ଚୀନ୍‌ ଛାଡ଼ୁଥିବା କଂପାନିଙ୍କୁ ଭାରତର ଆମନ୍ତ୍ରଣ, ୧୦୦୦ ଆମେରିକୀୟ କଂପାନି ସହ ଆଲୋଚନା

ଭାରତର ଲୋଭନୀୟ ଅଫର

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ବିଶ୍ବର ଦୁଇ ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଆମେରିକା ଏବଂ ଚୀନ୍‌ ଭିତରେ ସମ୍ପର୍କ ଖରାପରୁ ଆହୁରି ଖରାପ ଆଡ଼କୁ ଗତି କରୁଥିବା ବେଳେ ଏହାର ଲାଭ ଉଠାଇବାକୁ ଭାରତ ପ୍ରସ୍ତୁତ ହେଉଛି। ଚୀନ୍‌ରେ କାରଖାନା ବସାଇଥିବା କଂପାନିଗୁଡ଼ିକ ଏବେ ସେଠାରୁ ବାହାରି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କରାଯାଉଛି। ଗତ ଏପ୍ରିଲ୍‌ରେ ବିଭିନ୍ନ ଦେଶରେ ଥିବା ଦୂତାବାସ ଜରିଆରେ ପ୍ରାୟ ୧୦୦୦ ଆମେରିକୀୟ କଂପାନି ସହ ଆଲୋଚନା କରାଯାଇଛି। ସେମାନଙ୍କୁ ଭାରତ ଆସିବା ଲାଗି ସ୍ବତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଥିବା ବେଳେ ଲୋଭନୀୟ ପ୍ରୋତ୍ସାହନ ଦେବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। ଚୀନ୍‌ରେ କାରଖାନା ବସାଇଥିବା ମେଡିକାଲ୍ ଉପକରଣ ଯୋଗାଣକାରୀ, ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା, ବସ୍ତ୍ର କଂପାନି, ଚମଡ଼ା କଂପାନି ଏବଂ ଗାଡ଼ି ମଟର ପାଇଁ ଯନ୍ତ୍ରାଂଶ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ହାତେଇବା ଲାଗି ଭାରତ ଉଦ୍ୟମ କରୁଛି। ପ୍ରାୟ ୫୫୦ ପ୍ରକାର ଉତ୍ପାଦ ନିର୍ମାଣ କରୁଥିବା ବିଭିନ୍ନ ପ୍ରକାର ସଂସ୍ଥା ସହିତ ସ୍ବତନ୍ତ୍ର ଭାବେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଚୀନ୍‌ର ଶିଳ୍ପ ଜଗତରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଭାରତ ତୀକ୍ଷ୍‌ଣ ନଜର ରଖିଛି। ଚୀନ୍‌ରେ ଜାପାନୀ କଂପାନିଗୁଡ଼ିକର ଥିବା କାରଖାନାକୁ ଅନ୍ୟତ୍ର ହଟାଇବା ଲାଗି ଜାପାନ ସରକାର ୨୨୦ କୋଟି ଡଲାରର ସହାୟତା ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ୟୁରୋପୀୟ ସଂଘ ମଧ୍ୟ ଚୀନ୍‌ ଯୋଗାଣକାରୀଙ୍କ ଉପରେ ରହିଥିବା ନିର୍ଭରଶୀଳତା କମ୍ କରିବାକୁ ଚାହୁଛନ୍ତି। ଆମେରିକା ସହିତ ଯେହେତୁ ଚୀନ୍‌ର ବାଣିଜ୍ୟ ଲଢ଼େଇ ଚାଲିଛି ତେଣୁ କୌଣସି ଦେଶ ଆମେରିକାକୁ ଅସନ୍ତୁଷ୍ଟ କରି ଚୀନ୍ ସହିତ ରହିବାକୁ ଚାହୁନାହାନ୍ତି। ଆମେରିକାର ଦୁଇ ବୃହତ ମେଡିକାଲ୍ ଉପକରଣ ନିର୍ମାତା ମେଡ୍‌ଟ୍ରୋନିକ୍ ଓ ଆବଟ୍ ଲାବୋରେଟୋରି ସହିତ ଭାରତ ସରକାର ଆଲୋଚନା କରିଛନ୍ତି। ଚୀନ୍‌ରେ ଥିବା କାରଖାନାକୁ ଭାରତ ସ୍ଥାନାନ୍ତର କରିବା ଲାଗି ଏହି ଦୁଇ ସଂସ୍ଥାକୁ କୁହାଯାଇଛି। ଏହି ଦୁଇ କଂପାନି ଭାରତରେ ମଧ୍ୟ କାରବାର କରୁଛନ୍ତି। ତେଣୁ ‌ଚୀନ୍‌ରେ ଥିବା ଯୋଗାଣ ଶୃଙ୍ଖଳକୁ ସେମାନେ ସହଜରେ ଭାରତକୁ ସ୍ଥାନାନ୍ତର କରିପାରିବେ ବୋଲି ଆଲୋଚନା ହେଉଛି। ଚୀନ୍‌ରେ ଥିବା କଂପାନିଗୁଡ଼ିକ କିଭଳି ସେମାନଙ୍କ କାରଖାନାକୁ ଅନ୍ୟତ୍ର ନେଇପାରିବେ ସେଥିପାଇଁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକେଲ୍ ପମ୍ପିଓ ଭାରତ, ଅଷ୍ଟ୍ରେଲିଆ, ଜାପାନ, ନ୍ୟୁଜିଲ୍ୟାଣ୍ଡ୍‌, ଦକ୍ଷିଣ କୋରିଆ ଓ ଭିଏତ୍‌ନାମ୍ ସହ ଆଲୋଚନା କରିଛନ୍ତି। ‌ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଲଢ଼େଇ ଆରମ୍ଭ ହେବା ପରେ ଅନେକ କଂପାନି ସେମାନଙ୍କ କାରଖାନାକୁ ଚୀନ୍‌ରୁ ହଟାଇ ନେଇଛନ୍ତି। ସେମାନେ ଭାରତ ଆସିବା ବଦଳରେ ଭିଏତ୍‌ନାମ ଯିବାକୁ ଅଧିକ ପସନ୍ଦ କରିଛନ୍ତି। ଜମି, ଶ୍ରମ ଓ ଟିକସ ନିୟମକୁ ଭୟ କରି ବିଦେଶୀ କଂପାନିଗୁଡ଼ିକ ଭାରତ ଆସିବାକୁ ଚାହୁନାହାନ୍ତି।

