ଆମେରିକାକୁ ଭାରତ ପଠାଇଲା ‘ଶାକାହାରୀ ମାଂସ’ !

ନୂଆଦିଲ୍ଲୀ : ଆମେରିକାକୁ ଭାରତ ନିଜର ପ୍ରଥମ ‘ଶାକାହାରୀ ମାଂସ’ କନସାଇନମେଣ୍ଟ ଜାହାଜରେ ପଠାଇଛି । ନାମରୁ ହିଁ ଜାଣିପାରୁଥିବେ ଯେ ଏସବୁ ମାଂସ କୌଣସି ଜୀବକୁ ମାରି ସଂଗ୍ରହ କରାଯାଇନାହିଁ, ବରଂ ବିଭିନ୍ନ ପନିପରିବାରୁ ଓ ଉଦ୍ଭିଦଜାତ ପଦାର୍ଥରୁ ବୈଜ୍ଞାନିକ ଉପାୟରେ ପ୍ରକ୍ରିୟାକରଣ କରି ପ୍ରସ୍ତୁତ କରାଯାଇଛି ।

ଭାରତର ବାଣିଜ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗୁରୁବାରଦିନ ଗୁଜୁରାଟର ନାଡିଆଡରୁ  ଆମେରିକାର କାଲିଫର୍ଣ୍ଣିଆକୁ ଏପରି ଉଦ୍ଭିଦଜ ମାଂସର ପ୍ରଥମ କନସାଇନମେଣ୍ଟ୍ ପଠାଯାଇଛି ।

ଏ ଧରଣର ମାଂସ ସ୍ବାଦରେ ଅସଲି ମାଂସ ପରି ହୋଇଥିଲେ ବି ଏଗୁଡ଼ିକରେ କମ ଫ୍ୟାଟ ରହୁଥିବାରୁ କୋଲେଷ୍ଟରଲ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି । ଏହି କାରଣରୁ ସ୍ବାସ୍ଥ୍ୟ ସଚେତନ ପାଶ୍ଚାତ୍ୟ ଜଗତରେ ଏହାର ଚାହିଦା ବଢିଚାଲିଛି । ଅଧିକରୁ ଅଧିକ ଲୋକ ମାଂସ ବଦଳରେ ଶାହାହାରୀ ମାଂସ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି ।

ଏହି ଚାହିଦାକୁ ଦୃଷ୍ଟିରେ ରଖି ଭାରତ ସରକାର ସାରା ବିଶ୍ବକୁ ଏହାର ରପ୍ତାନି ପାଇଁ ଯୋଜନା କରୁଛନ୍ତି । ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ କୃଷିଜାତ ଓ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନି କର୍ତ୍ତୃପକ୍ଷ (ଆପେଡା)ର ଅଧ୍ୟକ୍ଷ ଏ.ଅଂଗମୁଥୁ କହିଛନ୍ତି ଯେ, ସରକାର ରପ୍ତାନି ବଜାରରେ ଉଦ୍ଭିଦଜ ମାଂସକୁ ପ୍ରେତ୍ସାହିତ କରିବାକୁ ଉଦ୍ୟମ କରୁଛନ୍ତି ।

ଆଗାମୀ ମାସଗୁଡ଼ିକରେ କେବଳ ଉଦ୍ଭିଦଜ ମାଂସ ନୁହେଁ, ଅନ୍ୟ ପ୍ରକାରର ଶାକାହାରୀ ଉଦ୍ଭିଦଜ ସାମଗ୍ରୀ ରପ୍ତାନି ପାଇଁ ଆପେଡା ଉଦ୍ୟମ କରୁଛି  ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର