ଟ୍ରମ୍ପ୍‌ଙ୍କ ଟାର୍ଗେଟ୍‌ରେ ଭାରତ

• କହିଲେ କିଛି ଦେଶ ଆମେରିକାକୁୁ ଲୁଟୁଛନ୍ତି • ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ଧମକ ଦେଲେ

ଓ୍ଵାସିଂଟନ: ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶୋଦଗାର କରିଛନ୍ତି। ଆମେରିକାର କିଛି ସାମଗ୍ରୀ ଉପରେ ଭାରତ ୧୦୦% ଟିକସ ଆଦାୟ କରୁଥିବା ସେ ଅଭିଯୋଗ କରିଛନ୍ତି। ଯେଉଁମାନେ ଆମେରିକାକୁ ଲୁଟୁଛନ୍ତି ସେମାନଙ୍କ ସହିତ ସମସ୍ତ ପ୍ରକାର ବ୍ୟବସାୟ ସମ୍ପର୍କ ଛିନ୍ନ କରିବାକୁ ସେ ଧମକ ଦେଇଛନ୍ତି।
କାନାଡାର କ୍ୟୁବେକ୍‌ ସହରରେ ଚାଲିଥିବା ଜି-୭ ବୈଠକ ଅବସରରେ ଟ୍ରମ୍ପ ଏହା କହିଥିଲେ। ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍‌ କହିଥିଲେ ଯେ, ଆମେ ପିଗିବ୍ୟାଙ୍କ୍‌ ଭଳି। ଆମକୁ ସମସ୍ତେ ଲୁଟୁଛନ୍ତି। କେବଳ ଜି୭ ନୁହେଁ। ଭାରତ ଭଳି ଦେଶ ଯେଉଁମାନେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଆମେ କିଛି ଚାର୍ଜ କରୁନାହୁଁ। ଆମେ ସେଭଳି କରିପାରିବୁ ନାହିଁ। ଆମେ ସବୁ ରାଷ୍ଟ୍ର ସହିତ କଥାବାର୍ତା କରୁଛୁ। ଏସବୁ ବନ୍ଦ ହେବା ଦରକାର। ଅନ୍ୟଥା ଆମେ ସେମାନଙ୍କ ସହିତ ବାଣିଜ୍ୟ କାରବାର ବନ୍ଦ କରିଦେବୁ। ତାହା ହେବ ଶ୍ରେଷ୍ଠ ଲାଭଦାୟକ ଉତ୍ତର ବୋଲି ଟ୍ରମ୍ପ୍‌ କହିଛନ୍ତି। ହାର୍ଲି-ଡାଭିଡ୍‌ସନ୍‌ ମୋଟରସାଇକଲ୍‌ ଉପରେ ଭାରତ ସରକାର ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହାକୁ ନେଇ ଆମେରିକା କ୍ଷୁବ୍ଧ ଅଛି। ଭାରତ ରପ୍ତାନି କରୁଥିବା ହଜାର ହଜାର ମୋଟରସାଇକଲ୍‌ ଉପରେ ଆମଦାନି ଶୁଳ୍କ ବଢ଼ାଇବାକୁ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ସହିତ ଆଲୋଚନା କରିବା ପାଇଁ ସିଙ୍ଗାପୁର୍‌ ଗସ୍ତ କରିବା ପୂର୍ବରୁ କାନାଡାରେ ଟ୍ରମ୍ପ୍‌ ଏସବୁ କଥା କହିଥିଲେ। ଟ୍ରମ୍ପ୍‌ ରାଷ୍ଟ୍ରପତି ହେବା ପରଠାରୁ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ସମସ୍ୟା ବଢ଼ିବାରେ ଲାଗିଛି। ଆମେରିକା ଚାହୁଁଛି ଭାରତ ଏହାର ସବୁ ଟାରିଫ୍‌ ହଟାଇ ଦେଉ ଓ ବଜାରକୁ ଉନ୍ମୁକ୍ତ କରୁ।
‘ପ୍ରଥମେ ଆମେରିକା’ ନୀତିକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍‌ କାମ କରୁଛନ୍ତି। ଜି୭ରେ ସବୁ ପ୍ରକାର ଟାରିଫ୍‌ ଓ ସବ୍‌ସିଡି ହଟିବା ଦରକାର ବୋଲି ସେ କହିଛନ୍ତି।
କିଛି ଦିନ ତଳେ ଆମେରିକା ଓ ଚୀନ୍‌ ଭିତରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବାର ଆଶଂକା ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ବିଭିନ୍ନ ସାମଗ୍ରୀ ଉପରେ ଚଢ଼ା ଦରର ଟିକସ ଲାଗୁ କରିଥିଲେ। ଆମେରିକା ଓ ଚୀନ୍‌ ମଧ୍ୟରେ ଥିବା ବାଣିଜ୍ୟ ନିଅଣ୍ଟକୁ ଦୂର କରିବା ପାଇଁ ଚୀନ୍‌ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ପରେ ଏହି ବାଣିଜ୍ୟ ଲଢ଼େଇର ଅବସାନ ଘଟିଥିଲା।

ସମ୍ବନ୍ଧିତ ଖବର