ଭାରତର ଜିଏସ୍‌ଟି ବହୁତ ଅଧିକ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଗତବର୍ଷ ଜୁଲାଇରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବିଶ୍ୱର ଅନ୍ୟତମ ଜଟିଳ ଟିକସ ବ୍ୟବସ୍ଥା। କେବଳ ସେତିକି ନୁହେଁ ବିଶ୍ୱରେ ଯେଉଁ ୧୧୫ଟି ଦେଶରେ ଏ ପ୍ରକାର ପରୋକ୍ଷ କର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ସେସବୁ ଦେଶ ଗୁଡ଼ିକ ମଧ୍ୟରେ ଭାରତର ଜିଏସ୍‌ଟି ହାର ଦ୍ୱିତୀୟ ସର୍ବାଧିକ। ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଛି। ଭାରତରେ ଶୂନ ପ୍ରତିଶତ ଟିକସ ହାରକୁ ମିଶାଇଲେ ଜିଏସ୍‌ଟି ହାରକୁ ୫ ଥାକିଆ କରାଯାଇଛି। ସେଗୁଡ଼ିକ ହେଲା ୦%, ୫%, ୧୨%, ୧୮% ଏବଂ ୨୮%। ଏତଦ୍‌ବ୍ୟତୀତ ସୁନା ଉପରୁ ୩ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ କରାଯାଉଥିବାବେଳେ ମୂଲ୍ୟବାନ ପ୍ରସ୍ତର ଉପରୁ ୦.୨୫% ହାରରେ ଜିଏସ୍‌ଟି ଆଦାୟ କରାଯାଉଛି। ତେବେ ଆଲକହଲ, ପେଟ୍ରୋଲିୟମ ଉତ୍ପାଦ, ରିଅଲ ଇଷ୍ଟେଟ ଉପରେ ଷ୍ଟାମ୍ପ ଡ୍ୟୁଟି ଏବଂ ବିଦ୍ୟୁତ ଶୁଳ୍କକୁ ଜିଏସ୍‌ଟି ପରିସର ବାହାରେ ରଖାଯାଇଛି। ରାଜ୍ୟ ସରକାରମାନେ ଏସବୁ ସାମଗ୍ରୀ ଓ ସେବା ଉପରେ ବିଭିନ୍ନ ହାରରେ ଟିକସ ଆଦାୟ କରୁଛନ୍ତି। ବିଶ୍ୱବ୍ୟାଙ୍କ ପକ୍ଷରୁ ଏହା କୁହାଯାଇଛି ଯେ, ବିଶ୍ୱରେ ୪୯ଟି ଦେଶରେ ଗୋଟିଏ ହାରରେ ଜିଏସ୍‌ଟି ଆଦାୟ କରାଯାଉଛି। ୨୮ଟି ଦେଶରେ ଦୁଇଟି ହାରରେ ଜିଏସ୍‌ଟି ଆଦାୟ କରାଯାଉଛି। ଭାରତକୁ ମିଶାଇ ୫ଟି ଦେଶ ଶୂନ ପ୍ରତିଶତ ଜିଏସ୍‌ଟି ହାରକୁ ବାଦ ଦେଲେ ୪ ଥାକିଆ ଜିଏସ୍‌ଟି ଆଦାୟ କରୁଛନ୍ତି। ଯେଉଁସବୁ ଦେଶ ୪ ଥାକିଆ କିମ୍ବା ତାହାଠାରୁ ଅଧିକ ହାରରେ ଜିଏସ୍‌ଟି ଆଦାୟ କରୁଛନ୍ତି ସେଗୁଡ଼ିକ ହେଲେ ଇଟାଲି, ଲକ୍ସେମବର୍ଗ, ପାକିସ୍ତାନ ଓ ଘାନା।

• ବିଶ୍ୱରେ ଦ୍ୱିତୀୟ ସର୍ବାଧିକ
• ୪୯ଟି ଦେଶରେ ଗୋଟିଏ ହାର
• ୨୮ଟି ଦେଶରେ ୨ଟି ହାର
• ୫ଟି ଦେଶରେ ଚାରି ଥାକିଆ
• ଇଟାଲି, ଲକ୍ସେମ୍ବର୍ଗ, ପାକିସ୍ତାନ, ଘାନାରେ ଚାରି ଥାକିଆ
• ବିଶ୍ୱର ୧୬୦ଟି ଦେଶରେ ଜିଏସ୍‌ଟି ଲାଗୁ ହୋଇଛି

ଦୀର୍ଘମିଆଦୀ ଭିତ୍ତିରେ ଜିଏସ୍‌ଟି ବାବଦରେ ଯେଉଁ ମୂଲ୍ୟ ଦେବାକୁ ପଡ଼ୁଛି ତାହା ତୁଳନାରେ ଲାଭ ଅଧିକ ରହିବ। ଆଇନକୁ ପାଳନ ସଂକ୍ରାନ୍ତ ବୋଝ ହ୍ରାସ କରିବା, ଏକାଧିକ ଟିକସ ହାରକୁ କମାଇବା ଏବଂ ଟିକସ ଛାଡ଼କୁ ସର୍ବନିମ୍ନ କରିବା ଆଦି ଉପରେ ଜିଏସ୍‌ଟିର ସଫଳତା ନିର୍ଭର କରେ ବୋଲି ବିଶ୍ୱବ୍ୟାଙ୍କ କହିଛି। ଜିଏସ୍‌ଟି ବ୍ୟବସ୍ଥାର ବିଭିନ୍ନ ଦିଗ ସଂପର୍କରେ ବ୍ୟବସାୟୀ, ଖାଉଟି, ଟିକସ ପେସାରେ ଥିବା ବ୍ୟକ୍ତି, ଟିକସ ପ୍ରଶାସନର ଅଧିକାରୀ ଏବଂ ରାଜନେତାମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି। ନିକଟରେ ଦକ୍ଷିଣ ଭାରତୀୟ ଅଭିନେତା ତଥା ରାଜନେତା କମଳ ହାସନ ଜିଏସ୍‌୍‌ଟି ତୀବ୍ର ସମାଲୋଚନା କରିଥିଲେ।

କ’ଣ କହୁଛି ବିଶ୍ୱବ୍ୟାଙ୍କ?
ବିଶ୍ୱବ୍ୟାଙ୍କ ପକ୍ଷରୁ ବୁଧବାର ପ୍ରକାଶିତ ଷାଣ୍ମାସିକ ଇଣ୍ଡିଆ ଡେଭଲପମେଣ୍ଟ ଅପ୍‌ଡେଟ୍‌ ରିପୋର୍ଟରେ ଏହା ମଧ୍ୟ କହିଛି ଯେ ଜିଏସ୍‌ଟି ଲାଗୁ ହେବା ସମୟରେ ରାଜ୍ୟର ପ୍ରଶାସନିକ କଳ କେତେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଟିକସ ଉଚ୍ଛେଦ ନେଇ କୌଣସି ସ୍ପଷ୍ଟତା ନଥିଲା। ଏଥିଯୋଗୁ ତାମିଲନାଡ଼ୁ ସରକାର ୨୮ ପ୍ରତିଶତ ଜିଏସ୍‌ଟି ଉପରେ ଆମୋଦପ୍ରମୋଦ ଟିକସ ଆଦାୟ କରିଥିଲେ। ସେହିଭଳି ଜିଏସ୍‌ଟି ଜନିତ କ୍ଷତିକୁ ଭରଣା କରିବା ପାଇଁ ମହାରାଷ୍ଟ୍ର ମଧ୍ୟ ମୋଟର ଯାନ ଟିକସ ବଢ଼ାଇଛି। ଏତଦ୍‌ବ୍ୟତୀତ ଜିଏସ୍‌ଟି ଲାଗୁ ହେବା ପରେ କଂପାନି ଗୁଡ଼ିକ ଉପରେ ଟିକସ ନିୟମ ପାଳନ ଜଟିଳ ହୋଇଛି। ମନ୍ଥର ଟିକସ ଫେରସ୍ତ ପ୍ରକ୍ରିୟା ଯୋଗୁ କଂପାନି ଗୁଡ଼ିକର କାର୍ଯ୍ୟକାରୀ ପୁଞ୍ଜି ଅଧିକ ଦିନ ପାଇଁ ବନ୍ଦ ହୋଇ ରହିଛି। ଏକାଧିକ ଟିକସ ହାର ଯୋଗୁଁ ଟିକସ ରିଟର୍ଣ୍ଣ ଫାଇଲ କରିବା ସମୟରେ କଂପାନି ଗୁଡ଼ିକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର