ଇରାନ ହାତ ଛାଡ଼ିବେ ନା ଆମେରିକାର, ଅକଳରେ ସରକାର

ନୂଆଦିଲ୍ଲୀ: ତେଲକୁ ନେଇ ଭାରତ ସରକାର ଅକଳରେ ପଡ଼ିଯାଇଛନ୍ତି। ଗୋଟିଏ ପଟେ ଇରାନରୁ ଶସ୍ତାରେ ତେଲ ମିଳିଯାଉଛି। ତେଣୁ ତାହାର ହାତ ଛାଡ଼ିବାକୁ ସରକାର ଚାହୁଁନାହାନ୍ତି। ଅନ୍ୟପଟେ ଇରାନରୁ ତେଲ ନକିଣିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଚାପ ପକାଉଛି। କାହା ହାତ ଧରିବେ ଓ କାହାର ଛାଡ଼ିବେ? ସରକାର ଏହି ନିଷ୍ପତ୍ତି ନେଇପାରୁନାହାନ୍ତି। ଭାରତ ଏହାର ତୃତୀୟ ସର୍ବାଧିକ ତେଲ ଇରାନରୁ କିଣୁଛି। ଇରାନରୁ ତେଲ ଆଣିଲେ ପରିବହନ ଖର୍ଚ କମ୍‌ ରହୁଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ତେଲ ଦର ଶସ୍ତା ମଧ୍ୟ ରହୁଛି। ପେମେଣ୍ଟ୍‌ ବେଳେ ମଧ୍ୟ ଇରାନ ଅଧିକ ଦିନ ଅପେକ୍ଷା କରୁଛି। ଏତେ ସବୁ ସୁବିଧା ଭାରତକୁ ଅନ୍ୟ କୌଣସି ଦେଶ ଦେଉନାହାନ୍ତି। ଆମେରିକା ଚାପରେ ଯଦି ଇରାନର ହାତକୁ ଭାରତ ଛାଡ଼ି ଦେବ ତେବେ ଏହି ସବୁ ସୁବିଧା ହାତ ଛଡ଼ା କରିବ। ଭାରତ ତାହା ଚାହୁଁନାହିଁ। ଇରାନ ସହ ବନ୍ଧୁତା ବଢ଼ାଇବା ପାଇଁ ଯଦି ଆମେରିକା ସହିତ ଶତ୍ରୁତା କରିବ ତେବେ ଭାରତକୁ ଅନେକ ମୂଲ୍ୟ ଦେବାକୁ ପଡ଼ିବ। ଆମେରିକା କଥା ନମାନିଲେ ବିଦେଶୀ ମୁଦ୍ରା ହରାଇବାକୁ ପଡ଼ିବ।

ଇରାନ ଉପରେ ପ୍ରତିବନ୍ଧକ ଲଗାଇ ଆମେରିକା ଏହାର ତେଲ ବଜାରକୁ ଏସିଆରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ବିଶେଷ କରି ଚୀନ୍‌ ଓ ଭାରତୀୟ ବଜାରକୁ ଏହା ହାସଲ କରିବାକୁ ଚାହୁଁଛି। କିଛି ମାସ ହେଲାଣି ଭାରତ ପକ୍ଷରୁ ଆମେରିକା ଠାରୁ ଅଧିକ ତେଲ କିଣାଯାଉଛି। ମେ’ରେ ଆମେରିକାରୁ ଭାରତ ୪.୭୨ ନିୟୁତ ବ୍ୟାରେଲ୍‌ ତେଲ ଆମଦାନି କରିଛି। ପୂର୍ବ ମାସ ତୁଳନାରେ ଏହି ଆମଦାନି ୮୦୦% ବୃଦ୍ଧି ହୋଇଛି। ଆମେରିକାରୁ ତେଲ ଆଣିବାରେ ରହିଥିବା ବଡ଼ ଅସୁବିଧା ହେଉଛି, ଭାରତ କେବଳ ଗୋଟିଏ ବନ୍ଦର ଜରିଆରେ ସେଠାରୁ ତେଲ ଆଣୁଛି। ଅନ୍ୟ ଯେଉଁ ସବୁ ବନ୍ଦର ଜରିଆରେ ତେଲ ଆମଦାନି କରିବାର ସମ୍ଭାବନା ରହିଛି ସେଠାରେ ସମ୍ପ୍ରସାରଣ କାମ ଜାରି ରହିଛି। ୨୦୨୦ ସୁଦ୍ଧା ସେହି କାମ ଶେଷ ହେବାର ବହୁତ କମ୍‌ ସମ୍ଭାବନା ରହିଛି। ସେହି ସମୟ ପର୍ଯ୍ୟନ୍ତ କେଉଁ ବିକଳ୍ପ ଗ୍ରହଣ କରାଯିବ ସେ ନିଷ୍ପତ୍ତି ଭାରତ ନେଇପାରୁନାହିଁ। ନଭେମ୍ବର ସୁଦ୍ଧା ଇରାନରୁ ତେଲ ଆମଦାନି ବନ୍ଦ କରିବାକୁ ଆମେରିକା ସବୁ ରାଷ୍ଟ୍ରଙ୍କୁ କହିଛି। ଏନେଇ ଆମେରିକାର ଏକ ପ୍ରତିନିଧି ଦଳ ଗତକାଲି ଭାରତ ସରକାରଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ଭାରତ ଭଳି ମୂଲ୍ୟବାନ ଗ୍ରାହକକୁ ଇରାନ ଛାଡ଼ିବାକୁ ଚାହୁଁନାହିଁ। ସେଥିପାଇଁ ଇରାନର ପ୍ରତିନିଧି ମଧ୍ୟ ଭାରତ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। ଇରାନ ନା ଆମେରିକା। କାହାକୁ ସନ୍ତୁଷ୍ଟ କରିବେ ଓ କାହାକୁ ଅସନ୍ତୁଷ, ସେ ନିଷ୍ପତ୍ତି ସରକାର ନେଇପାରୁନାହାନ୍ତି।

ସମ୍ବନ୍ଧିତ ଖବର