ଭାରତକୁ ଆଇଏମ୍‌ଏଫ୍‌ର ପ୍ରଶଂସା

ସଂସ୍କାରରୁ ଲାଭ ମିଳିବା ଆରମ୍ଭ, ଆଗକୁ ଆହୁରି ମଜବୁତ ହେବ ଅର୍ଥନୀତି

ନୂଆଦିଲ୍ଲୀ: ଭାରତ ଯେଉଁ ସବୁ ସଂସ୍କାର ପଦକ୍ଷେପ ଗ୍ରହଣ କରିଥିଲା ତାହାର ଲାଭ ମିଳିବା ଆରମ୍ଭ ହୋଇଯାଇଛି। ଭାରତୀୟ ଅର୍ଥନୀତି ଏକ ହାତୀରେ ପରିଣତ ହୋଇଛି ଓ ଏହା ଦୌଡ଼ିବା ଆରମ୍ଭ କରିଛି ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ କୁହାଯାଇଛି। ଭାରତୀୟ ଅର୍ଥନୀତି କେତେ ବିଶାଳ ତାହା ଜଣାଇବା ପାଇଁ ହାତୀ ଶବ୍ଦ ପ୍ରୟୋଗ କରାଯାଇଛି। ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ଦେଶ ଭାବେ ଭାରତ ଏହାର ସ୍ଥିତିକୁ ଆହୁରି ମଜବୁତ କରିପାରଛି ବୋଲି ଆଇଏମ୍‌ଏଫ୍‌ କହିଛି।

ଆଇଏମ୍‌ଏଫ୍‌ର ଭାରତ ମିସନ୍‌ ମୁଖ୍ୟ ରେନିଲ୍‌ ସାଲ୍‌ଗାଡୋ କହିଛନ୍ତି ଯେ, ୨.୫ ଲକ୍ଷ କୋଟି ଡଲାରର ଭାରତୀୟ ଅର୍ଥନୀତି ବହୁତ ସୁଦୃଢ଼ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହା ୭.୩% ଓ ଆସନ୍ତା ବର୍ଷଠାରୁ ତାହା ୭.୫% ହାରରେ ଆଗକୁ ବଢ଼ିବାକୁ ଯାଉଛି। ବିଶ୍ୱ ଅର୍ଥନୀତି ପ୍ରତି ଭାରତର ଅବଦାନ ୧୫%ରେ ପହଞ୍ଚିଯାଇଛି। ବାହ୍ୟ ଦୁନିଆ ପାଇଁ ଭାରତ ନିଜର ଅର୍ଥନୀତିକୁ ଅଧିକ ଖୋଲା କରିନାହିଁ। ତେଣୁ ଏଠାରେ ବିପଦ ମାତ୍ରା କମ୍‌ ରହୁଛି। ଚୀନ୍‌ ସ୍ତରର ବାଣିଜ୍ୟ କାରବାର ଭାରତରେ ହୁଏ ନାହିଁ। ସେଥିପାଇଁ ଚୀନ୍‌ ତୁଳନାରେ ଭାରତୀୟ ଅର୍ଥନୀତି ପ୍ରତି ବିପଦ କମ୍‌ ରହିଛି ବୋଲି ସେ କହିଛନ୍ତି। ଏସିଆରେ ଭାରତୀୟ ଅର୍ଥନୀତି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସୁଦୃଢ଼ ରହିବ। ଭାରତ ପାଖରେ ଯାହା ଅଛି ତାହା ଏସିଆର ଅନ୍ୟ କୌଣସି ଦେଶ ପାଖରେ ନାହିଁ। ଏହାର ବିଶାଳ ଯୁବ ସମାଜ ଏବେ ଯେଉଁ ସ୍ତରରେ ରହିଛି, ସେହିଠାରୁ ପୁଣି ତଳକୁ ଖସିବା ପାଇଁ ଆହୁରି ତିିନି ଦଶନ୍ଧୀ ପର୍ଯ୍ୟନ୍ତ ସମୟ ଲାଗିଯିବ। ଏହା କିଛି କମ୍‌ ସମୟ ନୁହେଁ। ଭାରତରେ ପାଖରେ ବିଶାଳ ସୁଯୋଗ ରହିଛି ବୋଲି ଆଇଏମ୍‌ଏଫ୍‌ କହିଛି। ଶ୍ରୀ ସାଲ୍‌ଗାଡୋ କହିଛନ୍ତି ଯେ ବିମୁଦ୍ରାକରଣ ଓ ଜିଏସ୍‌ଟି ଯୋଗୁଁ ଭାରତୀୟ ଅର୍ଥନୀତିକୁ ଯେଉଁ ଦୁଇ ବଡ଼ ଝଟ୍‌କା ଲାଗିଥିଲା ତାହାର ପ୍ରଭାବ ଆଉ ବିଶେଷ ନାହିଁ। ଦେଶର ଅର୍ଥନୀତିରେ ସୁଧାର ହେଲାଣି। ବିଗତ ଦିନରେ ଗ୍ରହଣ କରାଯାଇଥିବା କେତେକ ସଂସ୍କାରମୂଳକ ପଦକ୍ଷେପର ଲାଭ ମିଳିବା ଆରମ୍ଭ ହୋଇଛି। ଯାହା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଭାରତ ପାଇଁ ଲାଭଦାୟକ ହେବ ତାହା ହେଉଛି ଜାତୀୟ ସ୍ତରରେ ଲାଗୁ କରାଯାଇଥିବା ଜିଏସ୍‌ଟି। ଭାରତ ଭଳି ଏକ ବଡ଼ ଦେଶରେ ସବୁ ରାଜ୍ୟକୁ ମନାଇ ଜିଏସ୍‌ଟି ଲାଗୁ କରିବା ଏକ ବହୁତ ବଡ଼ ସଫଳତା ବୋଲି ଆଇଏମ୍‌ଏଫ୍‌ କହିଛି। ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)କୁ ମଧ୍ୟ ପ୍ରଶଂସା କରାଯାଇଛି। ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି ବୋଲି ଆଇଏମ୍‌ଏଫ୍‌ କହିିଛି। ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି ରଖିଥିବା ଉଦ୍ୟମକୁ ମଧ୍ୟ ଆଇଏମ୍‌ଏଫ୍‌ ପ୍ରଶଂସା କରିଛି। କିଛି ଛୋଟମୋଟ ସମସ୍ୟାକୁ ବାଦ ଦେଲେ ଭାରତୀୟ ଅର୍ଥନୀତି ସଠିକ୍‌ ଦିଗରେ ଗତି କରୁଥିବା କୁହାଯାଇପାରିବ ବୋଲି ଆଇଏମ୍‌ଏଫ୍‌ କହିଛି। ବିକଶିତ ଦେଶଗୁଡ଼ିକର ଅର୍ଥନୀତି ସହିତ ସମାନ ହେବାକୁ ହେଲେ ଭାରତକୁ ଦୀର୍ଘ ବର୍ଷ ପାଇଁ ୭-୮% ହାରରେ ଅଭିବୃଦ୍ଧି ହାସଲ କରିବାକୁ ହେବ ବୋଲି ଆଇଏମ୍‌ଏଫ୍‌ କହିଛି।

ସମ୍ବନ୍ଧିତ ଖବର