ଭାରତକୁ ବିଶ୍ବବ୍ୟାଙ୍କ, ଇୟୁର ପ୍ରଶଂସା: ୬ଜିରେ ଭାରତ-ଆମେରିକା ମିଳିମିଶି କାମ କରିବେ

ଦୁନିଆକୁ ବାଟ ଦେଖାଇଲା ଭାରତ: ବାଙ୍ଗା

ନୂଆଦିଲ୍ଲୀ: ଭାରତର ସଭାପତିତ୍ବରେ ଜି୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ଓ ଘୋଷଣାନାମାକୁ ସମସ୍ତ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିବାକୁ ବିଶ୍ବବ୍ୟାଙ୍କର ମୁଖ୍ୟ ଅଜୟ ବାଙ୍ଗା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ସମ୍ମିଳନୀକୁ ଗୋଟିଏ କଥା ସ୍ପେ୍ଟ ହୋଇଛି ଯେ ଦେବା ଓ ନେବା ଏବଂ ମୁଲଚାଲ କରିବା ଲାଗି ଜି୨୦ ନେତୃବୃନ୍ଦ ଏକ ବାଟ ପାଇଛନ୍ତି। ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଙ୍କ ଗୋଟିଏ ମଞ୍ଚରେ ଏକତ୍ରୀତ ହେବା ସାରା ବିଶ୍ବ ଦେଖିଲା। ଆହ୍ବାନ ସଦାସର୍ବଦା ରହିଥିଲା। କିନ୍ତୁ ସହମତି ହାସଲ କରି ସାରା ବିଶ୍ବକୁ ଭାରତ ବାଟ ଦେଖାଇଛି ବୋଲି ଶ୍ରୀ ବାଙ୍ଗା କହିଛନ୍ତି। ସେ କହିଲେ ଗୋଟିଏ କୋଠରିରେ ଏକତ୍ରୀତ ହୋଇଥିବା ଦେଶଗୁଡ଼ିକ ଅଧୀନରେ ବିଶ୍ବ ଅର୍ଥନୀତିର ୮୦ ପ୍ରତିଶତ ରହିଛି। ସେମାନଙ୍କ ଭିତରେ ଅସହମତି ହୋଇଥିଲେ ଦୁନିଆକୁ ଏକ ଭଲ ବାର୍ତା ମିଳିନଥାନ୍ତା। ଏକ ଚମତ୍କାର ଘୋଷଣାନାମାକୁ ସୁନିଶ୍ଚିତ କରାଯାଇପାରିଥିବାରୁ ସେ ଭାରତ, ଏହାର ନେତୃତ୍ବ ଓ ଜି୨୦ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦ଟି ଦେଶ ସବୁ କଥାରେ ରାଜି ହେବେ ନାହିଁ। ସେମାନଙ୍କୁ ନିଜ ଦେଶର ସ୍ବାର୍ଥ ଦେଖିବାକୁ ପଡ଼ୁଛି। ତଥାପି ନେତୃବୃନ୍ଦଙ୍କ ମଧ୍ୟରେ ଯେଉଁଭଳି ସକାରାତ୍ମକ ଭାବ ଦେଖିବାକୁ ମିଳିଲା ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବାଙ୍ଗା କହିଛନ୍ତି।

ୟୁରୋପୀୟ ସଂଘର ଜଣେ ଅଧିକାରୀ ମଧ୍ୟ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାରତର ନେତୃତ୍ବ ଯୋଗୁଁ ଘୋଷଣାନାମାକୁ ନେଇ ସହମତି ସମ୍ଭବ ହୋଇଥିଲା। ବ୍ୟାପକ ଆଲୋଚନା ପରେ ଅତ୍ୟନ୍ତ ଚମତ୍କାର ଫଳ ମିଳିଛି। ଭାରତର ନେତୃତ୍ବ ବିନା ଏହା ସମ୍ଭବ ନଥିଲା ବୋଲି ସେ କହିଛନ୍ତି। ଜି୨୦ ଶିଖର ସମ୍ମିଳନୀରେ ୧୦୦ରୁ ଅଧିକ ପ୍ରସଙ୍ଗରେ ନେତୃବୃନ୍ଦ ସହମତ ହୋଇଥିଲେ ଯାହାକୁ ଏକ ବିରଳ ଘଟଣା ଭାବେ ବିଚାର କରାଯାଉଛି। ଜି୨୦ ଶିଖର ସମ୍ମିଳନୀରେ କେତେକ ଗୁରୁତ୍ବପୂର୍ଣ୍ଣ ‌ଘୋଷଣା ହୋଇଛି। ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ମଧ୍ୟରେ ରେଳ ଓ ଜଳପଥ ସଂଯୋଗ ସ୍ଥାପନ କରିବାର ଯୋଜନା ଉପସ୍ଥାପନ କରି ଚୀନ୍‌କୁ ଏକ ସ୍ପଷ୍ଟ ବାର୍ତା ଦିଆଯାଇଛି। ଚୀନ୍‌ର ବେଲ୍‌ଟ ଆଣ୍ଡ୍‌ ରୋଡ୍‌ ପ୍ରକଳ୍ପର ବିକଳ୍ପ ଭାବେ ଏହା ଉଭା ହୋଇଛି। ଏହି ସହିତ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲାକୁ ମଧ୍ୟ ଜି୨୦ ନେତୃବୃନ୍ଦ ଗମ୍ଭୀରତାର ସହ ନେଇଛନ୍ତି। ସ୍ବଚ୍ଛ ଇନ୍ଧନର ପ୍ରସାର ଲାଗି ବିଶ୍ବ ବାୟୋଫୁଏଲ୍ ଆଲାଏନ୍ସ ଘୋଷଣା କରାଯାଇଛି। ନୀଳ ଅର୍ଥନୀତି ପାଇଁ ଚେନ୍ନାଇ ନୀତି ଏବଂ ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ପାଇଁ ଡେକାନ୍ ନୀତିକୁ ଗ୍ରହଣ କରାଯାଇଛି।

୬ଜିରେ ଭାରତ-ଆମେରିକା ମିଳିମିଶି କାମ କରିବେ

ନୂଆଦିଲ୍ଲୀ: ଭାରତ ୫ଜିରେ ଆଗୁଆ ରହିଥିବା ବେଳେ ପରବର୍ତ୍ତୀ ପିଢ଼ିର ମୋବାଇଲ୍‌ ପ୍ରଯୁକ୍ତି ୬ଜିରେ ମଧ୍ୟ ଆଗରେ ରହିବା ଲାଗି ଉଦ୍ୟମ ଆରମ୍ଭ କରିଛି। ୬ଜି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଭାରତ ଓ ଆମେରିକା ପରସ୍ପର ସହ ହାତ ମିଳାଇଛନ୍ତି। ଏନେଇ ଜି୨୦ ଶିଖର ସମ୍ମିଳନୀ ଅବସରରେ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ବୁଝାମଣା ଅନୁସାରେ ଉଭୟ ଦେଶ ୬ଜିରେ ପରସ୍ପରକୁ ସାହାଯ୍ୟ କରିବେ ଏବଂ ନୂଆ ନୂଆ ସୁଯୋଗ ସନ୍ଧାନ କରିବେ।

ସବୁଜ ଜଳବାୟୁ ପାଣ୍ଠିକୁ ବ୍ରିଟେନ ଦେବ ୨୦୦ କୋଟି ଡଲାର
ନୂଆଦିଲ୍ଲୀ: ସବୁଜ ଜଳବାୟୁ ପାଣ୍ଠିକୁ ୨୦୦ କୋଟି ଡଲାର ଦେବା ବିଷୟରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି୨୦ ଶିଖର ସମ୍ମିଳନୀର ଶେଷ ଦିନରେ ଘୋଷଣା କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ୧୯୪ଟି ଦେଶ ମିଶି ଏହି ପାଣ୍ଠି ସ୍ଥାପନ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା ଲାଗି ବ୍ରିଟେନ୍ ପୂର୍ବରୁ କେବେ ଏତେ ଅଧିକ ପାଣ୍ଠି ଦେବ ବୋଲି ଘୋଷଣା କରିନଥିଲା। ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଲଗି ସବୁଜ ଜଳବାୟୁ ପାଣ୍ଠିରେ ଥିବା ଅର୍ଥରାଶିକୁ ବିକାଶଶୀଳ ରାଷ୍ଟ୍ରକୁ ଦିଆଯାଉଛି।

ସମ୍ବନ୍ଧିତ ଖବର