ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ୧୫ ହଜାର ଲିଟରର କିରାସିନି ପଠାଇଛି। ତାମିଲ ଅଧ୍ୟୁଷିତ ଜାଫନା ସହରରେ ପାୱାର ଫେରି ସେବା ପ୍ରଦାନକାରୀ ଏବଂ ୭୦୦ ମତ୍ସ୍ୟଜୀବୀଙ୍କୁ ଏହି କିରାସିନି ବଣ୍ଟନ କରାଯାଇଛି। ଜାଫନାରେ ଅବସ୍ଥାପିତ ଭାରତର କନସୁଲେଟ ଜେନେରାଲ ରାକେଶ ନଟରାଜ ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଭାରତ ଶ୍ରୀଲଙ୍କାକୁ ୨୫ ଟନରୁ ଅଧିକ ମେଡିକାଲ ସାମଗ୍ରୀ ଯୋଗାଇ ଦେଇଛି। ଏହାର ମୂଲ୍ୟ ୭ ଲକ୍ଷ ଆମେରିକୀୟ ଡଲାର ହେବ ବୋଲି କୁହାଯାଇଛି। କିରାସିନି ଓ ଔଷଧ ପୂର୍ବରୁ ଭାରତ ୪୦ ହଜାର ଟନ ପେଟ୍ରୋଲ ଏବଂ ୪୦ ହଜାର ଟନ୍ ଡିଜେଲ ଯୋଗାଇ ଦେଇଥିଲା। ଏଥିସହିତ ଗତ ସପ୍ତାହରେ ରିଲିଫ ସାମଗ୍ରୀ ଆକାରରେ ୯ ହଜାର ମେଟ୍ରିକ ଟନର ଚାଉଳ, ୨୦୦ ମେଟ୍ରିକ ଟନର ଦୁଗ୍ଧଗୁଣ୍ଡ, ୨୪ ମେଟ୍ରିକ ଟନର ଜୀବନ ରକ୍ଷାକାରୀ ଔଷଧ ପଠାଇଥିଲା। ସେଗୁଡ଼ିକର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ। ବର୍ତ୍ତମାନର ଜଟିଳ ପରିସ୍ଥିତିରେ ଭାରତ ଶ୍ରୀଲଙ୍କାକୁ ଯୋଗାଉଥିବାରୁ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ ଭାରତର ପ୍ରଶଂସା କରିଥିଲେ। ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କଥା ହୋଇ ପ୍ରଶଂସା ଜଣାଇଥିଲେ।
୧୯୪୮ରେ ଶ୍ରୀଲଙ୍କା ସ୍ବାଧୀନ ହେବା ପରଠାରୁ ପ୍ରଥମ ଥର ପାଇଁ ଏଭଳି ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ବିଦେଶୀ ମୁଦ୍ରାର ଘୋର ଅଭାବ ଯୋଗୁ ଏହି ଦେଶ ଜରୁରୀ ସାମଗ୍ରୀ ଆମଦାନି କରିବାରେ ବିଫଳ ହୋଇଛି। ଫଳରେ ଦେଶରେ ପେଟ୍ରୋଲ, ଡିଜେଲ, କିରାସିନି, ରନ୍ଧନ ଗ୍ୟାସ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/kerosene.jpg)