ଭାରତ ଏକ ଉଜ୍ଜ୍ବଳ ଅର୍ଥନୀତି: ଶୁଭ୍ରକାନ୍ତ

ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡ‌ସ୍‌ ୨୦୨୩

ଶିଳ୍ପ ସଂଘ ଫିକି ଇଣ୍ଡିଆର ସଭାପତି ତଥା ଇଣ୍ଡିଆନ୍ ମେଟାଲ୍‌ସ ଆଣ୍ଡ୍‌ ଫେରୋଆଲଏଜ୍‌ (ଇମ୍ଫା)ର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା ଆନ୍ତର୍ଜାତିକ ଦୃଶ୍ୟପଟ୍ଟ, ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଓ ନିଜ ସଂସ୍ଥା ବିଷୟରେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ବିଶ୍ବସ୍ତରରେ ମାନ୍ଦାବସ୍ଥା ଥିବା ବେଳେ ଭାରତୀୟ ଅର୍ଥନୀତିର ପ୍ରଦର୍ଶନ କିଭଳି ରହିଛି?
ବିଶ୍ବର ଅଧିକାଂଶ ଦେଶ ଦରବୃଦ୍ଧି ଓ ସମ୍ଭାବ୍ୟ ମାନ୍ଦାବସ୍ଥାକୁ ନେଇ ସଂଘର୍ଷ କରୁଥିବା ବେଳେ ଭାରତ କିଛି ହାତଗଣତି ଉଜ୍ଜ୍ବଳ ଅର୍ଥନୀତିରେ ରହିଛି। ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ମିଳିତ ଭାବେ କାର୍ଯ୍ୟ କରୁଥିବାରୁ ଦରଦାମ୍ ସ୍ଥିତି ନିୟନ୍ତ୍ରଣରେ ରହିଛି। ଭାରତ ପୁଣି ଥରେ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ପରିଣତ ହେବ। ଯେହେତୁ ଭାରତ ବିଶ୍ବଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ନୁ‌ହେଁ, ତେଣୁ କିଛିଟା ଆହ୍ବାନ ରହିବ। କିନ୍ତୁ ଭାରତର ଅଭିବୃଦ୍ଧି କାହାଣୀକୁ ନେଇ ମୁଁ ବେଶ ଆଶାବାଦୀ। ରହିଛି।

ପ୍ରତିଦ୍ବନ୍ଦ୍ବୀଙ୍କ ତୁଳନାରେ ଭାରତୀୟ ଅର୍ଥନୀତିର ଭବିଷ୍ୟତ ସମ୍ଭାବନା କ’ଣ ରହିଛି?
ଦୃଢ଼ ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁ ବିଶ୍ବବ୍ୟାଙ୍କ ଭାରତର ଅଭିବୃଦ୍ଧି ଆକଳନକୁ ବଢ଼ାଇଛି। ଏକ ଆହ୍ବାନପୂର୍ଣ୍ଣ ପରିବେଶରେ ଭାରତ କେତେ ଭଲ ସ୍ଥିତିରେ ଅଛି, ସେଥିରୁ ତାହା ଜଣାପଡ଼ୁଛି।
ଚୀନ୍‌କୁ ପଛରେ ପକାଇ ଭାରତ ବିଶ୍ବର କାରଖାନା ହୋଇପାରିବ କି?
ଭୂ-ରାଜନୈତିକ ଘଟଣାବଳୀ ଯୋଗୁ ‘ଚୀନ୍‌ ପ୍ଲସ୍‌ ୱାନ୍‌’ ବିଷୟରେ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଚିନ୍ତା କରିବା ଆରମ୍ଭ କରିଛନ୍ତି। କାରଣ ଯୋଗାଣ ଶୃଙ୍ଖଳରେ ରହିଥିବା ବିପଦକୁ ସେମାନେ ହ୍ରାସ କରିବାକୁ ଚାହୁଛନ୍ତି। ମାନୁଫାକ୍‌ଚରିଂ କ୍ଷେତ୍ର ଲାଗି ପିଏଲ୍‌ଆଇ ସ୍କିମ୍, ସହଜ ବ୍ୟବସାୟ ବାତାବରଣରେ ଉନ୍ନତି ଓ ବ୍ୟବସାୟ କରିବାରେ ସ୍ବଳ୍ପ ଖର୍ଚ୍ଚ ଭାରତକୁ ବଡ଼ ଶକ୍ତି ପ୍ରଦାନ କରିବ। ନିଯୁକ୍ତି ସୃଷ୍ଟିରେ ମଧ୍ୟ ଏହା ସହାୟକ ହେବ।
ଧାତବ କ୍ଷେତ୍ରର ପ୍ରଦର୍ଶନ ଏବେ କିଭଳି ରହିଛି?
ମହାମାରୀ ସମୟରେ କମୋଡିଟି ବଜାର ବହୁତ ଭଲ ପ୍ରଦର୍ଶନ କରୁଥିଲା।‌ ମାତ୍ର ଏବେ ମୁଦ୍ରାସ୍ଫୀତିର ମୁକାବିଲା ଲାଗି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ବଢ଼ାଉଥିବାରୁ ବଜାର କିଛିଟା ପ୍ରଭାବିତ ହୋଇଛି। ଚୀନ୍‌ରେ ‘ଶୂନ କରୋନା ନୀତି’ ହଟିବା ପରେ କମୋଡିଟି ବଜାର ପୁଣି ଭଲ ପ୍ରଦର୍ଶନ କରିବ।
ଓଡ଼ିଶାର ଶିଳ୍ପାୟନ ଠିକ୍ ଦିଗରେ ଗତି କରୁଛି କି?
ନୀତି ଭିତ୍ତିକ ପଦକ୍ଷେପ ଜରିଆରେ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ସଫଳ ହୋଇଛି। ତାହାର ଲାଭ ନିକଟରେ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ରେ ଆସିଥିବା ୧୦ ଲକ୍ଷରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବରେ ପ୍ରତିଫଳିତ ହୋଇଛି। ଧାତବ ଓ ଖଣି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଆସିବା ସ୍ବାଭାବିକ କଥା। ଅନ୍ୟ କ୍ଷେତ୍ର ଲାଗି ନିବେଶ ପ୍ରସ୍ତାବ ଆଣିବା ଉପରେ ଧ୍ୟାନ ଦେବାକୁ ପଡ଼ିବ।
ଆପଣଙ୍କ ସଂସ୍ଥା ଇମ୍ଫାକୁ ନେଇ କ’ଣ ଯୋଜନା ରହିଛି?
ଇମ୍ଫା ବର୍ତ୍ତମାନ ଋଣ ମୁକ୍ତ ଓ କ୍ଷମତା ସମ୍ପ୍ରସାରଣ ଉପରେ ଧ୍ୟାନ ଦେଉଛି। କଳିଙ୍ଗନଗରରେ ସରକାର ଏକ ୧,୦୦,୦୦୦ ଟିପିଏର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆମେ କ୍ରୋମ ପଥର ଉତ୍ପାଦନ କ୍ଷମତା ବଢ଼ାଇବା ଏବଂ ମୂଲ୍ୟ ଯୋଗ ଉପରେ ଗୁରୁତ୍ବ ଦେଉଛୁ। ଓଡ଼ିଶା ପ୍ରତି ଆମେ ପ୍ରତିବଦ୍ଧ ରହିଛୁ।
ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋ‌ରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ବିଷୟରେ ଆପଣଙ୍କ ମତ କ’ଣ?
ଏହା ହେଉଛି ଏକ ଚମତ୍କାର ଅଭିଯାନ ଯେଉଁଥିରେ ରାଜ୍ୟ ବାହ‌ାରେ ନିଜ ବ୍ୟବସାୟକୁ ସମ୍ପ୍ରସାରିତ କରିଥିବା ସଂସ୍ଥାଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯାଉଛି, ଯାହାଙ୍କୁ ନେଇ ଆମେ ଗର୍ବିତ ମନେ କରୁଛୁ। ମୁଁ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛି। ମୋର ବିଶ୍ବାସ ରହିଛି ଯେ ସେମାନେ ପଥ ପ୍ରଦର୍ଶକ ହେବେ ଯାହାଙ୍କୁ ଅନ୍ୟମାନେ ଅନୁସରଣ କରିବେ।

ସମ୍ବନ୍ଧିତ ଖବର