ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା ପରେ ସପିଙ୍ଗ୍‌ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଦୀର୍ଘଦିନ ପର୍ଯ୍ୟନ୍ତ ନିଜକୁ ନିୟନ୍ତ୍ରଣରେ ରଖିବା ପରେ ଲୋକମାନେ ପୁଣି ଥରେ ସପିଙ୍ଗ୍‌ ମୁହାଁ ‌ହୋଇଛି। ସାରା ଭାରତରେ ଲୋକମାନେ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଲୋକମାନେ ରୋଷେଇ ସାମଗ୍ରୀ, ଧାତବ ସାମଗ୍ରୀ, ବାସନକୁସନ, ହୋମ୍ ଡେକର୍‌, କେକ୍‌, ମୃଦୁ ପାନୀୟ, ଗହଣା, ପୋଷାକରେ ପାର୍ଟି ଓ ଫର୍ମାଲ୍ ଓୟାର, ଘରେ ବ୍ୟବହୃତ ହେଉଥିବା ସରଞ୍ଜାମ, ପାଠପଢ଼ାରେ ଲାଗୁ ଥିବା ଆସବାବପତ୍ର, ଖାଦ୍ୟ ସାମଗ୍ରୀ ଆଦି ଅଧିକ କିଣୁଛନ୍ତି। ୨୦୧୭ରେ ଦେଶବାସୀ ସପିଙ୍ଗ୍‌ରେ ୧.୪ ଲକ୍ଷ କୋଟି ଟଙ୍କା ବ୍ୟୟ କରିଥିଲେ। ୨୦୧୮ରେ ୧.୫ ଲକ୍ଷ କୋଟି ଟଙ୍କା ଓ ୨୦୧୯ରେ ୧.୬ ଲକ୍ଷ କୋଟି ଟଙ୍କା ବ୍ୟୟ କରିଥିଲେ। ୨୦୨୦ରେ ସେମାନେ ୧.୦୪ ଲକ୍ଷ କୋଟି ଟଙ୍କା ବ୍ୟୟ କରିସାରିଲେଣି।

Advertisment

ଗତ ୯ ମାସ ହେଲାଣି ଲୋକମାନେ ବାହାରେ ଖାଇବା, ଗମନାଗମନ ଓ ଦୋକାନରୁ ସପିଙ୍ଗ୍‌ କରିବା ଠାରୁ ଏକପ୍ରକାର ଦୂରେଇ ରହିଥିଲେ। କରୋନା ଟିକା ଆସିବା ଖବର ପ୍ରଚାରିତ ହେବା ପରଠାରୁ ଲୋକମାନଙ୍କ ମନରେ ଥିବା ଭୟ ହ୍ରାସ ପାଇଛି। ସେମାନେ ନିଜ ଆଡ଼ୁ ଯଥା ସମ୍ଭବ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ଅତିକମ୍‌ରେ ସପିଙ୍ଗ୍‌ କରିବା ଏବଂ ଆଖପାଖ ସ୍ଥାନ ବୁଲିବା ଲାଗି ବାହାରିବା ଆରମ୍ଭ କରିଛନ୍ତି। ଫେସନ ଷ୍ଟୋର୍‌ଗୁଡ଼ିକରେ ବିଲିଂ ପରିମାଣ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ହାରାହାରି ବିଲ୍ ମୂଲ୍ୟ ୧୫-୨୦ ପ୍ରତିଶତ ଅଧିକ ରହିଛି। ଲକ୍‌ଡାଉନ୍ ଆରମ୍ଭ ହେବା ସମୟରେ ଲୋକମାନେ ବଡ଼ ପ୍ୟାକେଟ୍‌ କିଣିବାକୁ ପସନ୍ଦ କରୁଥିଲେ, କାରଣ ସେମାନେ ଘରୁ ବାହାରିବାକୁ ଚାହୁନଥିଲେ। ଏବେ ସେମାନେ ଛୋଟ ପ୍ୟାକେଟ୍ କିଣିବା ଆରମ୍ଭ କରିଛନ୍ତି। ସ୍କ୍ବାସ୍‌, ପାଉଡର୍‌, ସସ୍‌, କେଚ୍‌ଅପ୍‌, ବୋତଲରେ ଥିବା ମୃଦୁ ପାନୀୟ, ଜାମ୍ ଏବଂ ମହିଳାମାନେ ବ୍ୟବହାର କରୁଥିବା ସ୍ବଚ୍ଛତା ସାମଗ୍ରୀ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି। ଲକ୍‌ଡାଉନ୍ ସମୟରେ ଏହି ସାମଗ୍ରୀଗୁଡ଼ିକର ବିକ୍ରି ହ୍ରାସ ପାଇଥିଲା। ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପୋଷାକରେ ପାର୍ଟିଓୟାର ବିକ୍ରି ୪୧%, ସେମି-ଫର୍ମାଲ୍‌ ବିକ୍ରି ୧୬% ଓ ଫର୍ମାଲ୍ ଓୟାର ବିକ୍ରିରେ ୪୧% ବୃଦ୍ଧି ଘଟିଛି।