ଭାରତକୁ ନାହିଁ ମାନ୍ଦାବସ୍ଥା ଭୟ: ଭରସା ଦେଲେ ଶକ୍ତିକାନ୍ତ, ରାଜୀବ

ନୂଆଦିଲ୍ଲୀ: ଭାରତ ପ୍ରତି ମାନ୍ଦାବସ୍ଥାର କୌଣସି ଭୟ ନାହିଁ। ଦେଶର ଦୁଇ ପ୍ରମୁଖ ବିଶେଷଜ୍ଞ ଏହା କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ରାଜୀବ କୁମାର ପୃଥକ ପୃଥକ ଅବସରରେ ଏହା କହିଛନ୍ତି। ଶକ୍ତିକାନ୍ତ କହିଛନ୍ତି ଯେ ସାରା ବିଶ୍ବକୁ ଦେଖିଲେ ଭାରତ ସମ୍ପୂର୍ଣ୍ଣ ଅଲଗା ସ୍ଥାନରେ ରହିଛି। ଏଠାରେ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ସର୍ବନିମ୍ନ ରହିଛି। ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଲେ, ବିଶ୍ବ ବଜାରରେ ଦେଖାଦେଇଥିବା ସଙ୍କଟର ପ୍ରଭାବ ଭାରତ ସମେତ ବିଭିନ୍ନ ଉଦୀୟମାନ ରାଷ୍ଟ୍ର ଉପରେ ପଡ଼ିଛି। ଏହି ସବୁ ଦେଶରୁ ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବା ବେଳେ ଡଲାର ତୁଳନାରେ ସେମାନଙ୍କ ମୁଦ୍ରା ମୂଲ୍ୟ ହ୍ରାସ ପାଉଛି ଏବଂ ସେମାନଙ୍କ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ହ୍ରାସ ପାଉଛି। ଆମଦାନି ଯୋଗୁ ଦେଶ ଭିତରେ ଦରଦାମ୍ ସ୍ଥିତି ମଧ୍ୟ ବେଲଗାମ ହୋଇପଡ଼ିଛି ‌ବୋଲି ସେ କହିଛନ୍ତି। ୨୦୨୦ ପରଠାରୁ ଦେଶ ତିନି ପ୍ରକାର ଝଟ୍‌କା ସାମ୍ନା କରିଛି।

ପ୍ରଥମେ କୋଭିଡ୍‌ ମହାମାରୀ, ଏହା ପରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଏବଂ ଏବେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଧରେ କରୁଥିବା ବାରମ୍ବାର ବୃଦ୍ଧି ଭଳି ଧକ୍କାକୁ ଦେଶର ଅର୍ଥନୀତି ମୁକାବିଲା କରୁଛି। ଏହା ସତ୍ତ୍ବେ ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୭% ଭଳି ଉଚ୍ଚ ସ୍ତରରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି।

ଅନ୍ୟ ପକ୍ଷରେ ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ କୁମାର କହିଛନ୍ତି ଯେ ସାରା ବିଶ୍ବର ମାନ୍ଦାବସ୍ଥା ଆଡ଼କୁ ଗତି କରୁଛି। କିନ୍ତୁ ଭାରତରେ ସେଭଳି କୌଣସି ସମସ୍ୟା ନାହିଁ। ଦେଶର ଅଭିବୃଦ୍ଧି କିଛିଟା ପ୍ରଭାବିତ ହେବାର ଆଶଙ୍କା ଥିଲେ ମଧ୍ୟ, ୨୦୨୩-୨୪ର ଅଭିବୃଦ୍ଧି ହାର ୬-୭ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିବ ବୋଲି ସେ କହିଛନ୍ତି। ଆମେରିକା, ୟୁରୋପ, ଜାପାନ ଓ ଚୀନ୍‌ର ଅଭିବୃଦ୍ଧି ହାର ହ୍ରାସ ପାଉଥିବାରୁ ତାହା ବିଶ୍ବ ଅର୍ଥନୀତିକୁ ମାନ୍ଦାବସ୍ଥା ଆଡ଼କୁ ଠେଲିନେଉଛି ବୋଲି ସେ କହିଛନ୍ତି। ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ ସାଧାରଣ ଭାରତୀୟ ନାଗରିକମାନେ ଆମଦାନି ହେଉଥିବା ସାମଗ୍ରୀ ବିଶେଷ ବ୍ୟବହାର କରୁନାହାନ୍ତି। ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁ ବିଶେଷ କିଛି ଅସୁବିଧା ହେବ ନାହିଁ। ‌

ସେହିପରି, କିଛି ରାଜ୍ୟ ପୁରୁଣା ପେନ୍‌ସନ୍ ସ୍କିମ୍‌କୁ ପୁଣି ଆପଣାଉଥିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଲୋକପ୍ରିୟତା ହାସଲ କରିବା ଲାଗି କିଛି ରାଜନୈତିକ ଦଳ ତାହାକୁ ଅସ୍ତ୍ର କରିଛନ୍ତି। ଭାରତର ମଧ୍ୟବିତ୍ତ ପରିବାର ଏବଂ କର୍ମଜୀବୀମାନେ ପୂର୍ବାପେକ୍ଷା ଅଧିକ ପରିପକ୍ବ ହୋଇଛନ୍ତି। ସେମାନେ ନୂଆ ପେନ୍‌ସନ୍ ସ୍କିମରେ ଥିବା ଲାଭ ବିଷୟରେ ଭଲ ଭାବେ ଅବଗତ ଅଛନ୍ତି ବୋଲି ସେ କହିଛନ୍ତି। କେବଳ ଶକ୍ତିକାନ୍ତ କିମ୍ବା ରାଜୀବ ନୁହନ୍ତି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ର ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଭା ମଧ୍ୟ କହିଛନ୍ତି ଯେ ବିଶ୍ବ ଅର୍ଥନୀତି ଏକ ଘୋର ଅନିଶ୍ଚିତତା ଆଡ଼କୁ ଗତି କରୁଛି, କିନ୍ତୁ ଭାରତ ଭଲ ସ୍ଥିତିରେ ଅଛି।

ସମ୍ବନ୍ଧିତ ଖବର