ଇରାନ ତେଲ କଟକଣାରୁ ଛାଡ଼ ପାଇଲା ଭାରତ

ନୂଆଦିଲ୍ଲୀ: ଇରାନରୁ ତେଲ କିଣିବା ପାଇଁ ଭାରତ ସମେତ ବିଶ୍ବର ୮ଟି ଦେଶକୁ ଆମେରିକା ରିହାତି ପ୍ରଦାନ କରିଛି। ଆଜି ଆମେରିକା ବୈଦେଶିକ ସଚିବ ମାଇକ୍ ପମ୍ପିଓ ଏହି ସୂଚନା ପ୍ରଦାନ କରିଛନ୍ତି। ଏହି ୮ଟି ଦେଶ ହେଉଛନ୍ତି ଭାରତ, ଚୀନ୍, ଜାପାନ, ଇଟାଲି, ଗ୍ରିସ, ଦକ୍ଷିଣ କୋରିଆ, ତାଇୱାନ୍ ଓ ତୁର୍କୀ। ଶ୍ରୀ ପମ୍ପିଓ କହିଛନ୍ତି ଯେ ଏହି ସବୁ ଦେଶ ଇରାନରୁ କମ୍ ତେଲ କିଣିବା ଆରମ୍ଭ କରିଦେଇଛନ୍ତି। ଦୁଇଟି ଦେଶ ତେଲ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଅନ୍ୟମାନେ ଯେଭଳି ଇରାନ ତେଲ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିବେ ସେଥିପାଇଁ କଥାବାର୍ତା ଜାରି ରହିବ। ବିଶ୍ବର ୨୦ଟି ଦେଶ ଇରାନରୁ ତେଲ କିଣିବା ବନ୍ଦ କରିସାରିଲେଣି। ସେ ଏହା ମଧ୍ୟ କହିଛନ୍ତି ଯେ, ତେଲ ବିକ୍ରିରୁ ଇରାନ ଯାହା ଆୟ କରିବ ତାହାକୁ ଏକ ବିଦେଶୀ ଖାତାରେ ରଖାଯିବ। ସେହି ଅର୍ଥରାଶିକୁ ଇରାନ କେବଳ ମାନବିକତା କାର୍ଯ୍ୟରେ କିମ୍ବା କଟକଣା ଲଗାଯାଇନଥିବା ବସ୍ତୁର ଦ୍ବିପାକ୍ଷିକ କାରବାର ପାଇଁ ବ୍ୟବହାର କରିପାରିବ। ଇରାନ ତେଲ କିଣିବାରେ ରିହାତି ପ୍ରଦାନ କରିବା ପାଇଁ ଆମେରିକା ପକ୍ଷରୁ ଅନୁରୋଧ କରାଯାଉଥିଲା। ଭାରତ ଏହାର ତେଲ ଆବଶ୍ୟକତାର ତୃତୀୟ ସର୍ବାଧିକ ତେଲ ଇରାନରୁ କିଣୁଛି। ଆମେରିକା ପକ୍ଷରୁୁ ଇରାନ ଉପରେ କଟକଣା ଜାରି କରାଯିବା ପରେ ଭାରତ ପକ୍ଷରୁ ଇରାନରୁ ତେଲ କିଣିବା କମ୍ କରାଯାଇଥିଲା। କିନ୍ତୁ ତେଲ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିନଥିଲା। ପ୍ରତିବଦଳରେ ରିହାତି ହାସଲ କରିବା ପାଇଁ ଆମେରିକା ସହ କଥାବାର୍ତା ଜାରି ରଖିଥିଲା। କିଛି ଦିନ ତଳେ ପେ‌ଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଯୋଗୁ ଆମେରିକା ପକ୍ଷରୁ ଭାରତକୁ ରିହାତି ପ୍ରଦାନ କରାଯାଇଛି। ‌େତବେ କେତେ ଦିନ ପର୍ଯ୍ୟନ୍ତ ଭାରତ ଇରାନରୁ ତେଲ କିଣା ଜାରି ରଖିବ ତାହା ସ୍ପଷ୍‌ଟ ହୋଇପାରିନାହିଁ।

ସମ୍ବନ୍ଧିତ ଖବର