କାଇରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଇଜିପ୍ଟ ସରକାର ଭାରତକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସୁଏଜ କେନାଲ ଅର୍ଥନୈତିକ ଜୋନରେ ଭାରତକୁ ଏକ ସ୍ବତନ୍ତ୍ର କ୍ଲଷ୍ଟର ପ୍ରଦାନ କରିବାକୁ ଇଜିପ୍ଟ ସରକାର ଘୋଷଣା କରିଛନ୍ତି । ଏହା ଦ୍ବାରା ଏଠାକୁ ଭାରତୀୟ ନିବେଶ ପରିମାଣ ବୃଦ୍ଧି ପାଇବ ବୋଲି ଇଜିପ୍ଟ ଆଶା ରଖିଛି ।
ସୁଏଜ୍ କେନାଲ ଇଜିପ୍ଟ ନିୟନ୍ତ୍ରଣରେ ଆସୁଛି ଓ ବିଶ୍ୱ କଣ୍ଟେନର ବାଣିଜ୍ୟ କାରବାରର ୨୦ ପ୍ରତିଶତ ଏହି ବାଟଦେଇ ଯାଇଥାଏ । ସୁଏଜ୍ କେନାଲ ମଧ୍ୟ ଭାରତୀୟ ବାଣିଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଦୈନିକ ପରିବହନ ହେଉଥିବା ମୋଟ ୪.୮ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ମଧ୍ୟରୁ ୫,୦୦,୦୦୦ ବ୍ୟାରେଲ ଅଶୋଧିତ ତୈଳ ଭାରତକୁ ପଠାଯାଉଛି । ସୁଏଜ୍ କେନାଲ ଅର୍ଥନୈତିକ ଜୋନ ଅଧିନରେ ଅନେକ ଶିଳ୍ପ ଓ ଲଜିଷ୍ଟିକ୍ସ କ୍ଷେତ୍ର ଆସୁଛି । ଏଣୁ ଏହି ଅଂଚଳରେ ଭାରତକୁ ସ୍ଥାନ ମିଳିବା ଦ୍ବାରା ଭାରତୀୟ କମ୍ପାନିମାନେ ଉପକୃତ ହୋଇପାରିବେ ଓ ଏ ଅଂଚଳର ବଜାରରେ ପ୍ରବେଶ କରିପାରିବେ ।
ସୂଚନାଯୋଗ୍ୟ ଯେ, ଏକ ୨ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅପରାହ୍ଣରେ ଇଜିପ୍ଟ ରାଜଧାନୀ କାଇରୋରେ ପହଞ୍ଚିଛନ୍ତି । ଖାସ୍ କଥା ହେଉଛି ୧୯୯୭ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଇଜିପ୍ଟ ଗସ୍ତ। ଏହି ସମୟରେ ସୁଏଜ୍ କେନାଲ ଉଭୟ ଦେଶ କୁ ନେଇ ଆଲୋଚନାର ମୁଖ୍ୟ ଏଜେଣ୍ଡା ହେବ ।