ଅମାନିଆ ତେଲଦରକୁ କାବୁ କରିବାକୁ ମୋଦି ସରକାର ଏକ ବଡ଼ ଯୋଜନା ଉପରେ କାମ କରୁଛନ୍ତି, ତାହା କଣ ଜାଣନ୍ତୁ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ତେଲ ଦର ନିୟମିତ ଭାବେ ବଢିଚାଲିଛି । ଏଥିପାଇଁ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ନିୟମିତଭାବେ ବଢିଚାଲିଛି । ସରକାର ଏହା ଉପରେ ରୋକ ଲଗାଇବାକୁ ଉତ୍ପାଦ ଶୁଳକ ହ୍ରାସ କରିଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ । କାରଣ ଏସବୁ ପଦକ୍ଷେପ ଅଳ୍ପ କିଛି ଦିନ ପାଇଁ ତେଲଦର କ କମାଇଦେଉଛି, କିନ୍ତୁ କିଛି ଦିନପରେ ପୁଣି ଦର ବଢିଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ଓ ଦୀର୍ଘ ମିଆଦୀ ଯୋଜନା ହାତକୁ ନେଇଛନ୍ତି । ତାହା ହେଉଛି ବିଦେଶରେ ତେଲ ଖଣି କିଣିବା । ପୂର୍ବରୁ ଏଥିପାଇଁ ଓଏନଜିସି ପ୍ରସ୍ତାବ ଦେଇଥିଲା । ଏବେ ବି ବିଦେଶରେ କେତେକ ତେଲ ବ୍ଲକରେ ଓଏନଜିସି ବିଦେଶ ଅଂଶୀଦାର ଅଛି । କିନ୍ତୁ ଏବେ ଏହାକୁ ବ୍ୟାପକ କରିବାକୁ ସରକାର ଯୋଜନା କରୁଛନ୍ତି । ଋଷିଆର ଆର୍କଟିକ ସାଗର ଅଂଚଳରେ ତେଲ ଓ ଗ୍ୟାସର ବିପୁଳ ଭଣ୍ଡାର ରହିଛି । ଏଠାରେ ବିଶ୍ୱର ମୋଟ ତେଲ ଭଣ୍ଡାରର ୧୦ ପ୍ରତିଶତ ରହିଥିବା ଅନୁମାନ କରାଯାଉଛି । ଏକ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ ସଂନ୍ଧାନ ଓ ଉତ୍ତୋଳନ କରିବାକୁ ଏକମତ ହୋଇଛନ୍ତି । ଏହା ମଧ୍ୟ ଋଷିଆ ରାଷ୍ଟ୍ରପତି ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୁଗ୍ମ ପ୍ରେସ ବାର୍ତ୍ତାରେ ସ୍ଥାନ ପାଇଛି । କେବଳ ଋଷିଆ ନୁହେଁ ଉପସାଗରୀୟ ଅଂଚଳ, ଭେନିଜୁଏଲାରେ ମଧ୍ୟ ତେଲ ଖଣି କିଣିବାକୁ ଯୋଜନା ଚାଲିଛି । ଏସବୁ ଯୋଜନା ସଫଳ ହେଲେ ଅନ୍ତର୍ଜାତୀୟ ବଜାରରେ ତେଲଦରର ଅସ୍ଥିରତା ଭାରତ ଉପରେ ସେତେଟା ପଡିବ ନାହିଁ ।

ସମ୍ବନ୍ଧିତ ଖବର