ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥନୀତି ହେଉଛି ଭାରତ। ବିଶ୍ବବ୍ୟାଙ୍କ ଏକଥାକୁ ସ୍ପଷ୍ଟ କରିଛି। ଆସନ୍ତା ତିନି ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିବ ବୋଲି ଏହା ଆକଳନ କରିଛି। ଭାରତର ଅଭିବୃଦ୍ଧି ୨୦୨୩-୨୪ରେ ୮.୨ ପ୍ରତିଶତ ରହିବ ଯାହା ବିଶ୍ବବ୍ୟାଙ୍କର ପୂର୍ବ ଆକଳନ ତୁଳନାରେ ୧.୯ ପ୍ରତିଶତ ଅଧିକ। ୨୦୨୫-୨୬ରେ ଏହାର ଅଭିବୃଦ୍ଧି ୬.୨ ପ୍ରତିଶତ ହେବ। ଏହି ଅଞ୍ଚଳରେ ଭାରତ ବ୍ୟତୀତ ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନ ଅର୍ଥନୀତି ମଧ୍ୟ ଦୃଢ଼ ହେବ ବୋଲି ବିଶ୍ବବ୍ୟାଙ୍କ ଜଣାଇଛି। ଏହା ଭାରତ ସମ୍ପର୍କରେ କହିଛି ଯେ ନିବେଶରେ ମାନ୍ଦାବସ୍ଥା କାରଣରୁ ଭାରତର ଅଭିବୃଦ୍ଧି ସାମାନ୍ୟ କମିବ। ପୂର୍ବ ଆକଳନ ତୁଳନାରେ ନିବେଶ ଯଥେଷ୍ଟ ଉନ୍ନତ ରହିଛି। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ନିବେଶ ଉତ୍ସାହଜନକ ରହିବା ଆଶା କରାଯାଉଛି। ମୁଦ୍ରାସ୍ଫୀତିରେ ହ୍ରାସ ଓ କୃଷି ଉତ୍ପାଦନରେ ବୃଦ୍ଧି ଆଶା କରାଯାଉଥିବାରୁ ଘରୋଇ ନିବେଶ ବୃଦ୍ଧି ପାଇବ ବୋଲି ବିଶ୍ବବ୍ୟାଙ୍କ କହିଛି।