ଭାରତର ଲୋଭନୀୟ ଅଫର
ଚୀନ୍‌ ଛାଡ଼ିବାକୁ ଚାହୁଥିବା କଂପାନିଗୁଡ଼ିକୁ ଭାରତ ସରକାର ଲୋଭନୀୟ ଅଫର ପ୍ରଦାନ କରୁଛନ୍ତି। ଆମେରିକା ଓ ଜାପାନର କଂପାନିଗୁଡ଼ିକୁ ବୁଝାଇବାକୁ ଉଦ୍ୟମ କରାଯାଉଛି ଯେ ଯଦି ଚୀନ୍‌ର କାରଖାନାକୁ କଂପାନିଗୁଡ଼ିକ ନି‌ଜ ଦେଶକୁ ସ୍ଥାନାନ୍ତର କରିବେ ତାହା ବ୍ୟୟବହୁଳ ସାବ୍ୟସ୍ତ ହେବ। ଏହି ସମୟରେ ଭାରତ କିନ୍ତୁ ସେମାନଙ୍କ ପାଇଁ ଜମି ଏବଂ ସୁଲଭ ମୂଲ୍ୟର ଶ୍ରମ ଶକ୍ତି ଯୋଗାଇ ଦେବ। ଯଦି କୌଣସି କଂପାନି ଶ୍ରମ ନିୟମରେ ପରିବର୍ତ୍ତନ କରିବା ଲାଗି ଅନୁରୋଧ କରିବେ ତାହାକୁ ମଧ୍ୟ ଭାରତ ସରକାର ବିଚାରକୁ ନେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ବିଦେଶୀ ନିବେଶକଙ୍କ ପାଇଁ ଭାରତରେ ସବୁଠୁ ବଡ଼ ସମସ୍ୟା ହେଉଛି ଜମି ଅଧିଗ୍ରହଣ ଓ କଠୋର ଶ୍ରମ ନିୟମ। ସେଥିପାଇଁ ଅତୀତରେ ପୋସ୍କୋ ଭଳି ବଡ଼ କଂପାନି ଭାରତରେ କାରଖାନା ସ୍ଥାପନ କରିବାରେ ବିଫଳ ହୋଇଥିଲେ। ସେହି ବିଫଳତାକୁ ଆଉ ସରକାର ଦୋହରାଇବାକୁ ଚାହୁନାହାନ୍ତି। ଚୀନ୍‌ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା କଂପାନିଗୁଡ଼ିକୁ ଆମନ୍ତ୍ରଣ କରିବା ଲାଗି ସରକାର ଆଗୁଆ ବିପୁଳ ପରିମାଣର ଜମି ଚିହ୍ନଟ କରି ରଖିଛନ୍ତି। ଜମି ସହିତ ବିଦ୍ୟୁତ, ପାଣି ଏବଂ ସଡ଼କ ସଂଯୋଗ ଦେବା ଲାଗି ମଧ୍ୟ ପ୍ରତିଶ୍ରୁତି ଦିଆଯାଉଛି। ଟିକସ ବ୍ୟବସ୍ଥାକୁ ମଧ୍ୟ ସରଳୀକରଣ କରାଯିବ ବୋଲି କଂପାନିଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର