ଭାରତ ଖୁସି:ଦୁଃଖରେ ରୁଷିଆ, ସାଉଦି

ଲଣ୍ଡନ: ଦୁଇ ମାସ ତଳେ ବିଶେଷଜ୍ଞମାନେ ଆକଳନ କରୁଥିଲେ ଅଶୋଧିତ ତେଲ ଦର ୧୦୦ ଡଲାରରୁ ଅଧିକ ହୋଇଯିବ। ସେହି ଖବର ତେଲ ଉତ୍ପାଦନ କରୁଥିବା ଦେଶଗୁଡ଼ିକୁ ରୋମାଞ୍ଚିତ କରୁଥିଲା। ଆକାଶଛୁଆଁ ଦରକୁ ନେଇ ତେଲ ବ୍ୟବହାର କରୁଥିବା ଦେଶଗୁଡ଼ିକ ବେଶ ଚିନ୍ତିତ ହୋଇପଡ଼ିଥିଲେ। ଅକ୍ଟୋବର ପରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟିଗଲା। ଯେଉଁମାନେ ଖୁସି ହେଉଥିଲେ ସେମାନେ ଏବେ ଦୁଃଖ ପ୍ରକାଶ କରୁଛନ୍ତି। ଏକ ସମୟରେ ‌ଅଶୋଧିତ ତେଲ ଦର ୮୬ ଡଲାରରୁ ଅଧିକ ହୋଇଯାଇଥିଲା। ଏବେ ତାହାର ମୂଲ୍ୟ ୬୦ ଡଲାର ପର୍ଯ୍ୟନ୍ତ ଖସିଆସିଲାଣି। ଆଗାମୀ ଦିନରେ ଏହି ଦର ୫୦ ଡଲାର ପର୍ଯ୍ୟନ୍ତ ଖସିଯିବ ବୋଲି ଆକଳନ କରାଯାଇଛି। ତେଲ ଦର ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ଭଳି ତେଲ ବ୍ୟବହାର କରୁଥିବା ଦେଶ ପାଇଁ ଖୁସି ଆଣିଦେଇଛି। କିନ୍ତୁ ରୁଷିଆ ଓ ସାଉଦି ଆରବର ଦୁଃଖ ବଢ଼ାଇ ଦେଇଛି। ଯେଉଁ କେନ୍ଦ୍ରୀୟ ବ୍ୟାଙ୍କ (ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥା) ଉପରେ ସୁଧ କମାଇବାର ଚାପ ରହିଥିଲା ସେମାନେ ଏବେ ଶାନ୍ତିରେ ନିଶ୍ବାସ ମାରୁଛନ୍ତି। ଉଲ୍ଲେଖଯୋଗ୍ୟ, ଇରାନ ଠାରୁ ତେଲ କିଣିବା ପାଇଁ ଆମେରିକା ପକ୍ଷରୁ ଭାରତ ସମେତ ୮ଟି ଦେଶକୁ ରିହାତି ପ୍ରଦାନ କରାଯିବା ପରେ ଅଶୋଧିତ ତେଲ ଦର କ୍ରମାଗତ ଭାବେ ହ୍ରାସ ପାଉଛି। ଏହାର ପ୍ରଭାବରେ ଭାରତରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ମଧ୍ୟ କମିବାରେ ଲାଗିଛି।

ସମ୍ବନ୍ଧିତ ଖବର