ଭାରତୀୟ କମ୍ପାନିଙ୍କ ବିଦେଶୀ ଋଣ ଦୁଇଗୁଣ ବଢ଼ିଲା

ନୂଆଦିଲ୍ଲୀ: ଜୁଲାଇ ମାସରେ ଭାରତୀୟ କମ୍ପାନିଙ୍କ ବିଦେଶୀ ଋଣ ଦୁଇ ଗୁଣରୁ ଅଧିକ ବୃଦ୍ଧି ଘଟିଛି। କମ୍ପାନି ଗୁଡ଼ିକ ଜୁଲାଇରେ ୪.୯୮ ବିଲିଅନ ଡଲାରର ବିଦେଶୀ ଋଣ ସଂଗ୍ରହ କରିଛନ୍ତି ବୋଲି ରିଜର୍ଭ ବ୍ୟାଙ୍କ ସୂତ୍ରରୁ ଜଣାଯାଇଛି। ୨୦୧୮ ଜୁଲାଇରେ ଭାରତୀୟ କମ୍ପାନି ଗୁଡ଼ିକ ବିଦେଶୀ ବଜାରରୁ ୨.୧୮ ବିଲିଅନ ଡଲାରର ଋଣ ସଂ‌ଗ୍ରହ କରିଥିଲେ। ତେବେ ଚଳିତବର୍ଷ ଜୁଲାଇରେ ଭାରତୀୟ କମ୍ପାନି ଗୁଡ଼ିକ ସଂଗ୍ରହ କରିଥିବା ୪.୯୮ ବିଲିଅନ ଡଲାର ମୂଲ୍ୟର ବିଦେଶୀ ଋଣ ମଧ୍ୟରୁ ସ୍ବୟଂକ୍ରିୟ ମାର୍ଗରେ ୩.୩୭ ବିଲିଅନ ଡଲାରର ଋଣ କରିଥିବାବେଳେ ମଞ୍ଜୁରି ମାର୍ଗରେ ୧.୫୬ ବିଲିଅନ ଡଲାରର ବିଦେଶୀ ଋଣ ସଂଗ୍ରହ କରିଛନ୍ତି।

ସ୍ବୟଂକ୍ରିୟ ମାର୍ଗରେ ବିଦେଶରୁ ଋଣ ସଂଗ୍ରହ କରିଥିବା ପ୍ରମୁଖ ଭାରତୀୟ କମ୍ପାନି ଗୁଡ଼ିକ ମଧ୍ୟରେ ଆଦାନି ପୋର୍ଟସ ଆଣ୍ଡ ସ୍ପେସାଲ ଇକୋନୋମିକ୍ ଜୋନ୍ ଲିମିଟେଡ, ଓଏନଜିସି ବିଦେଶ, ଲାର୍ସନ ଆଣ୍ଡ ଟୁବ୍ରୋ ଏବଂ ଏଚପିସିଏଲ-ମିତ୍ତଲ ଏନର୍ଜି ଭଳି କମ୍ପାନି ରହିଛନ୍ତି। ଆଦାନି ପୋର୍ଟସ ୭୫୦ ନିୟୁତ ଡଲାର, ଓଏନଜିସି ବିଦେଶ ୫୦୦ ନିୟୁତ ଡଲାର, ଲାର୍ସନ ଆଣ୍ଡ ଟୁବ୍ରୋ ୧୫୦ ନିୟୁତ ଡଲାର ଏବଂ ଏଚପିସିଏଲ-ମିତ୍ତଲ ଏନର୍ଜି ୧୨୫ ନିୟୁତ ଡଲାର ସଂଗ୍ରହ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ବିର୍ଲା ହାଉସିଂ ଫାଇନାନ୍ସ, ଏଲ୍ ଆଣ୍ଡ୍ ଟି ଫାଇନାନ୍ସ, ଜିଏସିଏଲ୍-ନାଲକୋ ଆଲକାଲାଇଜ୍ ଆଣ୍ଡ କେମିକାଲ୍ସ ଏବଂ ଇଣ୍ଡିଆ ଇ‌ନଫୋଲାଇନ୍ ଫାଇନାନ୍ସ ପ୍ରତ୍ୟେକ ୧୦୦ ନିୟୁତ ଡଲାର ଲେଖାଏଁ ବିଦେଶୀ ଋଣ ଜୁଲାଇ ମାସରେ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ମଞ୍ଜୁରି ମାର୍ଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୯୧୨.୮୭ ନିୟୁତ ଡଲାର, ଆରଇସି ଲିମିଟେଡ ୬୫୦ ନିୟୁତ ଡଲାର ବିଦେଶୀ ଋଣ କରିଛନ୍ତି।

ସମ୍ବନ୍ଧିତ ଖବର