ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ କେବଳ ଲୋକଙ୍କ ଜୀବନ ନେଉନାହିଁ। ଅର୍ଥନୀତି ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡ଼ୁଛି। ଏକ ଆକଳନରୁ ଜଣାଯାଇଛି ୨୦୧୯ରେ ବାୟୁ ପ୍ରଦୂଷଣ ଯୋଗୁଁ ଭାରତୀୟ ଅର୍ଥନୀତିକୁ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି, ଯାହାକି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧.୪ ପ୍ରତିଶତ। ଭାରତରେ ଘଟିଥିବା ମୋଟ ମୃତ୍ୟୁ ମଧ୍ୟରୁ ୧୮ ପ୍ରତିଶତ ମୃତ୍ୟୁ ବାୟୁ ପ୍ରଦୂଷଣଜନିତ। ଅର୍ଥାତ୍ ୧୭ ଲକ୍ଷ ଲୋକ କେବଳ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ଲାନସେଟ ପ୍ଲାନେଟାରି ହେଲ୍ଥ ପତ୍ରିକାରେ ବାୟୁ ପ୍ରଦୂଷଣର ସ୍ବାସ୍ଥ୍ୟଗତ ଏବଂ ଅର୍ଥନୈତିକ ପ୍ରଭାବ ସଂପର୍କରେ ଏକ ସନ୍ଦର୍ଭ ପ୍ରକାଶ ପାଇଛି।
ଏଥିରେ ଦର୍ଶାଯାଇଛି ଯେ ଘର ଭିତରେ ବାୟୁ ପ୍ରଦୂଷଣ ମାତ୍ରା ୧୯୯୦ରୁ ୨୦୧୯ ମଧ୍ୟରେ ହ୍ରାସ ପାଇଛି। ଫଳରେ ଉପରୋକ୍ତ ସମୟ ମଧ୍ୟରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁହାର ୬୪ ପ୍ରତିଶତ କମିଛି। କିନ୍ତୁ ଘର ବାହାରେ ଉପରୋକ୍ତ ସମୟ ମଧ୍ୟରେ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁହାର ୧୧୫ ପ୍ରତିଶତ ବୃଦ୍ଧି ଘଟିଛି। ଲୋକଙ୍କ ମୃତ୍ୟୁ ଏବଂ ରୋଗ ପାଇଁ ଉତ୍ପାଦନରେ ଯେଉଁ କ୍ଷତି ଘଟିଛି ତାହା ଦେଶର ମୋଟ ଜିଡିପିର ୧.୪ ପ୍ରତିଶତ ବୋଲି ଏଥିରେ କୁହାଯାଇଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଭଲ ପଥରେ ଗତି କରୁଛି। ତେବେ ବାୟୁ ପ୍ରଦୂଷଣକୁ କମାଯାଇ ପାରିଲେ ଏହି ଅଭିବୃଦ୍ଧି ଆହୁରି ଉପରକୁ ଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/polluction.jpg)