ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ଟ୍ରାଭେଲ୍ ପ୍ରଦର୍ଶନୀ ଆରମ୍ଭ

ଭୁବନେଶ୍ବର : ଆଜିଠାରୁ ହୋଟେଲ୍ ପାଲ୍‌ ହାଇଟସ୍‌ରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଟ୍ରାଭେଲ୍ ପ୍ରଦର୍ଶନୀ ଆରମ୍ଭ ହୋଇଛି ଯାହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମଧ୍ୟପ୍ରଦେଶ ପର୍ଯ୍ୟଟନ ବୋର୍ଡ ତରଫରୁ ଆୟୋଜନ କରାଯାଇଥିବା ଏହି ପ୍ରଦର୍ଶନୀରେ ମଧ୍ୟପ୍ରଦେଶରେ ଥିବା ପର୍ଯ୍ୟଟନ ସମ୍ଭାବନାଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ସେଠାକାର ପର୍ଯ୍ୟଟନ ସ୍ଥଳୀ, ଧାର୍ମିକ ପୀଠ, ବନ୍ୟଜନ୍ତୁ ସଫାରି, ପ୍ରାକୃତିକ ସୌନ୍ଦର୍ଯ୍ୟ, କ୍ୟାମ୍ପିଙ୍ଗ୍‌, ଜଳ କ୍ରୀଡ଼ା, ଐତିହ୍ୟ, ସଂସ୍କୃତି, ହସ୍ତଶିଳ୍ପ ଏବଂ ୱେଲ୍‌ନେସ୍‌ ବ୍ୟବସ୍ଥା ଆଦିକୁ ପ୍ରଦର୍ଶିତ କରାଯାଇଛି। ଓଡ଼ିଶାରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ମଧ୍ୟପ୍ରଦେଶ ପର୍ଯ୍ୟଟନ ‌ବୋର୍ଡ ଲକ୍ଷ୍ୟ ରଖିଛି। ପ୍ରତିବର୍ଷ ସେଠାକୁ ପ୍ରାୟ ୮ ‌କୋଟି ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ସେଥିରୁ ପ୍ରାୟ ୩.୭୫ କୋଟି ବିଦେଶୀ ହୋଇଥିବା ବେଳେ ଅନ୍ୟମାନେ ହେଉଛନ୍ତି ଭାରତର ବିଭିନ୍ନ ରାଜ୍ୟର ପର୍ଯ୍ୟଟକ। ପର୍ଯ୍ୟଟକମାନଙ୍କ ରହଣୀ ଲାଗି ହୋଟେଲ୍‌ ଠାରୁ ଆରମ୍ଭ କରି ଖାଦ୍ୟପଦାର୍ଥ ଆଦିର ବ୍ୟବସ୍ଥା ମଧ୍ୟପ୍ରଦେଶରେ ରହିଛି ବୋଲି ବୋର୍ଡର ଅଧିକାରୀ ଯୁବରାଜ ପାଡୋଲେ କହିଛନ୍ତି। କୋଭିଡ୍-୧୯ ମହାମାରୀର ପ୍ରଭାବ ରହିଥିବାରୁ ବିଦେଶକୁ ଭ୍ରମଣରେ ଯିବାର ସମ୍ଭାବନା କମ୍ ଥିବା ବେଳେ ସ୍ଥିତିରେ ସୁଧାର ହେବାକୁ ଆହୁରି ସମୟ ଲାଗିବ। ଏଭଳି ଏକ ସମୟରେ ଦେଶ ଭିତରେ ଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଉପରେ ବୋର୍ଡ ଜୋର ଦେଉଛି ବୋଲି ଶ୍ରୀ ପାଡୋଲେ କହିଛନ୍ତି। ପ୍ରତିବର୍ଷ ବୋର୍ଡ ପକ୍ଷରୁ ଦେଶରେ ଏଭଳି ୨୦-୨୫ଟି ପ୍ରଦର୍ଶନୀ ଆୟୋଜନ କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର