ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ଧନୀ ଦେଶ

ଶୀର୍ଷରେ ଆମେରିକା

ନୂଆଦିଲ୍ଲୀ: ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ଧନୀ ଦେଶ। ଧନୀ ଦେଶମାନଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା ରହିଛି। ଆଫ୍ରଏସିଆ ବ୍ୟାଙ୍କ ଗ୍ଲୋବାଲ େଓ୍ଵଲଥ୍‌ ମାଇଗ୍ରେସନ୍‌ ରିଭ୍ୟୁ ନାମକ ଏକ ରିପୋର୍ଟରେ ଏହା କୁହାଯାଇଛି। ଭାରତର ମୋଟ ସମ୍ପତ୍ତି ୮ ଲକ୍ଷ ୨୩ ହଜାର କୋଟି ଡଲାର ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଆମେରିକାର ମୋଟ ସମ୍ପତ୍ତି ୬୨ ଲକ୍ଷ ୫୮ ହଜାର ୪୦୦ କୋଟି ଡଲାର ବୋଲି ଉଲ୍ଲେଖ କରାଯାଇଛି। ଅର୍ଥାତ ଭାରତ ତୁଳନାରେ ଆମେରିକାର ସମ୍ପତ୍ତି ପ୍ରାୟ ୮ ଗୁଣ ଅଧିକ। ଆମେରିକା ପଛକୁ ଏହି ତାଲିକାରେ ଚୀନ୍‌ ରହିଛି। ଚୀନ୍‌ର ମୋଟ ସମ୍ପତ୍ତି ୨୪ ଲକ୍ଷ ୮୦ ହଜାର ୩୦୦ କୋଟି ଡଲାର ବୋଲି ଆକଳନ କରାଯାଇଛି। ଫଳରେ ଭାରତ ତୁଳନାରେ ଚୀନ୍‌ର ସମ୍ପତ୍ତି ମଧ୍ୟ ପ୍ରାୟ ୩ ଗୁଣ ଅଧିକ। ଚୀନ୍‌ ପଛକୁ ତୃତୀୟ ସ୍ଥାନରେ ଜାପାନ ରହିଛି। ଜାପାନର ମୋଟ ସମ୍ପତ୍ତି ୧୯ ଲକ୍ଷ ୫୨ ହଜାର ୨୦୦ କୋଟି ଡଲାର ରହିଛି।

ଏଠାରେ ମୋଟ ସମ୍ପତ୍ତି କହିଲେ ଗୋଟିଏ ଦେଶରେ ଲୋକଙ୍କ ପାଖରେ ରହିଥିବା ବ୍ୟକ୍ତିଗତ ସମ୍ପତ୍ତିକୁ ବିଚାରକୁ ନିଆଯାଇଛି। ଏଥିରେ ସମ୍ପତ୍ତି, ନଗଦ ଅର୍ଥ, ଇକ୍ୱିଟି, ବ୍ୟାବସାୟିକ ସମ୍ପତ୍ତି ଆଦିକୁ ସାମିଲ କରାଯାଇଛି। ତେବେ ଏଥିରେ ବ୍ୟକ୍ତିମାନଙ୍କର ଋଣ ବୋଝକୁ ବାଦ ଦିଆଯାଇଛି। ସରକାରୀ ପାଣ୍ଠିକୁ ଏଥିରେ ବିଚାରକୁ ନିଆଯାଇନାହିଁ। ଶ୍ରେଷ୍ଠ ୧୦ଟି ଧନୀ ଦେଶ ମଧ୍ୟରେ ରହିଥିବା ଅନ୍ୟ ଦେଶ ଗୁଡ଼ିକ ମଧ୍ୟରେ ବ୍ରିଟେନ୍‌, ଜର୍ମାନି, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ଏବଂ ଇଟାଲି ରହିଛନ୍ତି। ୯ ଲକ୍ଷ ୯୧ ହଜାର ୯୦୦ କୋଟି ଡଲାର ସମ୍ପତ୍ତି ସହ ବିି୍ରଟେନ୍‌ ଚତୁର୍ଥ ସ୍ଥାନରେ ରହିଛି। ସେହିଭଳି ୯ଲକ୍ଷ ୬୬ ହଜାର କୋଟି ଡଲାର ସମ୍ପତ୍ତି ସହିତ ଜର୍ମାନି ପଞ୍ଚମ ସ୍ଥାନରେ ଥିବାବେଳେ ଭାରତ ୮ ଲକ୍ଷ ୨୩ ହଜାର କୋଟି ଡଲାର ସମ୍ପତ୍ତି ସହ ଷଷ୍ଠ, ଅଷ୍ଟ୍ରେଲିଆ ୬ ଲକ୍ଷ ୧୪ ହଜାର ୨୦୦ କୋଟି ଡଲାର ସମ୍ପତ୍ତି ସହ ସପ୍ତମ, କାନାଡ଼ା ୬ ଲକ୍ଷ ୩୯ ହଜାର ୩୦୦ କୋଟି ଡଲାର ସମ୍ପତ୍ତି ସହିତ ଅଷ୍ଟମ, ଫ୍ରାନ୍ସ ୬ ଲକ୍ଷ ୬୪ ହଜାର ୯୦୦ କୋଟି ଡଲାର ସମ୍ପତ୍ତି ସହିତ ନବମ ଏବଂ ଇଟାଲି ୪ ଲକ୍ଷ ୨୭ ହଜାର ୬୦୦ କୋଟି ଡଲାର ସମ୍ପତ୍ତି ସହ ୧୦ମ ସ୍ଥାନରେ ରହିଛି। ଏତଦ୍‌ବ୍ୟତୀତ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ସମ୍ପତ୍ତି ବୃଦ୍ଧି ୨୦୦ ପ୍ରତିଶତ ହେବ ବୋଲି ଉକ୍ତ ରିପୋର୍ଟରେ ଆକଳନ କରାଯାଇଛି। ଭାରତରେ ମୁଖ୍ୟତଃ ବହୁସଂଖ୍ୟାରେ ଉଦ୍ୟୋଗୀ ରହିଛନ୍ତି। ଏଠାକାର ଉତ୍ତମ ଶିକ୍ଷା ବ୍ୟବସ୍ଥା, ଆଇଟି, ବିପିଓ, ରିଅଲ ଇଷ୍ଟେଟ, ସ୍ୱାସ୍ଥ୍ୟ ସେବା ଏବଂ ଗଣମାଧ୍ୟମ କ୍ଷେତ୍ର ଏହି ସମ୍ପତ୍ତି ସୃଷ୍ଟିରେ ବିଶେଷ ସହାୟକ ହେବ ବୋଲି କୁହାଯାଇଛି। ସେହିଭଳି ୨୦୨୭ ସୁଦ୍ଧା ଚୀନ୍‌ର ସମ୍ପତ୍ତି ୬୯ ଲକ୍ଷ ୪୪ ହଜାର ୯୦୦ କୋଟି ଡଲାରରେ ଏବଂ ଆମେରିକାର ସମ୍ପତ୍ତି ୭୫ ଲକ୍ଷ ୧୦ ହଜାର ୧୦୦ କୋଟି ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବିଶ୍ୱରେ ଘରୋଇ ଲୋକଙ୍କ ହାତରେ ମୋଟ ସମ୍ପତ୍ତି ପ୍ରାୟ ୨୧୫ ଲକ୍ଷ କୋଟି ଡଲାର ରହିଥିବାବେଳେ ୧୫୨ ଲକ୍ଷ ବଡ଼ ଧରଣର ଧନୀ ବ୍ୟକ୍ତି ରହିଛନ୍ତି ଯେଉଁମାନଙ୍କର ନିଟ୍‌ ସମ୍ପତ୍ତି ଡଲାର ତୁଳନାରେ ୧ ନିୟୁତ ଡଲାର ବା ତା’ଠାରୁ ଅଧିକ।

୨୦୨୭ ସୁଦ୍ଧା ହେବ ଚତୁର୍ଥ ବୃହତ୍‌
୨୦୨୭ ସୁଦ୍ଧା ଜର୍ମାନି ଏବଂ ବ୍ରିଟେନ୍‌କୁ ଭାରତ ଅତିକ୍ରମ କରି ବିଶ୍ୱର ଚତୁର୍ଥ ବୃହତ୍‌ ଧନୀ ଦେଶରେ ପରିଣତ ହେବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି। ୨୦୧୭ ସୁଦ୍ଧା ବିଶ୍ୱର ମୋଟ ସମ୍ପତ୍ତି ୩୨୧ ଲକ୍ଷ କୋଟି ଡଲାରରେ ପହଞ୍ଚିବ। ସମ୍ପତ୍ତି ସୃଷ୍ଟିରେ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ଦେଶ ଗୁଡ଼ିକ ମଧ୍ୟରେ ଭାରତ ସମେତ ଶ୍ରୀଲଙ୍କା, ଭିଏନ୍‌ନାମ୍‌, ଚୀନ୍‌, ମରିସସ୍‌ ରହିବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର