାର ଘଟିଥାଏ। ମହାମାରୀ ସମୟରେ କ୍ଷୁଦ୍ର ଶିଳ୍ପଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ‘କେ’ ଭଳି ସୁଧାର ବଦଳରେ ଯେଭଳି ସୁଧାରର ଲାଭ ସବୁ ବର୍ଗରେ ପହଞ୍ଚିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜନ କହିଛନ୍ତି। ମହାମାରୀ ଯୋଗୁଁ ମଧ୍ୟବିତ୍ତ ଶ୍ରେଣୀ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଏବଂ ପିଲାମାନଙ୍କ ଉପରେ ଯେଉଁ ପ୍ରଭାବ ପଡ଼ିଛି ତାହାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି।

ଅର୍ଥନୀତିରେ ଦେଖାଦେଇଥିବା ଉଜ୍ଜ୍ବଳ ଚିହ୍ନଟଗୁଡ଼ିକ ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବଡ଼ ସଂସ୍ଥାଗୁଡ଼ିକର କାରବାର ବଢ଼ିବା, ଆଇଟି ଓ ତତ୍‌ ସଂକ୍ରାନ୍ତୀୟ କଂପାନି ଭଲ ବ୍ୟବସାୟ କରିବା, ଦେଶରେ ସଂଖ୍ୟାଧିକ ଷ୍ଟାର୍ଟଅପ୍ ସଂସ୍ଥା ୟୁନିକର୍ଣ୍ଣରେ ପରିଣତ ହେବା ଓ ଆର୍ଥିକ କ୍ଷେତ୍ରର କିଛି ଅଂଶରେ ଦେଖାଦେଇଥିବା ସୁଧାର ହେଉଛି ଉଜ୍ଜ୍ବଳ ଚିହ୍ନ। କଳାଦାଗଗୁଡ଼ିକ ହେଉଛି‌ ବେକାରି ସମସ୍ୟା ବଢ଼ିବା, ନିମ୍ନ ଓ ମଧ୍ୟବିତ୍ତ ପରିବାରଗୁଡ଼ିକର କ୍ରୟ ଶକ୍ତି ହ୍ରାସ ପାଇବା ଏବଂ କ୍ଷୁଦ୍ର ଓ ମଧ୍ୟମ ସଂସ୍ଥାଗୁଡ଼ିକର ଆର୍ଥିକ ଚାପ ଇତ୍ୟାଦି।

ସମ୍ବନ୍ଧିତ ଖବର