ତେଲ ଉତ୍ପାଦନ ବଢ଼ାଇବା ପାଇଁ ଓପେକ୍‌କୁ ପୁଣି କହିଲା ଭାରତ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ୍ ହ୍ରାସ ପାଇବା ପରେ ଓପେକ୍ ଓ ଏହାର ଅନ୍ୟ ସହଯୋଗୀ ରାଷ୍ଟ୍ରମାନେ ଉତ୍ପାଦନ ହ୍ରାସ କରିଛନ୍ତି। ଏହାଦ୍ବାରା ଅଶୋଧିତ ତେଲ ଆମଦାନି ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ଭାରତ ଭଳି ‌ରାଷ୍ଟ୍ର ବିଶେଷ କ୍ଷତି ସହୁଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ନିୟନ୍ତ୍ରଣ ମଧ୍ୟରେ ରଖିବା ଦେଶଗୁଡ଼ିକ ପାଇଁ ସମ୍ଭବପର ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓପେକ୍ ନିକଟରେ ଦାବି ଉପସ୍ଥାପନ କରିଥିଲେ। ସାଉଦି ଆରବର ଶକ୍ତିମନ୍ତ୍ରୀ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବରଂ ଗତବର୍ଷ ଭାରତ ଶସ୍ତାରେ କିଣି ମହଜୁଦ ରଖିଥିବା ତେଲକୁ ଭାରତ ବ୍ୟବହାର କରୁ ବୋଲି ସାଉଦି ଆରବର ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ତେବେ ଏହାର କିଛିଦିନ ପରେ ଭାରତ ପକ୍ଷରୁ ଏବେ ପୁଣି ଅଶୋଧିତ ତେଲ ଉତ୍ପାଦନ ବଢ଼ାଇବା ପାଇଁ ଓପେକ୍‌କୁ କୁହାଯାଇଛି। ଅଶୋଧିତ ତେଲ ଦର ଉଚ୍ଚା ରହିବା କାରଣରୁ ଭାରତ ସମେତ ଅନେକ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ବାଧାପ୍ରାପ୍ତ ହେଉଛି। ତେଣୁ ଅଶୋଧିତ ତେଲ ଦର ବଜାର ଦ୍ବାରା ଧାର୍ଯ୍ୟ କରାଯାଉ। କୃତ୍ରିମ ଉପାୟରେ ଏହାର ଦର ସ୍ଥିର ନହେଉ ବୋଲି ଭାରତ କହିଛି। ବିଦେଶ ବ୍ୟାପାର ସଚିବ ଅରିନ୍ଦମ ବାଗ୍‌ଜି ଭାରତ ପକ୍ଷରୁ ଏହା କହିଛନ୍ତି।

ସମ୍ବନ୍ଧିତ ଖବର